ସାଲେପୁର ୨୮ ।୮- ସାଲେପୁରରେ ଏବେ କେତେକ ନିର୍ଦ୍ଦିଷ୍ଟ ୱେବ୍ ଚ୍ୟାନେଲ୍ର ରିପୋର୍ଟର ବୋଲି ପରିଚୟ ଦେଇ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ସାଲେପୁରରେ ଥିବା ସରକାରୀ କାର୍ଯ୍ୟାଳୟରେ ପହଞ୍ଚô ଧମକ ଚମକ ଦେବା ସହ ସେମାନଙ୍କୁ ଚାନ୍ଦା ମାଗୁଥିବା ଅଭିଯୋଗ ହୋଇଛି । ଏହାନେଇ ଆଜି ଜନୈକ ସରପଞ୍ଚ ସାଲେପୁର ଥାନାରେ ଏକ ନିର୍ଦ୍ଦିଷ୍ଟ ୱେବ୍ ଚ୍ୟାନେଲ୍ ରିପୋର୍ଟର ନାମରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି ।
କିଛି ଦିନ ହେବ ସାଲେପୁର ଅଞ୍ଚଳରେ ବିଭିନ୍ନ ୱେବ୍ ଚ୍ୟାନେଲ୍ ରିପୋର୍ଟର ବୋଲି ପରିଚୟ ଦେଇ ସାଲେପୁର ଅଞ୍ଚଳରେ ଥିବା ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ବହୁ ଲୋକ ପ୍ରତିନିଧିମାନଙ୍କୁ ବିଭିନ୍ନ ପ୍ରକାର ଧମକ ଚମକ ଦେଇ ଚାନ୍ଦା ମାଗୁଛନ୍ତି । ଏହାନେଇ ଆଜି ଚନ୍ଦ୍ରାଦେଇପୁର ସରପଞ୍ଚ ଅନିଲ କୁମାର ଦାସ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି ।
ଅଭିଯୋଗରୁ ପ୍ରକାଶ ଯେ ଚନ୍ଦ୍ରାଦେଇପୁର ପଞ୍ଚାୟତର ଚନ୍ଦ୍ରାଦେଇପୁର ୟୁ.ଜି.ଏମ୍.ଇ. ସ୍କୁଲର ମରାମତି ପାଇଁ ୨ଲକ୍ଷ ଟଙ୍କା ମଂଜୁର କରାଯାଇଛି । ଏହି ଅର୍ଥରେ ପ୍ରାୟ ୪ଶହ ବର୍ଗଫୁଟର ଏକ ପୁରୁଣା ଅଧାକାନ୍ଥ ଥିବା ଗୃହକୁ ମରାମତି କରିବା ବଦଳରେ ଏହାକୁ ସଂପୂର୍ଣ୍ଣ କରି ପିଲାମାନଙ୍କ ମଧ୍ୟାହ୍ଣ ଭୋଜନ ଉଦେ୍ଦଶ୍ୟରେ ଏହି ଗୃହକୁ ବ୍ୟବହାର କରିବାପାଇଁ ନିର୍ମାଣ କରାଯାଉଥିବାବେଳେ ଏହି ଗୃହ ନିର୍ମାଣରେ ଅନିୟମିତତା କରାଯାଉଥିବା ଦର୍ଶାଇ ପିକୋଳ ଗ୍ରାମର ମହେଶ୍ୱର ବେହେରା ନାମକ ଜଣେ ଯୁବକ ନିଜକୁ ଜଣେ ୱେବ୍ ଚ୍ୟାନେଲର ସାମ୍ବାଦିକ ପରିଚୟ ଦେଇ ସରପଞ୍ଚ ଶ୍ରୀ ଦାସଙ୍କୁ ୩୦ହଜାର ଟଙ୍କା ଚାନ୍ଦା ମାଗିଥିଲେ ।
ସରପଞ୍ଚ ଏଥିରେ ରାଜି ନହେବାରୁ ସଂପୃକ୍ତ ବ୍ୟକ୍ତି ଜଣକ ତାଙ୍କୁ ବିଭିନ୍ନ ପ୍ରକାର ଧମକ ଚମକ ଦେଉଥିବା ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସାଲେପୁର ପୁଲିସ ଅଭିଯୋଗକୁ ଗ୍ରହଣ କରି ଘଟଣାର ତଦନ୍ତ ଚଳାଇଥିବା ସାଲେପୁର ଆଇ.ଆଇ.ସି. ଦେବେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି ।
