ସାଲେପୁର ୧୦.୦୨: କଟକ କେନ୍ଦ୍ର ସମବାୟ ବ୍ୟାଙ୍କ୍ ସାଲେପୁର ଶାଖାର ପିଅନ (ମେସେଜର) ରମେଶ କୁମାର ରାଉତ (୫୫)ଙ୍କର ମୃତ ଦେହ ଆଜି ପୂର୍ବାହ୍ନରେ ବ୍ୟାଙ୍କ କାର୍ଯ୍ୟାଳୟ ଛାତ ଉପରୁ ଉଦ୍ଧାର କରାଯାଇଛି । ମୃତକ ଆତ୍ମ ହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ସନେ୍ଦହ ସୃଷ୍ଟି କରିଛି । ଘଟଣାରୁ ପ୍ରକାଶ ମୃତ ରମେଶ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ୍ ସାଲେପୁର ଶାଖାରେ ଦୀର୍ଘ ୨୦ବର୍ଷରୁ ଉଦ୍ଧ୍ୱର୍ ହେଲାଣି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟକରୁଥିଲେ । ଆଜି ବ୍ୟାଙ୍କ ଖୋଲିଲା ପରେ ରମେଶ ଆସି ନଥିବାରୁ ତାଙ୍କ ମୋବାଇଲକୁ ବ୍ୟାଙ୍କ୍ ପକ୍ଷରୁ ଯୋଗାଯୋଗ କରାଯାଇଥିଲା । ମାତ୍ର ମୋବାଇଲ ସିଇଚଅପ୍ ଥିଲା । ପରେ ବ୍ୟାଙ୍କ୍ରେ ପ୍ରତିଦିନ ଭଳି ବ୍ୟାଙ୍କ୍ କାର୍ଯ୍ୟ ଆରମ୍ଭ ପୂର୍ବରୁ କାର୍ଯ୍ୟାଳୟ ଭିତରେ ଥିବା ଠାକୁରଙ୍କ ଫଟୋ ଚିତ୍ରରେ ଧୂପ ଦିଆଯିବା ସହିତ କାର୍ଯ୍ୟାଳୟ ଛାତ ଉପରେ ରଖାଯାଇଥିବା ତୁଳସୀ ଚଉରା ମୁଳେ ଧୂପ ଦେବାକୁ ଗଲା ବେଳେ ଛାତ ଉପରେ ଥିବା ଲୁହା କବାଟ ଭିତର ପଟୁ ବନ୍ଦ ରହିଥିବାରୁ ଅନ୍ୟବାଟେ ଛାତକୁ ଯିବା ପରେ ରମେଶଙ୍କର ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ବ୍ୟାଙ୍କ୍୍ ପକ୍ଷରୁ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ସାଲେପୁର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତକରି ଏକ ମାମଲା ରଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଣଟାର ତଦନ୍ତ ଜାରି ରଖିଛନ୍ତି । ମୃତ ରମେଶଙ୍କର ଘର ନେମାଳ ଥାନା ଅଧିନ ପୁରୁଣାପାରି ଗ୍ରାମରେ ହୋଇଥିବା ବେଳେ ତାଙ୍କର ଆଉ ୫ବର୍ଷ ଚାକିରୀ ଥିବା ଜଣାପଡ଼ିଛି । ରମେଶ ଜଣେ ମେଳାପି ବ୍ୟାକ୍ତି ଭାବେ ପରିଚିତ ଥିଲେ । ପ୍ରକାଶଥାଉକି ଗତ ଦୁଇ ସପ୍ତାହ ତଳେ ରାତିରେ ସେ ଯାଉଥିବା ବେଳେ କେନ୍ଦୁପାଟଣା ଠାରେ ତାଙ୍କ ଉପରେ ମରଣାତ୍ମକ ଆକ୍ରମଣ ହୋଇଥିଲା । ସ୍ୱର୍ଗତ ରମେଶଙ୍କ ପାଇଁ ବ୍ୟାଙ୍କ୍ ର କର୍ମଚାରୀମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।