Odisha news

ରାଇସୁଙ୍ଗୁଡ଼ା ସେସୁ କାର୍ଯ୍ୟାଳୟରୁ ୨ଲକ୍ଷ ୬୦ ହଜାର ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାଶ ଏଜେନ୍ସି କର୍ମଚାରୀଙ୍କ ସହ ୩ ଗିରଫ୍

0

ସାଲେପୁର: ସାଲେପୁର ସେସୁ ଡ଼ିଭିଜନ ଅଧିନ ରାଇସୁଙ୍ଗୁଡ଼ା ସେସୁ ସେକ୍ସସନ କାର୍ଯ୍ୟାଳୟରୁ ଗତ ଫେବୃୟାରୀ ୨୬ ତାରିଖ ଦିନ ୧୨ଟାରେ ଦୁଇ ଜଣ ଦୁର୍ବୃତ୍ତ ଏକ କଳା ପଲସରରେ ଆସି ବନ୍ଧୁୂକ ଦେଖାଇ ୨ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଇଥିଲେ । ଘଟଣା ବିଷୟରେ ସେକ୍ସସନର କନିଷ୍ଠଯନ୍ତ୍ରୀ ମାନସ କୁମାର ସ୍ୱାଇଁ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ସାଲେପୁର ଥାନା ଆଇଆଇସି ଦେବେନ୍ଦ୍ର କୁମାର ମଲ୍ଲିକ୍ ଘଟଣା ସ୍ଥଳରେ ପହଞ୍ଚି ବିଲ ଆଦାୟ ଦାୟିତ୍ୱରେ ଥିବା ୟୁନିକର୍ଣ୍ଣ ଏଜେନ୍ସିର କର୍ମଚାରୀ ମାର୍ଶାଘାଇ ଅଞ୍ଚଳର ଶୁଭଜିତ୍ ମହାପାତ୍ରଙ୍କୁ ସନେ୍ଦହରେ ଥାନାକୁ ଆଣି ପଚରା ଉଚରା କରିଥିଲେ ।

ପରେ ଘଟଣାର ଛାନଭିନ୍ କରି ଏଜେନ୍ସିର କର୍ମଚାରୀ ଶୁଭଜିତ୍ ମହାପାତ୍ର , ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳ ଅଳାଭର ଗ୍ରାମର ରାକେଶ ଦାଶ, ସେହି ଥାନା ଅଞ୍ଚଳ ପୋଦରୁଆଁ ଗ୍ରାମର ବିକାଶ ନାୟକଙ୍କୁ ଗିରଫ୍ କରିବା ସହ ତାଙ୍କ ଠାରୁ ୧ଲକ୍ଷ ୬୪ ହଜାର ଟଙ୍କା, ଏକ ଖେଳଣା ବନ୍ଧୁକ, ଛୁରୀ , ୪ଟି ମୋବାଇଲ, ମନିପର୍ସ , ଏଟିଏମ୍ କାର୍ଡ଼ ଓ ବିଲ ଆଦାୟ ବହିକୁ ଜବତ କରାଯାଇଥିବା ବିଷୟ ଆଜି ସାଲେପୁର ଥାନାରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ସାଲେପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ନିମାଇଁ ସେଠୀ, ଆଇଆଇସି ଦେବେନ୍ଦ୍ର କୁମାର ମଲ୍ଲିକ୍ ପ୍ରକାଶ କରିଛନ୍ତି । ରାକେଶକୁ ଓ ବିକାଶକୁ ପୁଲିସ୍ କେନ୍ଦୁପାଟଣାରୁ ଗିରଫ୍ କରିଥିବା ବେଳେ ଶୁଭଜିତକୁ ସାଲେପୁରରୁ ଗିରଫ୍ କରାଯାଇଛି ।

ରାକେଶ ଦାଶ ଜଣେ ଅନ୍ତଜିଲ୍ଲା ଡ଼କାୟତ ଓ ତା’ ନାମରେ ବାଲିକୁଦା ଓ ରଘୁନାଥପୁର ଥାନାରେ ଏକାଧିକ ସଂଗୀନ୍ ମାମଲା ରହିଛି । ଶୁଭଜିତ୍ ଏହି ଦୁଇଜଣଙ୍କ ଦ୍ୱାରା ଟଙ୍କା ଲୁଟ୍ କରିବା ପାଇଁ ବହୁ ପୂର୍ବରୁ ଯୋଜନା କରିଥିବାର ଠୋସ୍ ପ୍ରମାଣ ପୋଲିସର ହସ୍ତଗତ ହୋଇଛି । କେଶ୍ ନଂ-୮୬/୨୦ରେ ୩ ଅଭିଯୁକ୍ତଙ୍କୁ ଗିରଫ୍ କରାଯାଇ କୋର୍ଟ ଚାଲଣ କରାଯିବା ସହ ଜେଲକୁ ପଠାଇ ଦିଆଯାଇଛି ।

Leave A Reply