Odisha news

ରୋଜଭ୍ୟାଲି ଚିଟ୍ ଫଣ୍ଡ ଠକେଇ ଆଠ ବର୍ଷ ପରେ ଆଞ୍ଚଳିକ ମ୍ୟାନଜେର ଗିରଫ

ଭୁବନେଶ୍ୱର,(ନି.ପ୍ର): ୨୦୧୩ରେ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରୁ ୨.୮୩ କୋଟି ଠକେଇ କରିଥିବା ଅଭିଯୋଗରେ ରୋଜ୍ ଭ୍ୟାଲି ଚିଟ୍ ଫଣ୍ଡ ସଂସ୍ଥାର ଆଞ୍ଚଳିକ ମ୍ୟାନେଜର ବିକ୍ରମଜିତ ଭୌମିକଙ୍କୁ ଦୀର୍ଘ ଆଠ ବର୍ଷ ପରେ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ୍ୟ) । ପଶ୍ଚିମବଙ୍ଗ ମେଦିନାପୁରରୁ ବିକ୍ରମଜିତଙ୍କୁ ଗତକାଲି ଇଓଡବ୍ଲୁ୍ୟ ଗିରଫ କରିଥିବା ନେଇ ସୂଚନା ଦେଇଛି । ଇଓଡବ୍ଲୁ୍ୟ ସେଠାରେ ତାଙ୍କୁ କୋର୍ଟରେ ହାଜର କରିବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣି ବାଲେଶ୍ୱର ଓପିଆଡି କୋର୍ଟରେ ହାଜର କରାଯାଇଛି । ତାଙ୍କର ଜାମିନ୍ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ଜେଲ ପଠାଇ ଦିଆଯାଇଛି ।

୨୦୧୦ରୁ ୨୦୧୩ ମଧ୍ୟରେ କୋଲକାତାର ଏହି କମ୍ପାନୀ ବାଲେଶ୍ୱର ଏବଂ ସୋର ଅଞ୍ଚଳରେ ଅଧିକ ସୁଧ ଦେବା ଆଳରେ ଲୋକମାନଙ୍କ ଠାରୁ ବିଭିନ୍ନ ଯୋଜନାରେ ଟଙ୍କା ଜମା ରଖିଥିଲା । କମ୍ପାନୀ ସେହି ସମୟରେ ପଶ୍ଚିମବଙ୍ଗ, ବାଲେଶ୍ୱର , ସୋର ଅଞ୍ଚଳରେ ବିଭିନ୍ନ ଶାଖା ମଧ୍ୟ ଖୋଲିଥିଲା । ଏ ନେଇ ଅଭିଯୋଗ ପରେ ବାଲେଶ୍ୱର ଥାନାରେ ଏକ ମାମଲା(୧୮୨/୧୩) ରୁଜୁ ହୋଇଥିଲା । ପରେ ଏହି ମାମଲାର ତଦନ୍ତ ଭାର ଇଓଡବ୍ଲୁ୍ୟ ନେଇଥିଲା । ୨୦୧୩ରେ ଇଓଡବ୍ଲୁ୍ୟରେ ଏ ନେଇ ଏକ ମାମଲା(୧୫/୧୩) ରୁୁଜୁ ହୋଇଥିଲା । ଇଓଡବ୍ଲୁ୍ୟ ମାମଲାର ତଦନ୍ତ କରି ଜାଣିବାକୁ ପାଇଥିଲା ଯେ ଏହି ସଂସ୍ଥା ଓଡ଼ିଶାରୁ ମୋଟ ୨ କୋଟି ୮୨ ଲକ୍ଷ ଟଙ୍କାର ଠକେଇ କରିଛି । ସେତେବେଳେ ସଂସ୍ଥାର ଆଞ୍ଚଳିକ ମ୍ୟାନଜେର ଥିଲେ ବିକ୍ରମଜିତ ଭୌମିକ । ତାଙ୍କ ନାଁରେ ମାମଲା ରୁଜୁ ହେବା ପରେ ସେ ସେବେଠାରୁ ଫେରାର ଥିଲେ ।

ସୂଚନାଯୋଗ୍ୟ, ଏହି ମାମଲାରେ ପୂର୍ବରୁ ଇଓଡବ୍ଲୁ୍ୟ ରୋଭ ଭ୍ୟାଲି ଚିଟ୍ ଫଣ୍ଡ ସଂସ୍ଥାର ଅଧ୍ୟକ୍ଷ ଚୌତମ କୁଣ୍ଡୁ ଏବଂ ନିଦେ୍ର୍ଦଶକ ଶିବମୟ ଦତ୍ତଙ୍କୁ ଗିରଫ କରିଥିଲା । ପରେ ସୋର ଶାଖାର ମ୍ୟାନଜେର ବାଦଲ ଚନ୍ଦ୍ର କରଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ତେବେ ମୋଟ ଉପରେ ଉକ୍ତ ସଂସ୍ଥାର ୮୩ କୋଟି ବ୍ୟାଙ୍କ ଜମା ଏବଂ ୧୧ କୋଟିର ସମ୍ପତ୍ତି ଠାବ କରାଯାଇଥିଲା । ଏ ନେଇ ୨୦୧୧ ମସିହାରେ ଇଓଡବ୍ଲୁ୍ୟ ୪ଟି ଚାର୍ଜସିଟ୍ ଦାଖଲ କରିଥିଲା ।
ସୂଚନାଯୋଗ୍ୟ ଯେ, ଏହି ମାମଲାରେ ୨୦୧୯ ନଭେମ୍ବର ୨୯ରେ ଶୁଭ୍ରାଙ୍କୁ ଇଡି “ଲୁକ୍ ଆଉଟ’ ନିଦେ୍ର୍ଦଶ ଜାରି କରିଥିଲା । ଏହା ପରେ ୨୦୨୧ରେ ଜାନୁଆରି ୧୫ରେ ରୋଜଭ୍ୟାଲିର ମୁଖ୍ୟ ଗୌତମକୁଣ୍ଡୁଙ୍କ ସ୍ତ୍ରୀ ଗିରଫ ହୋଇଥିଲେ ।

ଏଥିସହ ଗୌତମଙ୍କ ୨୩୦୦ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରାଯାଇଥିଲା । ଯେଉଁଥିରେ ହୋଟେଲ, ରିସର୍ଟ ଆଦି ରହିଛି । ରୋଜ୍ ଭ୍ୟାଲି ସାଥି ୨୭ଟି କମ୍ପାନୀ ମାଧ୍ୟରେ ଚିଟଫଣ୍ଡ ସ୍କାମ କରି ଲୋକଙ୍କୁ ଲୁଟୁଥିଲା । ରୋଜଭ୍ୟାଲି ଗ୍ରୁପ୍ ୧୫ହଜାର କୋଟିର ସ୍କାମ କରିଥିବା ଅଭିଯୋଗ ହୋଇଥିଲା । ରୋଜଭ୍ୟାଲି ୨୭ଟି କମ୍ପାନୀ ଖୋଲି ଏମାନଙ୍କ ଜରିଆରେ ଚିଟଫଣ୍ଡ ଠକେଇ କରି ଲୋକଙ୍କୁ ଲୁଟୁଥିଲା । ରୋଜଭ୍ୟାଲି ଗ୍ରୁପ ୧୫ ହଜାର କୋଟିର ଠକେଇ କରିଥିବା ଅଭିଯୋଗ ହୋଇଥିଲା

Comments are closed.