ଭୁବନେଶ୍ବର: ରାଜ୍ୟରେ ଆଉ ୯୧ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଏହି ୯୧ ଜଣଙ୍କ ମଧ୍ୟରେ ଅଛନ୍ତି ଜଣେ ସରପଞ୍ଚ, ରାଜ୍ୟର ଆଗଧାଡ଼ିର କରୋନା ଯୋଦ୍ଧା। ସଙ୍ଗରୋଧ କେନ୍ଦ୍ରର ପରିଚାଳନା ଦାୟିତ୍ବ ସରପଞ୍ଚମାନଙ୍କୁ ଦିଆଯିବା ପରେ ସେମାନେ ସଂକ୍ରମିତ ହେବାର ଆଶଙ୍କା ଦେଖାଦେଇଛି। ଆଜି ଚିହ୍ନଟ ହୋଇଥିବା ସରପଞ୍ଚ ଜଣକ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡିଛି ।
ନୂଆ ୯୧ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକରେ ୨୮, ବାଲେଶ୍ୱରରେ ୧୭ , ଗଂଜାମ ୧୫, କଟକ ୧୨, ପୁରୀ ୭ , କେନ୍ଦୁଝର ୪ , ଖୋର୍ଧା ୩ , ବଲାଙ୍ଗିର ୨, କେନ୍ଦ୍ରପଡା, ସୁନ୍ଦରଗଡ ଓ ସମ୍ବଲପୁରର ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ପ୍ରଥମ ଥର ପାଇଁ ସମ୍ବଲପୁର ଜିଲ୍ଲାକୁ ଡେଇଁଛି କରୋନା ଭୂତାଣୁ । ଏହି ୯୧ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ୮୭ ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାପଡିଛି ।ଓଡ଼ିଶାରେ ମୋଟ୍ ନମୁନା ପରୀକ୍ଷା ସଂଖ୍ୟା ୯୧ ହଜାର ୨୨୩କୁ ବୃଦ୍ଧି ପାଇଛି । ଏଥି ମଧ୍ୟରୁ ୮୨୮ଟି ନମୁନା ପଜିଟିଭ୍ ଚିହ୍ନଟ ହୋଇଛି।