Odisha news

ଶୁଖି ଯାଉଛି ମୟୁରଭଞ୍ଜର ଜୀବନ ରେଖା ବୁଢାବଳଙ୍ଗ

0
ବେତନଟୀ :  ଗ୍ରୀଷ୍ମଋତୁ ଆରମ୍ଭରୁ ଶୁଖିଲା ପଡିଛି ବୁଢ଼ାବଳଙ୍ଗ ନଦୀ l ଯାହାକୁ ନେଇ ଏବେ ଚିନ୍ତାରେ ମୟୁରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ ଅଧୀନ ଲକ୍ଷାଧିକ ନଦୀକୂଳିଆ l ସ୍ଥିତି ଏଭଳି ହୋଇଛି ଯେ କୋଉଠି ନଦୀ ମଝିରେ ଘାସ ଓ ଗ୍ଲୁ୍ମ ଜାତୀୟ ଗଛ ଉଠି ପୋତି ଗଲାଣି ତ ଆଉ କୋଉଠି ମରୁଭୂମି ପାଲଟିଛି  ବାଲୁକା ବୁଢ଼ାବଳଙ୍ଗ ପଠା l ଚିନ୍ତାରେ ନଦୀକୁଳିଆ ମତ୍ସ୍ୟଜିବୀ, ଚାଷୀକୂଳ ଓ ସାଧାରଣ ଜନତା l
ବୁଢାବଳଙ୍ଗ, ଅର୍ଥାତ୍ ପୁରାତନ ବଳଙ୍ଗ l ଏହାର ସମୁଦାୟ ଦୈର୍ଘ୍ୟ 109ମାଇଲ ହୋଇଥିବାବେଳେ ଏହା ଶିମିଳିପାଳ ପାହାଡରେ ଅବସ୍ଥିତ ଭାରତର ସର୍ବୋଚ୍ଚ ଜଳପ୍ରପାତ ବରେହିପାଣିରୁ ବାହାରି ଶିମିଳିପାଳ ଜାତୀୟ ଉଦ୍ୟାନ ଦେଇ ବାଙ୍ଗିରିପୋଷିର କରଞ୍ଜିଆ ପର୍ଯ୍ୟନ୍ତ ଉତ୍ତର ଦିଗକୁ ପ୍ରବାହିତ ହୁଏ ଓ ଏହା ପରେ ଏହା ଉତ୍ତର-ପୂର୍ବ ଆଡକୁ ଯାଇ ଜାନକାପାହାଡ ପର୍ଯ୍ୟନ୍ତ ପ୍ରବାହିତ ହୁଏ l
ସେଠାରେ ଏହା ଦକ୍ଷିଣ ଦିଗକୁ ବଦଳାଇ କାଟ୍ରା ନାଳକୁ ଭେଟିଥାଏ l ଏହାର ଅନ୍ୟ ଉପନଦୀଗୁଡ଼ିକ ହେଉଛି ପାଲପାଲା ଏବଂ ଚିପତ୍ ହୋଇଥିବାବେଳେ ୨ଟି ଶାଖା ନଦୀ ହେଲା ସୋନ ଓ ଗଙ୍ଗାହାର l ତା’ପରେ ଏହି ନଦୀ ମୟୁରଭଞ୍ଜର ବାରିପଦା ସହର ଦେଇ ବଡ଼ସାହି ଓ ବେତନଟୀ ବ୍ଲକରେ ମଧ୍ୟ ଦେଇ ଯାଇଥାଏ ଏବଂ ଶେଷରେ ବାଲେଶ୍ଵର ଜିଲ୍ଲାରେ ପ୍ରବାହିତ ହୋଇ ଚାନ୍ଦିପୁର ନିକଟରେ ବଙ୍ଗୋପସାଗରରେ ପଡ଼ିଅଛି । ଏହି ନଦୀ କୂଳରେ ବେତନଟୀ ବ୍ଲକର ପ୍ରାୟତଃ ୧୫-୨୦ କିମିର ବିସ୍ତୃତ ଅଞ୍ଚଳ ଅବସ୍ଥିତ l ଦିନ ଥିଲା, ଅକାତକାତ କାଚକେନ୍ଦୁ ପାଣିରେ ହସି ଉଠୁଥିଲା ଚିରସ୍ରୋତା ବୁଢ଼ାବଳଙ୍ଗ l ନିଜେ ହସିବା ସହ ବେତନଟୀ ବ୍ଲକ ଅଧିନସ୍ଥ ପାଟୁଳିପୁରା, କଳମା ଓ ଗଡ଼ଦେଉଳିଆ ପଞ୍ଚାୟତର ଏକାଧିକ ନଦୀକୁଳିଆ ଜନଜୀବନଙ୍କ ମୁହଁରେ ବି ହସ ଫୁଟାଉଥିଲା l ଚାଷବାସ ପାଇଁ ଅମୃତର ଜଳଧାରା ଯୋଗାଇ ଦେଉଥିଲା l ସେହିଭଳି ସ୍ଥାନେ ସ୍ଥାନେ ଥିବା ନଦୀ ଗଣ୍ଡରୁ ମାଛମାରି ବର୍ଷ ଯାକ ରୋଜଗାର କରୁଥିଲେ ସ୍ଥାନୀୟ ମତ୍ସ୍ୟଜୀବି l କିନ୍ତୁ ଶୀତଦିନ ଆରମ୍ଭରୁ ଶିମିଳିପାଳରେ ବର୍ଷା ଅଭାବ ଓ ବର୍ଷା ଜଳ ସଂରକ୍ଷଣରେ ପରିଚାଳନାଗତ ତ୍ରୁଟି କାରଣରୁ ବୁଢାବଳଙ୍ଗ ନଦୀର ଏହି ଅମୃତଧାରା ଆଜି ଶୁଖିଯାଉଛି l ନା ଆଗଭଳି ଜଳପ୍ରବାହ ଦେଖିବାକୁ ମିଳୁଛି, ନା ଚାଷବାସ ହୋଇପାରୁଛି l
ନଦୀରେ ରହିଥିଲା ଅକାତ ଅକାତ ପାଣି l କିନ୍ତୁ ଖରା ଦିନ ଆରମ୍ଭରୁ ନଦୀର ଚିତ୍ର କିଛି ଅଲଗା l ଏବେ ପ୍ରାୟତଃ ଜାଗାରେ ନଦୀରେ ଆଣ୍ଠୁଏ ବି ପାଣି ନାହିଁ l ଗ୍ରୀଷ୍ମଋତୁ ଆରମ୍ଭରୁ ଜଳ ସ୍ରୋତ କମିବାରେ ଲାଗିଛି l ବିସ୍ତୀର୍ଣ୍ଣ ବୁଢ଼ାବଳଙ୍ଗ ପଠା ମରୁଭୂମି ପାଲଟିଛି l ଆଗକୁ ଆହୁରି ଗ୍ରୀଷ୍ମଋତୁ ରହିଥିବାରୁ ଖରା ବଢିବ l ଜଳ ସ୍ରୋତ କମିବାର ଦେଖି ଏବେ ଚିନ୍ତାରେ ବେତନଟୀ ବ୍ଲକର ନାଖରା, ଖଣ୍ଡଦେଉଳିଆ, ସିଙ୍ଗିଳାମୁଣ୍ଡଳୀ, ଦାରିହା, କାଠପାଳ, ପ୍ରତିମାଦେଇପୁର, ପାଟୁଳିପୁରା, ବେଲାଣପୁରା ଓ କଣ୍ଟିପୁର ଭଳି ଏକାଧିକ ଗ୍ରାମର ଶତାଧିକ ପରିବା ଚାଷୀ ଓ ମତ୍ସ୍ୟଜିବୀ l ନଦୀରେ ପାଣି ନଥିବାରୁ ପରିବାର ପ୍ରତିପୋଷ ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡିଛି l ଶେଷରେ ନିଜ କୌଳିକ ବୃତ୍ତିକୁ ଛାଡି ଗାଁର ଲୋକେ ଦାଦନ ଖଟି ବାହାର ରାଜ୍ୟକୁ ଯାଉଛନ୍ତି ବୋଲି ନଦୀକୂଳିଆ ମାଛ ଧରାଳି ଓ ଚାଷୀ କହିଛନ୍ତି  l ନଦୀର ଜଳଧାରା ଯେଉଁଆଡ଼େ ପ୍ରବାହିତ ହେଉଛି, ସବୁଆଡ଼େ କେବଳ ବାଲି, ପଙ୍କ ପଡ଼ିଆ ହିଁ ଦୃଶ୍ୟମାନ ହେଉଛି l ବର୍ଷାଦିନରେ ବନ୍ୟା ଜଳରେ କୂଳ ଲଙ୍ଘନ କରୁଥିବା ବୁଢ଼ାବଳଙ୍ଗର ଖରାଦିନେ ଏଭଳି ଦୃଶ୍ୟ କେବଳ ପରିବେଶବିତ୍‌ଙ୍କ ଉଦ୍‌ବେଗର କାରଣ ହୋଇନି, ନଦୀକୂଳିଆ ଅଞ୍ଚଳବାସୀଙ୍କୁ ବି ଚିନ୍ତାରେ ପକାଇଲାଣି l ଏଭଳି ସ୍ଥିତି ଲାଗି ରହିଲେ, ଆଗକୁ ଯେ ସ୍ଥିତି ଭୟଙ୍କର ହେବ, ଏଥିରେ ଦ୍ବିମତ ନାହିଁ ବୋଲି କହିଛନ୍ତି ବରିଷ୍ଠ ଚାଷୀ ଶିବପ୍ରସାଦ ସାମଲ l ସେହିଭଳି ଉଭୟ ଜଳ କଷ୍ଟ ଓ ବନ୍ୟାରୁ ରକ୍ଷା ପାଇବା ପାଇଁ କୌଣସି ଦୀର୍ଘ ମିଆଦୀ ଯୋଜନା କରାଯିବା ଆବଶ୍ୟକ ରହିଛି ବୋଲି ସାଧାରଣରେ ମତ ପ୍ରକାଶ କରିଛନ୍ତି l
Leave A Reply