ମୁମ୍ବାଇ: ଅର୍ଥନୀତି ଓ ମୁଦ୍ରାସ୍ଫୀତିକୁ ନେଇ ଆଜି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଚିନ୍ତାଜନକ ମନ୍ତବ୍ୟ ଦେଇଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ଋଣାତ୍ମକ (-) ରହିବ ବୋଲି ସେ ଆକଳନ କରିଛନ୍ତି। ଅର୍ଥାତ ଅଭିବୃଦ୍ଧି ଶୂନ ତଳକୁ ଖସିଯିବ। ଅଭିବୃଦ୍ଧିର ଆକଳନ କରିବା ଲାଗି ପୂର୍ବରୁ ମନା କରୁଥିବା ରିଜର୍ଭ ବ୍ୟାଙ୍କ ଶେଷରେ ଏକ ଆକଳନ କରିବାକୁ ଏକପ୍ରକାର ବାଧ୍ୟ ହୋଇଛି। କେବଳ ସେତିକି ନୁହେଁ, ଶକ୍ତିକାନ୍ତ କହିଛନ୍ତି ଯେ, ମୁଦ୍ରାସ୍ଫୀତି କେଉଁ ସ୍ତରରେ ରହିବ ତାହା ଆକଳନ କରିବା ଅତ୍ୟନ୍ତ କଷ୍ଟକର। କରୋନା ସଙ୍କଟ ଲାଗି ଏହା ସମ୍ପୂର୍ଣ୍ଣ ଅନିଶ୍ଚିତ ରହିଛି। ଶକ୍ତିକାନ୍ତଙ୍କ ଏଭଳି ମନ୍ତବ୍ୟ ପରେ ସାରା ଦେଶରେ ଅର୍ଥନୀତିଜ୍ଞମାନଙ୍କ ଚିନ୍ତା ବଢିଯାଇଛି।
ଅନ୍ୟପକ୍ଷରେ କରୋନା ସଙ୍କଟର ପ୍ରଭାବକୁ ହ୍ରାସ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଜି ୯ଟି ପଦକ୍ଷେପ ଘୋଷଣା କରାଯାଇଛି। ରେପୋ ହାରରେ ୦.୪୦ ପ୍ରତିଶତ ହ୍ରାସ କରାଯାଇଛି। ତେଣୁ ଋଣ ନେଇଥିବା ଗ୍ରାହକଙ୍କ ମାସିକ କିସ୍ତି (ଇଏମ୍ଆଇ) ହ୍ରାସ ପାଇବାର ସମ୍ଭାବନା ସୃଷ୍ଟି ହୋଇଛି। ଏଥି ସହିତ ଇଏମ୍ଆଇ ଉପରେ ମୋରାଟୋରିଅମ୍କୁ ମଧ୍ୟ ଆଉ ୩ ମାସ ଅର୍ଥାତ ଆସନ୍ତା ଅଗଷ୍ଟ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଗ୍ରାହକମାନେ ଚାହିଲେ ଏହି ତିନି ମାସରେ କିସ୍ତି ଦେବା ବନ୍ଦ କରିପାରିବେ। କିନ୍ତୁ, ଅଗଷ୍ଟ ୩୧ ପରଠାରୁ ପୁଣି ସେମାନଙ୍କ କିସ୍ତି ଆରମ୍ଭ ହୋଇଯିବ। ପୂର୍ବରୁ ଚଳିତ ବର୍ଷର ମାର୍ଚ୍ଚ ୧ରୁ ମେ’ ୩୧ ପର୍ଯ୍ୟନ୍ତ (ତିନି ମାସ) ପାଇଁ ଋଣ ଉପରେ ମୋରାଟୋରିଅମ୍ ସୁବିଧା ପ୍ରଦାନ କରାଯାଇଥିଲା। ସେହି ଅବଧିକୁ ଆଉ ତିନି ମାସ ବୃଦ୍ଧି କରାଯାଇଛି। ଏଥି ସହିତ କାର୍ଯ୍ୟକାରୀ ପୁଞ୍ଜି ଭାବେ ଋଣ ନେଇଥିବା ଗ୍ରାହକଙ୍କୁ ତିନି ମାସ ମୋରୋଟୋରିଅମ୍ ଅବଧି ପ୍ରଦାନ କରାଯାଇଛି। ଶ୍ରୀ ଦାସ କହିଛନ୍ତି, ଛଅ ମାସର ମୋରାଟୋରିଅମ୍ ଅବଧି ସମୟରେ ଯେଉଁ ସୁଧ ଲାଗିବ ତାହାକୁ ଗ୍ରାହକ ଚାହିଲେ ମିଆଦୀ ଋଣରେ ପରିଣତ କରିପାରିବେ।
କିସ୍ତି ପରିଶୋଧ ଉପରେ ଆଉ ୩ ମାସ ମହଲତ
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ରେପୋ ହାରରେ ୦.୪୦ ପ୍ରତିଶତ ହ୍ରାସ କରି ତାହାକୁ ୪ ପ୍ରତିଶତ ପର୍ଯ୍ୟନ୍ତ ଖସାଇ ଦିଆଯାଇଛି। ପଶ୍ଚାତଗାମୀ ରେପୋ ହାରକୁ ମଧ୍ୟ ୩.୭୫%ରୁ ହ୍ରାସ କରି ୩.୩୫ ପ୍ରତିଶତ କରାଯାଇଛି। ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପ ଦ୍ବାରା ଋଣ ନେଇଥିବା ଗ୍ରାହକମାନେ ଲାଭବାନ ହେବେ। କିନ୍ତୁ, ଏଫ୍ଡି ଆକାରରେ ଟଙ୍କା ଜମା ରଖିଥିବା ଗ୍ରାହକମାନେ କମ୍ ସୁଧ ପାଇବେ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଜି ସିଡ୍ବି ପାଇଁ ରିଫାଇନାନ୍ସ ବ୍ୟବସ୍ଥାକୁ ମଧ୍ୟ ଆଉ ୯୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏ ବାବଦରେ ସିଡ୍ବିକୁ ୧୫ ହଜାର କୋଟି ଟଙ୍କା ମିଳିବ। ବୈଦେଶିକ ପୋର୍ଟଫୋଲିଓ ନିବେଶକ (ଏଫ୍ପିଆଇ)ଙ୍କ ପାଇଁ ନିୟମ କୋହଳ କରାଯାଇଛି। ରପ୍ତାନିକାରୀମାନଙ୍କୁ ୧୫ ମାସ ଅବଧିର ଋଣ ନେବା ଅନୁମତି ପ୍ରଦାନ କରାଯାଇଛି। ଆମଦାନିକାରୀଙ୍କୁ ମଧ୍ୟ ଅର୍ଥପୈଠ କରିବା ଲାଗି ଅଧିକ ସମୟ ଦିଆଯାଇଛି। ଏକ୍ଜିମ୍ ବ୍ୟାଙ୍କ ପାଇଁ ୧୫ ହଜାର କୋଟି ଟଙ୍କାର ଋଣ ରାଶିର ବ୍ୟବସ୍ଥା କରାଯାଇଛି। ଏହା ଦ୍ବାରା ଦେଶର ଆମଦାନିକାରୀ ଓ ରପ୍ତାନିକାରୀମାନେ ଉପକୃତ ହେବେ। କନ୍ସୋଲିଡେଟେଡ୍ ସିଙ୍କିଙ୍ଗ୍ ଫଣ୍ଡ୍ରୁ ଅଧିକ ଋଣ ନେବା ଲାଗି ରାଜ୍ୟଗୁଡ଼ିକୁ ଅନୁମତି ଦିଆଯାଇଛି। ରାଜ୍ୟଗୁଡ଼ିକ ନିଜର ଦେୟଗୁଡ଼ିକୁ ଠିକ୍ ସମୟରେ ଦେବା ଲାଗି ଏହି ପାଣ୍ଠିରେ ଟଙ୍କା ଜମା ରଖିଥାନ୍ତି। ଆସନ୍ତା ୨୦୨୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରାଜ୍ୟଗୁଡ଼ିକ ଏହି ପାଣ୍ଠିରୁ ଅଧିକ ଋଣ ନେଇପାରିବେ।
କରୋନା ଭୂତାଣୁ ନିୟନ୍ତ୍ରଣ ପାଇଁ ଦେଶରେ ଜାରି ହୋଇଥିବା ଲକ୍ଡାଉନ୍ ଯୋଗୁଁ ଅର୍ଥନୈତିକ କାର୍ଯ୍ୟକଳାପ ସାଂଘାତିକ ମାତ୍ରାରେ ବାଧାପ୍ରାପ୍ତ ହୋଇଛି। ଅର୍ଥନୀତିରେ ସୁଧାର ଆଣିବା ପାଇଁ ନିକଟରେ ପ୍ରଧାନମନ୍ତ୍ରୀ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଥିଲେ। ଏହି ପ୍ୟାକେଜ୍ର ଆକାର ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ଏହା ପ୍ରାୟ ୧୦ ପ୍ରତିଶତ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପ୍ୟାକେଜ ସମ୍ପର୍କରେ ସୂଚନା ଦେବା ବେଳେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପୂର୍ବରୁ ପ୍ରଦାନ କରାଯାଇଥିବା ପ୍ୟାକେଜକୁ ମଧ୍ୟ ମିଶାଇଥିଲେ। ତେଣୁ ଅର୍ଥନୀତିକୁ ସୁଧାରିବା ଲାଗି ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ପୂରା ସହଯୋଗ ପ୍ରଦାନ କରୁଛି। ପୂର୍ବରୁ ଏପ୍ରିଲ ୩ ତାରିଖରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି ସମୀକ୍ଷା ରିପୋର୍ଟ ଘୋଷଣା କରାଯିବାର ଥିଲା। କିନ୍ତୁ ଏହା ପୂର୍ବରୁ ମାର୍ଚ୍ଚ ୨୭ ତାରିଖରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରେପୋ ହାରରେ ୦.୭୫ ପ୍ରତିଶତ ହ୍ରାସ ଘୋଷଣା କରିଥିଲେ। ସେହିଭଳି ମୁଦ୍ରାନୀତି କମିଟିର ଦ୍ବିତୀୟ ରିପୋର୍ଟ ଆସନ୍ତାମାସ ୫ ତାରିଖରେ ଆସିବାକୁ ଥିବାବେଳେ ଏହାର ଢେର କିଛିଦିନ ପୂର୍ବରୁ ରିଜର୍ଭ ବ୍ୟାଙ୍କ ନିଜଆଡ଼ୁ ତତ୍ପରତା ପ୍ରକାଶ କରି ରେପୋ ହାରକୁ ପୁଣି ୦.୪୦ ପ୍ରତିଶତ ହ୍ରାସ କରିଛି। ଶକ୍ତିକାନ୍ତ ଅର୍ଥନୀତିକୁ ବଳ ଦେବା ପାଇଁ ଦୁଇମାସରୁ କମ୍ ସମୟ ମଧ୍ୟରେ ରେପୋ ହାରରେ ୧.୧୫ ପ୍ରତିଶତ ହ୍ରାସ ଘୋଷଣା କରିଛନ୍ତି।
ଅନ୍ୟପକ୍ଷରେ ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପ ଦେଶରେ ଋଣ ପ୍ରବାହକୁ ବୃଦ୍ଧି କରିବାର ସମ୍ଭାବନା ସୃଷ୍ଟି କରିଥିଲେ ମଧ୍ୟ ଜମାକାରୀଙ୍କ ପାଇଁ ବଡ଼ ଅସୁବିଧା ସୃଷ୍ଟି କରିବା ଆଶଙ୍କା ରହିଛି। ବ୍ୟାଙ୍କ ଗୁଡ଼ିକ କମ୍ ସୁଧ ହାରରେ ଋଣ ପ୍ରଦାନ କରିବାକୁ ଥିବାରୁ ବିଭିନ୍ନ ଜମା ଉପରେ ଗ୍ରାହକଙ୍କୁ ମିଳୁଥିବା ସୁଧହାର କମିବା ସମ୍ଭାବନା ଅଧିକ।