ସାଲେପୁର : ଆଜି ସକାଳୁ ଲଘୁଚାପ ଜନିତ ମୂଷଳ ଧାରାରେ ବର୍ଷା ହେବାରୁ ସାଲେପୁର ଅଞ୍ଚଳ ସମେତ ଗ୍ରାମାଞ୍ଚଳର ତଳିଆ ଅଞ୍ଚଳ ରାସ୍ତାଘାଟ ଓ ଚାଷ ଜମି ଜଳମଗ୍ନ ହୋଇଯାଇଛି । ସାଲେପୁର ସହରରେ ରାସ୍ତା ଉପରେ ଆଣ୍ଠୁଏ ଲେଖା ପାଣିର ସୁଅ ଛୁଟିଥିବାରୁ ପଥଚାରୀମାନେ ଯାତାୟତରେ ଘୋର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ସାଲେପୁର ସହରରେ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ବର୍ଷାଦିନେ ବର୍ଷା ପାଣି ନିଷ୍କାସିତ ହୋଇପାରୁନାହିଁ । ସାଲେପୁର ତହସିଲ କାର୍ଯ୍ୟାଳୟ, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପରିସର ସମେତ ସାଲେପୁର ହାଟ ପରିସର, ସାଲେପୁର ପାର୍କ, ହାଇସ୍କୁଲ ପଡ଼ିଆ, ମଧୁସ୍ମୃତି ଭବନ ଚାରିକଡ଼, ସାଲେପୁର-କୁଆଁପାଳ ରାସ୍ତାର ଚନ୍ଦ୍ରାଦେଇପୁର ସ୍କୁଲ ଠାରୁ ଲୁଣାହାର ପୋଲ ପର୍ଯ୍ୟନ୍ତ ପ୍ରାୟ ୨ଶହ ମିଟର ରାସ୍ତାରେ ୩ଫୁଟର ପାଣି ଚାଲୁଛି, ଅରବିନ୍ଦ ସ୍କୁଲ ପରିସର ସମେତ ମାଛୁଆତି ଗ୍ରାମ ରାସ୍ତାର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପାଣି ସୁଅ ଚାଲିଥିବାବେଳେ ସାଲେପୁର ଗ୍ରାମାଞ୍ଚଳର ଖାଲୁଆ ଅଞ୍ଚଳରେ ଥିବା ଗ୍ରାମମାନଙ୍କରେ ପାଣି ଜମି ରହିଥିବାବେଳେ ଶହ ଶହ ଏକର ଚାଷ ଜମିରେ ପାଣି ଜମି ରହିଛି ।
ଅପର ପକ୍ଷରେ କେତେକ ବ୍ୟକ୍ତି ରାସ୍ତାର ଉଭୟ ପାଶ୍ୱର୍କୁ ଜବରଦଖଲ କରି ଡ୍ରେନେଜ୍କୁ ପୋତି ପାଚେରୀ ଓ ପାଇଖାନା ଟାଙ୍କି ନିର୍ମାଣ କରିବାରୁ ବର୍ଷା ଦିନେ ବର୍ଷା ପାଣି ନିଷ୍କାସିତ ହୋଇପାରୁନାହିଁ । ଅପର ପକ୍ଷରେ ସାଲେପୁର ବଜାରର ଅଳ୍ପ କେତେକ ସ୍ଥାନରେ ପ୍ରଶାସନ ପକ୍ଷରୁ ଡ୍ରେନେଜ୍ ନିର୍ମାଣ କରାଯାଇଥିଲେ ମଧ୍ୟ ଏହାର ରକ୍ଷଣା ବେକ୍ଷଣ ଅଭାବରୁ ଏହା ପୋତି ହୋଇଯାଇଥିବାରୁ ଡ୍ରେନେଜ ଦେଇ ବର୍ଷା ପାଣି ନିଷ୍କାସିତ ହୋଇପାରୁନଥିବାରୁ ସାଲେପୁର ବଜାରରେ ଆଣ୍ଠୁଏ ଲେଖାଁ ପାଣି ଜମି ରହୁଛି ।