Odisha news

ସମ୍ବଲପୁର ଶୀତଳଷଷ୍ଠୀ-୨୦୨୫ରେ ସାମିଲ ହେବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଭିଡ଼ିଓ ବାର୍ତ୍ତା , ଆଧ୍ୟାତ୍ମିକତାର ଦିବ୍ୟତା ଓ ଲୋକ ସଂସ୍କୃତିର ଭବ୍ୟତାର ବିରଳ ସଙ୍ଗମ ହେଉଛି ଶୀତଳ ଷଷ୍ଠୀ – ଧର୍ମେନ୍ଦ୍ର ପ୍ରଧାନ

0
ମଇ ୩୦ରୁ ଜୁନ ୨ ପର୍ଯ୍ୟନ୍ତ ସମ୍ବଲପୁରରେ ଶୀତଳଷଷ୍ଠୀ ପର୍ବରେ ସାମିଲ ହେବା ପାଇଁ ସମସ୍ତଙ୍କୁ କଲେ ନିମନ୍ତ୍ରଣ
ଶୀତଳ ଷଷ୍ଠୀ ମହାନଦୀ କୂଳରେ ଥିବା ସମ୍ବଲପୁରର ଗାରିମା ଏବଂ ପରିଚୟକୁ ଶ୍ରୀମନ୍ତ କରିଛି
ଭଗବାନ ଏବଂ ସାଧାରଣ ଭକ୍ତଙ୍କ ଏକାକାର ହେବାର ବିରଳ ଲୋକ ସଂସ୍କୃତିର ସ୍ୱରୂପ ଶୀତଳ ଷଷ୍ଠୀ
 ଥାଳି ଉଠା, ପତର ପେଣି,ଗୁଆ ଗୁଣା, ଦେବ ନିମନ୍ତ୍ରଣ ଏବଂ ଦେବ ବିବାହ ଇତ୍ୟାଦି ପରମ୍ପରା ଏହି ପର୍ବକୁ ଗୋଟିଏ ଭିନ୍ନ ପରିଚୟ ଦେଇଛି
ଭାରତ ସରକାର ଶୀତଳ ଷଷ୍ଠୀ ଉପରେ ଡାକ ଟିକେଟ୍ ପ୍ରସ୍ତୁତ କରିଥିବା ବେଳେ ଓଡ଼ିଶା ସରକାର ମଧ୍ୟ ଏଥିପାଇଁ ପୃଷ୍ଠପୋଷକତା କରିଥିବାରୁ ଧନ୍ୟବାଦ
ଶୀତଳ ଷଷ୍ଠୀର ଭବ୍ୟତାକୁ ଆହୁରି ଆଗକୁ ନେବା ସହ ଏହି ପର୍ବର ଜଗତ କଲ୍ୟାଣ ବାର୍ତ୍ତାକୁ ସମଗ୍ର ବିଶ୍ୱରେ ପ୍ରଚାର ପ୍ରସାର କରିବା ପାଇଁ ଆହ୍ୱାନ
ଭୁବନେଶ୍ୱର, ମଇ ୨୯ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭିଡ଼ିଓ ବାର୍ତ୍ତା ଜରିଆରେ ଶୀତଳ ଷଷ୍ଠୀ -୨୦୨୫ର ଶୁଭେଚ୍ଛା ଜଣାଇବା ସହ ଆସନ୍ତାକାଲି ଠାରୁ ଜୁନ ୨ ପର୍ଯ୍ୟନ୍ତ ସମ୍ବଲପୁର ଶୀତଳଷଷ୍ଠୀ ପର୍ବରେ ସାମିଲ ହେବା ପାଇଁ ସମସ୍ତଙ୍କୁ ନିମନ୍ତ୍ରଣ ଦେଇଛନ୍ତି ।  
ଶ୍ରୀ ପ୍ରଧାନ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ଯେ ଏବେ ଶୀତଳ ଷଷ୍ଠୀର ସମୟ ଆସିଛି । ସବୁଆଡେ ଆଧ୍ୟାତ୍ମିକ ଏବଂ ଆନନ୍ଦର ବାତାବରଣ ଦେଖାଯାଇଛି । ସମ୍ବଲପୁର ସହ ସୁନ୍ଦରଗଡ଼, ବରଗଡ, ବରପାଲି ଓ ବଲାଙ୍ଗିରରେ ମଧ୍ୟ ଶୀତଳ ଷଷ୍ଠୀ ମହାଆଡମ୍ବରରେ ପାଳିତ ହେଉଛି । ଶୀତଳ ଷଷ୍ଠୀ ଆଧ୍ୟାତ୍ମିକତାର ଦିବ୍ୟତା ଓ ଲୋକ ସଂସ୍କୃତିର ଭବ୍ୟତାର ବିରଳ ସଙ୍ଗମ ।  ଏହି ପବିତ୍ର ଅବସରରେ ସବୁ ଗୁରୁଜନ, ମାଆ ଭଉଣୀ ଏବଂ ଦାଦା ଭାଇମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି, ମହାନ ପର୍ବ ଶୀତଳ ଷଷ୍ଠୀ ମହାନଦୀ କୂଳରେ ଥିବା ସମ୍ବଲପୁରର ଗାରିମା ଏବଂ ପରିଚୟକୁ ଶ୍ରୀମନ୍ତ କରିଛି । ଶୀତଳ ଷଷ୍ଠୀ ଆମର ଆଧ୍ୟାତ୍ମିକ, ସାଂସ୍କୃତିକ ଏବଂ ଲୋକ ପରମ୍ପରାର ଉଜ୍ଜ୍ୱଳ ପ୍ରତୀକ ଭାବରେ ରହିଆସିଛି ।
ଭଗବାନ ଏବଂ ସାଧାରଣ ଭକ୍ତଙ୍କ ଏକାକାର ହେବାର ବିରଳ ଲୋକ ସଂସ୍କୃତିର ସ୍ୱରୂପ ହେଉଛି ଶୀତଳ ଷଷ୍ଠୀ । ଏହି ଲୋକସଂସ୍କୃତିରେ ସାଧାରଣ ଭକ୍ତ ଭଗବାନଙ୍କ ଉପରେ ନିଜର ଅଧିକାର ଜାହିର୍ କରେ । ଭଗବାନ ମଧ୍ୟ ସାଧାରଣ ଭକ୍ତଙ୍କର ଗୁହାରି ଶୁଣନ୍ତି ଏବଂ ଭକ୍ତଙ୍କ ଜୀବନର ରିତିନୀତିରେ ନିଜକୁ ସାମିଲ କରନ୍ତି ।  କଲ୍ୟାଣମୟୀ ମାତା ପାର୍ବତୀ ଏବଂ ପ୍ରଭୁ ଶିବଙ୍କର ଲୋକ ପରମ୍ପରା ଆଧାରରେ ହିଁ ବିବାହ ଅନୁଷ୍ଠିତ ହୋଇଥାଏ । ଏହା ପଛରେ ଜଗତ କଲ୍ୟାଣର ଚେତନା ରହିଛି । ଏହି ମହାନ ଚିନ୍ତା ଶୀତଳ ଷଷ୍ଠୀ ପାଳନ ହେବାର ଆଧାର ଅଟେ । ପ୍ରବଳ ଖରା ଏବଂ ଗରମରୁ ମୁକ୍ତି ପାଇବା ସହ ଭଲ ବର୍ଷା କରିବା ପାଇଁ ଭକ୍ତଟିଏ ଶୀତଳ ଷଷ୍ଠୀରେ ପ୍ରାର୍ଥନା କରିଥାଏ । ଭଲ ବର୍ଷା ହେଲେ ଭଲ ଚାଷ ହେବ ଏବଂ ସମୃଦ୍ଧି ଆସିବ ।
ଶୀତଳ ଷଷ୍ଠୀର’ “ଥାଳି ଉଠା”, “ପତର ପେଣି”,“ଗୁଆ ଗୁଣା”, “ଦେବ ନିମନ୍ତ୍ରଣ” ଏବଂ “ଦେବ ବିବାହ” ଇତ୍ୟାଦି ପରମ୍ପରା ଏହି ପର୍ବକୁ ଗୋଟିଏ ଭିନ୍ନ ପରିଚୟ ଦେଇଛି । ଶୀତଳଷଷ୍ଠୀର ଆଉ ଗୋଟିଏ ଭବ୍ୟ ଦିଗ ହେଉଛି, ଏହି ଦିନ ଲୋକକଳା, ଲୋକବାଦ୍ୟ, ଲୋକନୃତ୍ୟ ଏବଂ ଲୋକଗୀତର ମହାସଙ୍ଗମ ହୁଏ । ଦେଖିବାକୁ ଗଲେ ଲୋକ ସଂସ୍କୃତିର ନିଚ୍ଛକ ସମାହାର ହେଉଛି ଶୀତଳ ଷଷ୍ଠୀ । ଶୀତଳ ଷଷ୍ଠୀ, ଭାରତର ସାଂସ୍କୃତିକ ଐତିହ୍ୟର ଗୋଟିଏ ଅଂଶବିଶେଷ । ସେଥିପାଇଁ ଭାରତ ସରକାର “ଶୀତଳ ଷଷ୍ଠୀ” ଉପରେ ଡାକ ଟିକେଟ୍ ପ୍ରସ୍ତୁତ କରିଛନ୍ତି। ଅତ୍ୟନ୍ତ ଖୁସିର କଥା, ଚଳିତବର୍ଷ ଓଡ଼ିଶା ସରକାର ଶୀତଳ ଷଷ୍ଠୀ ପାଇଁ ପୃଷ୍ଠପୋଷକତା କରିଛନ୍ତି ।    ଏଥିପାଇଁ ଶ୍ରୀ ପ୍ରଧାନ ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।  
ଆମେ ସମସ୍ତେ ମିଳିମିଶି ଶୀତଳ ଷଷ୍ଠୀର ଭବ୍ୟତାକୁ ଆହୁରି ଆଗକୁ ନେବା । ଶୀତଳ ଷଷ୍ଠୀର ଜଗତ କଲ୍ୟାଣ ବାର୍ତ୍ତାକୁ ସମଗ୍ର ବିଶ୍ୱରେ ପ୍ରଚାର ପ୍ରସାର କରିବା । ଜଗତଜନନୀ ମାତା ପାର୍ବତୀ ଏବଂ ପ୍ରଭୁ ଶିବଙ୍କ ଆଶୀର୍ବାଦ ସମସ୍ତଙ୍କ ପରିବାର ଉପରେ ରହୁ ବୋଲି ଶ୍ରୀ ପ୍ରଧାନ ପ୍ରାର୍ଥନା କରିଛନ୍ତି ।

 

Leave A Reply