ସାଲେପୁର : ଆଜି ସାଲେପୁର ତହସିଲଦାରଙ୍କ ନିର୍ଦେଶ କ୍ରମେ ସାଲେପୁର ଅଞ୍ଚଳରେ ବେଆଇନ୍ ଭାବେ ବାଲି ଚାଲାଣ କରୁଥିବା ୨ଟି ହାଇୱା ଓ ୪ଗୋଟି ଟ୍ରାକ୍ଟର ଏବଂ ୩ଟି ବୋଲ୍ଡର ବୋଝେଇ ଟ୍ରକ୍କୁ ଜବତ କରିବା ସହ ୧ଲକ୍ଷ ୬୩ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରାଯାଇଥିବା ତହସିଲ ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି ।
ସାଲେପୁର ଅଞ୍ଚଳରେ ନିୟମିତ ହାଇୱା, ଟ୍ରାକ୍ଟର, ଟ୍ରକ୍ ଆଦିରେ ବେଆଇନ୍ ଭାବେ ସାଲେପୁର ଅଞ୍ଚଳ ସମେତ ବିଭିନ୍ନ ଅଞ୍ଚଳକୁ ବାଲି, ପଥର ଓ ବୋଲଡର ଚୋରା ଚାଲାଣ ଜୋରଦାରରେ ଚାଲିଥିବାରୁ କଟକ ସଦର ଉପଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ସାଲେପୁର ତହସିଲଦାର ଦିବ୍ୟଜ୍ୟୋତି ଦେଓଙ୍କ ନେତୃତ୍ୱରେ ତହସିଲ କାର୍ଯ୍ୟାଳୟର କର୍ମଚାରୀ କୃପାସିନ୍ଧୁ ପ୍ରଧାନ, ସଂଜୟ ନାୟକ, ରଣଜିତ୍ କୁମାର ବେହେରାଙ୍କ ସମେତ ଏନ୍ଫୋର୍ସମେଣ୍ଟ୍ ଟିମ୍ର କର୍ମକର୍ତ୍ତାମାନେ ସାଲେପୁରର ବାରବୋଡ଼ିଆ, କାଠାହାର ଆଦି ବାଲିଘାଟରୁ ବାଲି ଚାଲାଣ କରୁଥିବାବେଳେ ଏବଂ ବିଭିନ୍ନ ଅଞ୍ଚଳରୁ ପଥର ଓ ବୋଲଡର ଚାଲାଣ କରିବାକୁ ଆଣୁଥିବା ମୋଟ୍ ୯ଗୋଟି ଗାଡ଼ିକୁ ଜବତ କରିବା ସହ ସେମାନଙ୍କ ନିକଟରୁ ୧ଲକ୍ଷ ୬୩ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାଯାଇଛି