Odisha news

ସାଲେପୁର: କୌଣସି କାର୍ଯ୍ୟ ନଥିଲେ ସାଧାରଣ ଲୋକଙ୍କ ପାଇଁ ତହସିଲ ଓ ବ୍ଲକ୍ କାର୍ଯ୍ୟାଳୟ ମନା

0

ସାଲେପୁର : ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନଥିଲେ ତହସିଲ ଓ ବ୍ଲକ୍ କାର୍ଯ୍ୟାଳୟକୁ ସାଧାରଣ ଲୋକମାନେ ଆସିବାପାଇଁ ବାରଣ କରାଯାଇଥିବା ଜଣାଯାଇଛି । ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀମାନେ କରୋନା ପଜିଟିଭ୍ ବାହାରିବା ପରେ ସାଲେପୁର ବ୍ଲକ୍ ଓ ତହସିଲ ପ୍ରଶାସନ ପକ୍ଷରୁ ଏହି ପନ୍ଥା ଗ୍ରହଣ କରାଯାଇଛି । ପୂର୍ବଭଳି ତହସିଲ କାର୍ଯ୍ୟାଳୟରେ ତହସିଲଦାରଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ପୂର୍ବପରି କାର୍ଯ୍ୟାଳୟ ଖୋଲା ରହିଛି । କିନ୍ତୁ କରୋନା ସଂକ୍ରମଣକୁ ଆଖିଆଗରେ ରଖି ସର୍ବସାଧାରଣମାନଙ୍କୁ ଏହି କାର୍ଯ୍ୟାଳୟକୁ ଆସିବାପାଇଁ ବାରଣ କରାଯାଇଛି । ଯଦି କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନଥାଏ, ତେବେ କେହି ଅଯଥାରେ କାର୍ଯ୍ୟାଳୟକୁ ଆସି ଭିଡ଼ ନଜମାଇବାପାଇଁ ତହସିଲଦାର ଦିବ୍ୟଜ୍ୟୋତି ଦେଓ ପ୍ରକାଶ କରିଛନ୍ତି ।

ସେହିପରି ସାଲେପୁର ବ୍ଲକ୍ର ସମସ୍ତ କାର୍ଯ୍ୟାଳୟ ଖୋଲା ରହିଥିବାବେଳେ ସମସ୍ତ କର୍ମଚାରୀ ଓ ଅଧିକାରୀମାନେ ଉପସ୍ଥିତ ରହି ସରକାରୀ କାର୍ଯ୍ୟ ପୂର୍ବଭଳି ଚଳାଇଛନ୍ତି । କିନ୍ତୁ ଅଧିକାଂଶ ସମୟରେ ଲୋକମାନେ କୌଣସି କାର୍ଯ୍ୟ ନଥାଇ ଅଯଥାରେ ବ୍ଲକ୍ କାର୍ଯ୍ୟାଳୟରେ ଭିଡ଼ ଜମାଉଛନ୍ତି । ତେଣୁ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନଥିଲେ କୌଣସି ବ୍ୟକ୍ତି ବ୍ଲକ୍ କାର୍ଯ୍ୟାଳୟକୁ ନଆସିବାପାଇଁ ପରାମର୍ଶ ଦିଆଯାଇଛି । ଯଦି କୌଣସି ବ୍ୟକ୍ତିର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥାଏ, ତେବେ ସାଲେପୁର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ କାର୍ଯ୍ୟ ସଂପର୍କରେ ତାଙ୍କ ହ୍ୱାଟ୍ସଆପ୍ ନଂରେ ଯୋଗାଯୋଗ କରିବା ସହ ମୁଖ୍ୟ ଫାଟକ ନିକଟରେ ବସାଯାଇଥିବା ସୂଚନା ବାକ୍ସରେ ତାଙ୍କର ସମସ୍ୟା ଲେଖି ଜଣାଇଲେ ସେମାନଙ୍କ କାର୍ଯ୍ୟ କରାଯିବ ବୋଲି ବିଡ଼ିଓ ଦେବରାଜ ସେଠୀ ପ୍ରକାଶ କରିଛନ୍ତି । ଏବେ ରାଜ୍ୟରେ ବିଭିନ୍ନ ବ୍ଲକ୍ କାର୍ଯ୍ୟାଳୟଠାରୁ ଆରମ୍ଭ କରି ତହସିଲ, ଥାନା ଆଦି କାର୍ଯ୍ୟାଳୟରେ କର୍ମଚାରୀମାନେ କରୋନା ପଜିଟିଭ୍ ବାହାରିବା ପରେ ଏହି ପନ୍ଥା ଗ୍ରହଣ କରାଯାଇଥିବା ଜଣାଯାଇଛି ।

Leave A Reply