ସାଲେପୁର, : ଆଜି ସାଲେପୁର ପୁଲିସ ସାଲେପୁର ବ୍ଲକ୍ର ନାନେ୍ଦାଳଗଡ଼ା ବଜାର ନିକଟ ୪ନଂ କେନାଲରୁ ଏକ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ ଆଜି ସକାଳେ ସାଲେପୁର ବଜାରର ନାନେ୍ଦାଳ ବଜାର ନିକଟରେ ୪ନଂ କେନାଲରେ ଏକ ବ୍ୟକ୍ତିଙ୍କ ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ସାଲେପୁର ପୁଲିସ ଦମକଳ ବାହିନୀର ସହାୟତାରେ ଶବଟିକୁ ଉଦ୍ଧାର କରି ସାଲେପୁର ଥାନାରେ ୨୫/୨୦୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବଟିକୁ ବ୍ୟବଚ୍ଛେଦ ପାଇଁ କଟକ ପଠାଇଥିଲେ ।
ଅପର ପକ୍ଷରେ ଏହି ଶବଟି ଜଗତ୍ସିଂହପୁର ଜିଲ୍ଲା ତିହୁଡ଼ି ଗ୍ରାମର ଶିଶିର କୁମାର ରାଉତ(୩୭)ଙ୍କର ବୋଲି ତାଙ୍କ ଭାଇ ଆସି ଶବଟିକୁ ଚିହ୍ନଟ କରିଥିଲେ । ପ୍ରକାଶ ଯେ ଶିଶିର ଦୀର୍ଘଦିନ ଧରି ଜଗତପୁରଠାରେ ରହି ଏକ ପ୍ଲାଷ୍ଟିକ୍ କମ୍ପାନୀରେ କାର୍ଯ୍ୟ କରୁଥିବାବେଳେ ଗତ କାଲି ସନ୍ଧ୍ୟାରେ କୌଣସି କାରଣରୁ କେନ୍ଦ୍ରାପଡ଼ା କେନାଲରେ ବୁଡ଼ି ଯାଇଥିଲେ । ତାଙ୍କୁ ଦମକଳ ବାହିନୀ ଓ ଓଡ୍ରାଫ୍ ଟିମ୍ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା । ଆଜି କେନ୍ଦ୍ରାପଡ଼ା କେନାଲର ୪ନଂ ଶାଖା କେନାଲରେ ଶବଟି ଭାସି ଆସି ନାନେ୍ଦାଳ ବଜାର ନିକଟରେ ଲାଗିଥିବା ଦେଖାଯାଇଥିଲା ।