Odisha news

ବାବାସାହେବଙ୍କ ବ୍ୟକ୍ତିତ୍ୱ ଓ ବିଚାର ପାଇଁ ଆମର ଲୋକତନ୍ତ୍ର ନୂଆ ଉଚ୍ଚତାକୁ ଛୁଇଁଛି : ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର ଠେଲକୋପଡ଼ା ଠାରେ ଭାରତରତ୍ନ ବି.ଆର୍ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ

0
ସ୍ଥାନୀୟ ଜନସାଧାରଣ ଏବଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ସାକ୍ଷାତ ଆଲୋଚନା
ବାବା ସାହେବଙ୍କ ଆଜୀବନ ସମାବେଶୀ ସମାଜ ନିର୍ମାଣ କରିବା ପାଇଁ ସମର୍ପିତ ଥିଲେ
ସେ ଥିଲେ ଜଣେ ମହାନ ଦେଶଭକ୍ତ ଏବଂ ସ୍ୱାଧୀନ ଭାରତରେ ଗଣତନ୍ତ୍ର ପ୍ରତିଷ୍ଠାର ଅଗ୍ରଦୂତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବାବା ସାହେବଙ୍କ ବିଚାର ବ୍ୟାପକ ହୋଇଛି
କଂଗ୍ରେସ ନିଜର ୬୦ ବର୍ଷ ଶାସନରେ ବାବା ସାହେବଙ୍କର ନାମ ଉଚ୍ଚାରଣ କରିବା ପାଇଁ ସଂକୋଚ ପ୍ରକାଶ କରୁଥିଲା  
ବାବାସାହେବଙ୍କ ଇତିହାସକୁ ଲିଭାଇ ଦେବା ପାଇଁ ମଧ୍ୟ ପ୍ରୟାସ କରିଥିଲା କଂଗ୍ରେସ
ମୋଦୀଙ୍କ ଶାସନ ପ୍ରଣାଳୀରେ ସବକା ସାଥ୍, ସବକା ବିକାଶ ମୂଳ ମନ୍ତ୍ର ହୋଇଛି
ତୃଣମୂଳ ସ୍ତରର ଜନସାଧାରଣଙ୍କ ବିକାଶ ହୋଇପାରିଲେ ହିଁ ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ର ସ୍ୱପ୍ନ ସାକାର ହୋଇପାରିବ
ଠେଲକୋପଡ଼ା/ସମ୍ବଲପୁର, ଏପ୍ରିଲ ୧୪ – ଆମର ଗଣତନ୍ତ୍ରକୁ ସମ୍ବିଧାନ ଭଳି ମହାନ ଉପହାର ବାବା ସାହେବଙ୍କରୁ ମିଳିଛି । ବାବା ସାହେବଙ୍କର ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଓ ବିଚାରରୁ ପ୍ରେରଣା ନେଇ ଭାରତ ଏବଂ ଭାରତର ଲୋକତନ୍ତ୍ର ନୂଆ ଉଚ୍ଚତାକୁ ଛୁଇଁଛି । ସମାନତା, ସ୍ଵାଧୀନତା ଓ ବନ୍ଧୁତ୍ୱର ଯେଉଁ ପରିକଳ୍ପନା ବାବା ସାହେବ ଦେଶ ସାମ୍ନାରେ ରଖିଥିଲେ, ତାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ସାକାର କରୁଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସୋମବାର ସମ୍ବଲପୁର ଠେଲକୋପଡ଼ା ଠାରେ ଭାରତୀୟ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡକ୍ଟର ବି.ଆର୍ ଆମ୍ବେଦକରଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଶ୍ରୀ ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ସ୍ଥାନୀୟ ଜନସାଧାରଣ ଏବଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ସେ କହିଛନ୍ତି ଡକ୍ଟର ଆମ୍ବେଦକର ଜଣେ ଜନନାୟକ ଥିଲେ । ଆଜି ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଆମେ ଗର୍ବ ଅନୁଭବ କରୁଛୁ । ବାବା ସାହେବଙ୍କ ସମ୍ପୂର୍ଣ୍ଣ ଜୀବନ ସମାବେଶୀ ସମାଜ ନିର୍ମାଣ କରିବା ପାଇଁ ସମର୍ପିତ ଥିଲା । ସେ ଜଣେ ମହାନ ଦେଶଭକ୍ତ ଏବଂ ସ୍ୱାଧୀନ ଭାରତରେ ଗଣତନ୍ତ୍ର ପ୍ରତିଷ୍ଠାର ଅଗ୍ରଦୂତ ଥିଲେ । ବାବାସାହେବ ଆଜୀବନ ଗରିବ, ବଞ୍ଚିତ, ନିଷ୍ପେସିତ ଏବଂ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କ ଉତ୍ଥାନ ଏବଂ ସଶକ୍ତିକରଣ କରିବା ଦିଗରେ ଉତ୍ସର୍ଗୀକୃତ ଥିଲେ । ସମ୍ବିଧାନରେ ବାବା ସାହେବ ଯେଉଁ ନୀତି ପ୍ରଣୟନ କରିଛନ୍ତି ତାହା ନ ଥିଲେ ପଛୁଆ ଓ ବଞ୍ଚିତଙ୍କ ଅବସ୍ଥା କ’ଣ ହୋଇଥାନ୍ତା ?
ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବାବା ସାହେବଙ୍କର ବିଚାରକୁ ନେଇ ବିଜେପି କାର୍ଯ୍ୟକର୍ତ୍ତା ଓ  ସରକାର ଦେଶର କୋଣ ଅନୁକୋଣକୁ ଯାଉଛନ୍ତି । ଗାଁ ଗାଁ ପର୍ଯ୍ୟନ୍ତ ତାଙ୍କର ବିଚାରକୁ ବ୍ୟାପକ କରାଯାଉଛି । ଦୁଃଖର ବିଷୟ ଯେ ଏଥିପାଇଁ ଦେଶକୁ ଦଶନ୍ଧି ଦଶନ୍ଧି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଲା ।  କଂଗ୍ରେସର ୬୦ ବର୍ଷ ଶାସନରେ ବାବା ସାହେବଙ୍କର ନାମ ଉଚ୍ଚାରଣ କରିବା ପାଇଁ ମଧ୍ୟ ସଂକୋଚ ପ୍ରକାଶ କରୁଥିଲା । ବାବାସାହେବ ଥିବା ସମୟରେ ମଧ୍ୟ କଂଗ୍ରେସ ତାଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଛି ଏବଂ ତାଙ୍କର ବିୟୋଗ ପରେ ମଧ୍ୟ ବାବାସାହେବଙ୍କ ଇତିହାସକୁ ଲିଭାଇ ଦେବା ପାଇଁ ମଧ୍ୟ ପ୍ରୟାସ କରିଛି । କିନ୍ତୁ ଆଜି ଦେଶବାସୀମାନେ ଗୌରବ ଅନୁଭବ କରୁଛନ୍ତି ଯେ ଆମର ପ୍ରଧାନମନ୍ତ୍ରୀ ମୋଦୀ ୨୦୧୪ ରୁ ବାବା ସାହେବଙ୍କ ବିଚାରଗୁଡ଼ିକୁ ଆଗକୁ ବଢାଇବାର ସଂକଳ୍ପ ନେଇଛନ୍ତି । ବାବା ସାହେବଙ୍କ ସହିତ ଜଡିତ ସ୍ଥାନଗୁଡିକୁ ପଞ୍ଚତୀର୍ଥ ଭାବରେ ବିକାଶ କରି ମହାନ ପ୍ରତୀକଗୁଡିକର ସ୍ଥାପନା କରିଛନ୍ତି । ଦେଶର ଗରିବ, ବଞ୍ଚିତ, ଶୋଷିତ, ପଛୁଆ, ମହିଳାଙ୍କ ସମେତ ସର୍ବସମାଜର ପ୍ରଗତିକୁ ପ୍ରାଥମିକତା ଦିଆଯାଇଛି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ତୃଣମୂଳ ସ୍ତରର ନାଗରିକ ଏବଂ କାର୍ଯ୍ୟକର୍ତ୍ତାଙ୍କ ବିକାଶ ଦିଗରେ ସର୍ବଦା କାର୍ଯ୍ୟ କରୁଛନ୍ତି । ମୋଦୀଙ୍କ ଶାସନ ପ୍ରଣାଳୀରେ ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ମୂଳ ମନ୍ତ୍ର ହୋଇଛି । ତାଙ୍କର ଦୃଢ଼ ମନୋବଳ, ସାମାଜିକ ନ୍ୟାୟ ପ୍ରତି ପ୍ରତିବଦ୍ଧତା ଓ ନୀତି ଆଦର୍ଶ ସମାଜର ସବୁ ବର୍ଗର ଲୋକଙ୍କୁ ସର୍ବଦା ଅନୁପ୍ରାଣିତ କରିବ । ତୃଣମୂଳ ସ୍ତରର ଜନସାଧାରଣଙ୍କ ବିକାଶ ହୋଇପାରିଲେ ହିଁ ପ୍ରଧାନମନ୍ତ୍ରୀଙ୍କ ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ର ସ୍ୱପ୍ନ ସାକାର ହୋଇପାରିବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।

 

Nalco
Leave A Reply