ସାକ୍ଷୀଗୋପାଳ : ନବ ଦିନ ବ୍ୟାପି ଯାତ୍ରାରେ ଆସି ଚନ୍ଦନ ମଣ୍ଡପରେ ଅବସ୍ଥାନ କରିଥିବା ଠାକୂରଅଜା ଶ୍ରୀ ଶ୍ରୀ ସିଦ୍ଧ ବଳରାମ ଦେବ ବୁଧବାର ଵକୁଳବନ ସ୍ଥିତ ନିଜ ମନ୍ଦିର କୁ ରଥରେ ବାହୁଡି ଯାଇଛନ୍ତି। ଫେରିବା ବାଟରେ ସାକ୍ଷୀଗୋପାଳ ଠାକୁରଙ୍କ ମହାସୁଆର ସ୍ବର୍ଗତ ଦାଶରଥି ଖୁଣ୍ଟିଆ ଙ୍କ ଘରେ ପୋଢପିଠା ଭୋଗଲାଗି କରାଯାଇଥିଲା। ବିରି, ଅରୂଆ ଚାଉନ, ଗୁଡ, ନଡିଆ, ଅଳେଇଚ, ଲବଙ୍ଗ, ଗୋଲମରିଚ ଆଦି ମଶଲା ଗୁଣ୍ଡ , ଭଲଘିଅ, କର୍ପୁର ମିଶ୍ରଣ କରି ମହାସୁଆର ଘର କୁଳବଧୁ ମାନେ ଅଜାଙ୍କ ପାଇଁ ଶ୍ରଦ୍ଧାରେ ପୋଡପିଠା ପ୍ରସ୍ତୁତି କରିଥିଲେ। ଦୈନନ୍ଦିନ ଦେବନୀତି ମଧ୍ୟରେ ମଙ୍ଗଳ ଆଳତୀ, ଅବକାଶ, ବାଳ ଭୋଗ ପରେ ମଧ୍ୟାହ୍ନରେ ଚକା ଛାଡ଼ ଖେଚୁଡ଼ି ଭୋଗ ଅନୁଷ୍ଠିତ ହୋଇଥିଲା l ଅପରାହ୍ନରେ ଛେରା ପହଁରା ନୀତି ପରେ ଘଣ୍ଟ, ଘଣ୍ଟି, କାହାଳୀ, ମୃଦଙ୍ଗ ଵାଦ୍ୟ ମଧ୍ୟରେ ଠାକୁରଙ୍କ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିଲା l ଶ୍ରଦ୍ଧାଳୁ ଓ ଛୋଟ ଛୋଟ ପିଲାମାନେ ଚନ୍ଦନ ମଣ୍ଡପ ନିକଟରୁ ରଥ ଟାଣି ନେଇଥିଲେ l ନବ ଦିନ ଅଵସ୍ଥାନ ସମୟରେ ଆଖପାଖ ଲୋକେ ଆଡପ ମଣ୍ଡପ ଭୋଗ ଲାଗି କରିବା ସହିତ କିଛି କିଛି ଶ୍ରଦ୍ଧାଳୁ ପ୍ରତ୍ୟହ ଆଡପ ଦର୍ଶନ କରିଥିଲେ। ସାକ୍ଷୀଗୋପାଳ ମନ୍ଦିର ପ୍ରଶାସନ ତରଫରୁ ଏହି ସୁସଜ୍ଜିତ ରଥ ନିର୍ମାଣ କରାଯାଇଥିଲା l ସେବାୟତ ଦେଵରାଜ ପଣ୍ଡା, ଵ୍ରଜରାଜ ପଣ୍ଡା ଓ ଅନ୍ୟମାନେ ଠାକୁରଙ୍କ ଦେବନୀତି ସମ୍ପାଦନା କରିଥିଲେ l ବିଷ୍ଣୁ ପ୍ରସାଦ ଦାଶ ଠାକୁରଙ୍କୁ ଅଧରପଣା ଭୋଗ ଲାଗିକରି ବିତରଣ କରିଥିଲେ। ରଥଟଣା ସମୟରେ ମନ୍ଦିର କର୍ମଚାରୀ ଙ୍କ ସହିତ କାହାଳିଆଆ, ବିଶ୍ଵକର୍ମା, ମଣ୍ଡଣି ସୁଆଁସିଆ, ଵାଜାଵାଲା, ଭୋଇ ସେଵାୟତ ମାନେ ରଥଚଳା କାର୍ଯ୍ୟରେ ସହଯୋଗ କରିଥିଲେ।