Odisha news

ରାଜସ୍ଥାନ ରାଜନୀତିରେ ସଚିନ ପାଇଲଟ ….

0

ନୂଆଦିଲ୍ଲୀ:ରବିବାର ସକାଳେ ନିଜର ପ୍ରାୟ ୧୫ ଜଣ ସମର୍ଥକ ବିଧାୟକଙ୍କୁ ସାଙ୍ଗରେ ଧରି ପାଇଲଟ୍‌ ଦିଲ୍ଲୀରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ ତୁରନ୍ତ ରାଜସ୍ଥାନ ଫେରିଯିବା ପାଇଁ କଂଗ୍ରେସ ହାଇକମାଣ୍ଡ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପାଇଲଟ୍‌ ଏହାକୁ ଗ୍ରହଣ କରିନାହାନ୍ତି। କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିବା ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହିତ ପାଇଲଟ୍‌ ଆଜି ୪୦ ମିନିଟ୍‌ ଆଲୋଚନା କରିଛନ୍ତି। ଦିନକ ତଳେ ପାଇଲଟ୍‌ ସୋନିଆଙ୍କ ଘନିଷ୍ଠ ସହଯୋଗୀ ଅହମଦ ପଟେଲଙ୍କୁ ସାକ୍ଷାତ କରିଥିଲେ। କଂଗ୍ରେସ ନେତୃତ୍ବାଧୀନ ରାଜସ୍ଥାନ ସରକାରଙ୍କୁ ହଟାଇବା ପାଇଁ ବିଜେପି ଉଦ୍ୟମ କରୁଥିବା ଅଭିଯୋଗ ଉଠୁଥିବା ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ ପାଇଲଟ୍‌ଙ୍କ ଏଭଳି ପଦକ୍ଷେପ ଦଳରେ ଭୂକମ୍ପ ସୃଷ୍ଟି କରିଥିଲା

ମଧ୍ୟପ୍ରଦେଶରେ ରାସ୍ତାରେ ରାଜସ୍ଥାନ ରାଜନୈତିକ ଡ୍ରାମା। ଉପ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନ ପିସିସି ସଭାପତି ସଚିନ ପାଇଲଟଙ୍କ ବିଦ୍ରୋହ ଘୋଷଣା ପରେ ସରକାର ବଞ୍ଚାଇବାକୁ ଲାଗି ପଡିଛି କଂଗ୍ରେସ। ସୋନିଆ ଓ ରାହୁଲ, ସଚିନଙ୍କ ସହ ସିଧାସଳଖ କଥା ହୋଇନଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ରଖାଯାଇଥିବା କଂଗ୍ରେସ କହିଛି।

ଏଣେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଆଜି ନିଜ ଘରେ ବିଧାୟକଙ୍କ ବୈଠକ ଡାକିବା ସହ ତାଙ୍କ ନିକଟରେ ପର୍ଯ୍ୟାପ୍ତ ବହୁମତ ଥିବା ଦାବି କରିଛନ୍ତି। ସେହିପରି ସଚିନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବି ବୈଠକରେ ଜୋର ଦିଆଯାଇଛି। ଏଣେ ଗୋଠ ଏକାଠି ରଖିବାରେ ବିଫଳ କଂଗ୍ରେସ, ଘରେ ନିଆଁ ଲାଗିବା ନେଇ ବିଜେପିକୁ ଦାୟୀ କରିଛି।

ଏଭଳି ସ୍ଥିତିରେ ନିର୍ବାଚନ ପରେ ପରେ ଆରମ୍ଭ ହୋଇଥିବା ଗେହଲୋଟ-ପାଇଲଟ ଯୁଦ୍ଧ ଏବେ ନିର୍ଣ୍ଣାୟକ ମୋଡ଼ ନେଇଛି। ସଚିନଙ୍କ ପାଖରେ ୩୦ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି। ତେବେ ସଚିନଙ୍କୁ ନେଇ ଆଶା ଛାଡ଼ିନି କଂଗ୍ରେସ। ସୋନିଆ କି ରାହୁଲ ସିଧାସଳଖ କଥା ହୋଇନଥିଲେ ମଧ୍ୟ ସଚିନଙ୍କ ସହ ନିରନ୍ତର ଯୋଗାଯୋଗ ରଖାଯାଉଥିବା ଦଳ କହିଛି। ସେହିପରି ସଚିନଙ୍କ ପାଇଁ କଂଗ୍ରେସର ଦ୍ୱାର ସବୁବେଳ ଖୋଲା ଥିବା ଦଳ ବାର୍ତ୍ତା ଦେବାକୁ ଚାହିଁଛି।

ତେବେ ମୁଖ୍ୟମନ୍ତ୍ରୀ ପଦରୁ କିଛି ବି କମ୍ ହେଲେ ସେ ଗ୍ରହଣ କରିବେ ନାହିଁ ବୋଲି ସଚିନ୍ ସ୍ପଷ୍ଟ କରିଦେଇଥିବା କୁହାଯାଉଛି। ମାତ୍ର ହାଇକମାଣ୍ଡ ଏଭଳି ମୂଲଚାଲକୁ ମାନି ନେବା ସମ୍ଭାବନା ବି କମ୍। ଏଭଳି ସ୍ଥିତିରେ ଗେହଲୋଟ୍ ଆଜି ନିଜ ଘରେ ବିଧାୟକମାନଙ୍କ ବୈଠକ କରିବା ସହ ଶକ୍ତି ପ୍ରଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ୧୦୬ ବିଧାୟକଙ୍କ ସମର୍ଥନ ଥିବା ତାଙ୍କ କ୍ୟାମ୍ପ ଦାବି କରିଛି। ତେବେ ପାଇଲଟ ଏଭଳି ଦାବିକୁ ଖଣ୍ଡନ କରିବା ସହ ଗେହଲୋଟ୍ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିବା କହିଛନ୍ତି। ଏଣେ ହାଇକମାଣ୍ଡ ସଚିନଙ୍କୁ ମନାଇବା ଲାଗି ଉଦ୍ୟମ କରୁଥିବା କୁହାଯାଉଥିଲେ ମଧ୍ୟ ରାଜସ୍ଥାନ ପିସିସି ମୁଖ୍ୟାଳୟରୁ ସଚିନଙ୍କ ଫଟୋକୁ ଓହ୍ଲାଇ ଦିଆଯିବା ଭିନ୍ନ ବାର୍ତ୍ତା ଦେଉଛି।

ଏପଟେ ଘର କଳି ପ୍ରଶମିତ କରିବାରେ ବିଫଳ କଂଗ୍ରେସ ଏବେ ସିଧାସଳଖ ବିଜେପିକୁ ଟାର୍ଗେଟ୍ କରିଛି। ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ବି ବିଜେପି କଳେବଳେ କୌଶଳେ କ୍ଷମତା ହାତେଇବା ଲାଗି ଚକ୍ରାନ୍ତ କରୁଥିବା ଦଳ ଅଭିଯୋଗ କରିଛି। ଏଣେ ଗେହଲୋଟଙ୍କ କିଛି ସମର୍ଥକଙ୍କ ଘର ଉପରେ ଆଜି ଆୟକର ବିଭାଗ ରେଡ୍‌କୁ ନେଇ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଶାହଙ୍କ ଉପରେ ବର୍ଷିଛନ୍ତି ଦଳୀୟ ମୁଖ୍ୟପାତ୍ର ରଣଦୀପ ସୂର୍ଜେୱାଲା। ହୀନ ଚକ୍ରାନ୍ତ ସଫଳ ନହେବା ପରେ ବିଜେପି ଚିରାଚରିତ ଢଙ୍ଗରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିଗୁଡିକର ଅପବ୍ୟବହାର କରି ବିଧାୟକଙ୍କ ଉପରେ ଚାପ ପ୍ରୟୋଗ ଲାଗି ଉଦ୍ୟମ କରୁଥିବା ରଣଦୀପ ସୂର୍ଜେୱାଲା ଅଭିଯୋଗ କରିଛନ୍ତି।

୨୦୧୮ ନିର୍ବାଚନରେ କଂଗ୍ରେସ ସଚିନଙ୍କୁ ଆଗ କରି ରାଜସ୍ଥାନରେ ନିର୍ବାଚନ ଲଢିଥିଲା। ହେଲେ ହାଇକମାଣ୍ଡ ଭେଟେରାନ ଅଶୋକ ଗେହଲୋଟଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଥିଲେ। ଏହାକୁ ନେଇ ନିରାଶ ସଚିନ ବିଭିନ୍ନ ସମୟରେ ଅସନ୍ତୋଷ ଜାହିର କରି ଆସୁଥିଲେ। ତେବେ ଗେହଲୋଟ ସରକାରର ପତନ ଲାଗି ଷଡ଼ଯନ୍ତ୍ର ହେଉଥିବା ଅଭିଯୋଗକୁ ନେଇ ପୋଲିସ ତାଙ୍କୁ ନୋଟିସ୍ କରିବା ପରେ କ୍ଷୁବ୍ଧ ସଚିନ୍ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି।

୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ ୧୦୭ ଦଳୀୟ ଓ ୧୩ ସ୍ୱାଧୀନଙ୍କୁ ମିଶାଇ କଂଗ୍ରେସ ନିକଟରେ ୧୨୦ ବିଧାୟକଙ୍କ ସମର୍ଥନ ରହିଛି। ସେହିପରି ରାଷ୍ଟୀୟ ଲୋକତାନ୍ତ୍ରିକ ପାର୍ଟିର ୩ ଜଣଙ୍କୁ ମିଶାଇ ବିଜେପି ନିକଟରେ ୭୫ ବିଧାୟକଙ୍କ ସମର୍ଥନ ରହିଛି। ତେଣୁ ଯଦି କଂଗ୍ରେସ ସଚିନଙ୍କୁ ବହିଷ୍କାର କରେ ଏବଂ ସେ ଆବଶ୍ୟକ ସଂଖ୍ୟକ ବିଧାୟକଙ୍କ ସମର୍ଥନ ଯୋଗାଡ଼ କରିବାରେ ବିଫଳ ହୁଅନ୍ତି, ସେ କ୍ଷେତ୍ରରେ ଦୃଶ୍ୟପଟ କଣ ହେବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। କାରଣ ଦଳୀୟ ସମୀକରଣ ଦୃଷ୍ଟିରୁ ବିଜେପି ବି, ସଚିନଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେବା ସ୍ଥିତିରେ ନାହିଁ।

Leave A Reply