ବଡ ଖବର : ଜାତୀୟ ପୁରସ୍କାର ପାଇବା ଲାଗି ତାମିଲନାଡୁର ମୁଖ୍ୟ ନିର୍ବାଚନ ଅଧିକାରୀ ଥିବା ଓଡ଼ିଆ ‘ଆଇଏଏସ୍’ ଅଫିସର୍ ସତ୍ୟବ୍ରତ ସାହୁ ମନୋନୀତ
ଚେନ୍ନାଇ: ୨୦୨୧ ରାଜ୍ୟ ବିଧାନସଭା ନିର୍ବାଚନ ବେଳେ ନିର୍ବାଚନ ପରିଚାଳନାର ବିଭିନ୍ନ କ୍ଷେତ୍ରରେ ସାମଗ୍ରିକ ପାରଦର୍ଶିତା ନିମନ୍ତେ ସର୍ବୋତ୍ତମ ପ୍ରଦର୍ଶନକାରୀ ରାଜ୍ୟ ବର୍ଗରେ ଜାତୀୟ ପୁରସ୍କାର ପାଇବା ଲାଗି ତାମିଲନାଡୁର ମୁଖ୍ୟ ନିର୍ବାଚନ ଅଧିକାରୀ ଥିବା ଓଡ଼ିଆ ‘ଆଇଏଏସ୍’ ଅଫିସର୍ ସତ୍ୟବ୍ରତ ସାହୁ ମନୋନୀତ ହୋଇଛନ୍ତି।
ଉପରୋକ୍ତ ପୁରସ୍କାର ଗ୍ରହଣ କରିବା ନିମନ୍ତେ ‘ଜାତୀୟ ଭୋଟର୍ ଦିବସ’ ଅବସରରେ ନୂଆଦିଲ୍ଲୀରେ ହେବାକୁ ଥିବା ଜାତୀୟ ପୁରସ୍କାର କାର୍ଯ୍ୟକ୍ରମକୁ ଶ୍ରୀ ସାହୁଙ୍କୁ ନିମନ୍ତ୍ରଣ କରାଯାଇଛି।
ସୂଚନାଯୋଗ୍ୟ, ‘ଭାରତର ନିର୍ବାଚନ କମିସନ୍’ ସଂସ୍ଥାପନ ଦିବସ ଅବସରରେ ୨୦୧୧ ମସିହାରୁ ପ୍ରତିବର୍ଷ ସମଗ୍ର ଦେଶରେ ଜାନୁଆରି ୨୫ ତାରିଖକୁ ‘ନ୍ୟାସ୍ନାଲ୍ ଭୋଟର୍ସ ଡେ’ ଭାବେ ପାଳନ କରାଯାଉଛି। ୧୯୫୦ ମସିହା ଜାନୁଆରି ୨୫ ତାରିଖ ଦିନ ‘ଭାରତର ନିର୍ବାଚନ କମିସନ୍’ ସ୍ଥାପନ କରାଯାଇଥିଲା।
‘ସୂଚନା ଓ ପ୍ରଯୁକ୍ତିବିଦ୍ୟା ଉପକ୍ରମ’, ‘ନିରାପତ୍ତା ପରିଚାଳନା’, ‘କୋଭିଡ୍-୧୯ ସମୟରେ ନିର୍ବାଚନ ପରିଚାଳନା’, ‘ଉନ୍ମୁକ୍ତ ନିର୍ବାଚନ ଏବଂ ଭୋଟ୍ଦାତାମାନଙ୍କୁ ସଚେତନ କରିବା ଏବଂ ସେମାନଙ୍କ ନିକଟବର୍ତ୍ତୀ ହେବାରେ ଅବଦାନ’ ଭଳି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ପ୍ରଦର୍ଶନ ସହ ନିର୍ବାଚନ ପରିଚାଳନା କରିଥିବା ରାଜ୍ୟ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଜାତୀୟ ପୁରସ୍କାର ‘ବେଷ୍ଟ୍ ଇଲେକ୍ଟୋରାଲ୍ ପ୍ରାକ୍ଟିସେସ୍’ରେ ଭୂଷିତ କରାଯାଏ।