ଭୁବନେଶ୍ୱର: କୋଭିଡ୍-୧୯ ବିଶ୍ୱର ଅନେକ ସ୍ଥାନରେ ଝଡ଼ ସୃଷ୍ଟି କରିଥିବା ବେଳେ ଏହି ବିଶ୍ୱ ମହାମାରୀର ଜୀବନଚକ୍ରକୁ ନେଇ ଇଟଂରନ୍ୟାସନାଲ୍ ମ୍ୟାନେଜମେଂଟ୍ ଇନଷ୍ଟିଚୁ୍ୟଟ୍ (ଆଇଏମ୍ଆଇ) ଭୁବନେଶ୍ୱର, ଓଡ଼ିଶା, ଭାରତର ପ୍ରଫେସର ରମେଶ ବେହେଲ, ପ୍ରଫେସର ଓ ନିର୍ଦେଶକ ଏବଂ ପ୍ରଫେସର ମନିତ ମିଶ୍ର, ଆସୋସିଏଟ ପ୍ରଫେସର ଗବେଷଣା କରିଛନ୍ତି । ସେମାନେ କରିଥିବା ସର୍ବେକ୍ଷଣ ପାଇଁ ଭାରତର ସବୁଠୁ ସଂକ୍ରମିତ ୧୦ଟି ରାଜ୍ୟର ତଥ୍ୟକୁ ନେଇ ବିଶ୍ଲେଷଣ କରିବା ପରେ ଜଣାଇଛନ୍ତି ଯେ ଏହି ବିଶ୍ୱ ମହାମାରୀ ୨୦୨୦ ସେପ୍ଟେମ୍ବରର ଶେଷ ସପ୍ତାହ କିମ୍ବା ଅକ୍ଟୋବରର ପ୍ରଥମ ସପ୍ତାହ ଆଡ଼କୁ ଶେଷ ହେବ ।
ସେମାନେ ଜଣାଇଛନ୍ତି ଯେ ମେ’, ୧୫ରୁ ୨୦ ଭିତରେ ଏହି ସଂକ୍ରମଣ ଏହାର ସର୍ବୋଚ୍ଚ ସୀମାରେ ପହଂଚିଯିବ ଏବଂ ଏହା ପରେ ହ୍ରାସ ପାଇବା ଆରମ୍ଭ ହେବ । ଏହି ସର୍ବେକ୍ଷଣ ପାଇଁ ସେମାନେ ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତରପ୍ରଦେଶ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ଓଡ଼ିଶାର ତଥ୍ୟକୁ ବିଚାରକୁ ନେଇଛନ୍ତି । ଏହି ସର୍ବେକ୍ଷଣର ନାମ ରଖାଯାଇଛି “କୋଭିଡ୍ ୧୯ ଲାଇଫ୍ସାଇକଲ୍: ପ୍ରେଡିକ୍ଟିଭ୍ ମଡେଲିଂ ଅଫ୍ ଷ୍ଟେଟସ୍ ଇନ୍ ଇଣ୍ଡିଆ’ ।
ସର୍ବେକ୍ଷଣର ନିର୍ଯ୍ୟାସରେ ପହଂଚିବା ଲାଗି ଗବେଷକମାନେ ଆଡଭାନ୍ସଡ୍ ଆନାଲିଟିକାଲ ଟୁଲସ୍ ଓ ପଦ୍ଧତିକୁ ବ୍ୟବହାର କରିଛନ୍ତି । ଆକଳନ କରିବା ଲାଗି ଏହି ସର୍ଭେରେ ୨୦୨୦ ଏପ୍ରିଲ୍ ୧ରୁ ୩୦ ପର୍ଯ୍ୟନ୍ତ ତଥ୍ୟକୁ ବ୍ୟବହାର କରାଯାଇଛି । ରାଜ୍ୟ ସ୍ତରରୁ ମିଳିଥିବା ତଥ୍ୟରେ କୋଭିଡ୍-୧୯ ପଜିଟିଭ୍ ମାମଲାରେ ପ୍ରତିଦିନ ତାରତମ୍ୟ ଦେଖିବାକୁ ମିଳୁଥିଲା । ଦ୍ୱିତୀୟରେ, ବିଭିନ୍ନ ପ୍ରକାର ଅନୁମାନ ଉପରେ ଏହି ସର୍ଭେ ପର୍ଯ୍ୟବେସିତ ଥିଲା ।
ତାହା ହେଉଛି ୧) ତଥ୍ୟ ସଂଗ୍ରହର ପ୍ରଥମ ଦିନରୁ ତିନି ମାସ ଭିତରେ ରାଜ୍ୟର କେତେ ଜନସଂଖ୍ୟା ଏହି ଭୂତାଣୁ ସଂସ୍ପର୍ଶରେ ଆସିବାର ଆଶଙ୍କା ରହିଛି । ୨) ପ୍ରତିଦିନର ସଂକ୍ରମଣକୁ ନିଶ୍ଚିତ କରିବା ଲାଗି ୨୦୨୦ ଏପ୍ରିଲ୍ ମାସରେ ପ୍ରତିଦିନର ମାଲାକୁ ଉଚ୍ଚତର ମେଡିଆନ୍ ସହିତ ତୁଳନା କରାଯାଇଛି । ୩) ସଂକ୍ରମିତ ହୋଇଥିବା ବ୍ୟକ୍ତି ତିନି ଦିନ ଭିତରେ ଅଲଗା ନହେଲେ ଅନ୍ୟମାନଙ୍କୁ ସଂକ୍ରମଣ ବାଂଟିବାର ଆଶଙ୍କା ରହିଛି । ଏବଂ ୪) ପ୍ରତି ସଂକ୍ରମିତ ବ୍ୟକ୍ତି ଦିନକୁ ୩.୨୮ ଜଣ ବ୍ୟକ୍ତିଙ୍କୁ ସଂକ୍ରମିତ କରିଛନ୍ତି ।
ଏହି ବିଶ୍ୱ ମହାମାରୀ କେବେ ଶେଷ ହେବ ତାହାର ଶେଷ ତାରିଖ ବାହାର କରିବା ଲାଗି ଗବେଷକମାନେ ସିଙ୍ଗାପୁର ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ଡିଜାଇନ (ଏସୟୁଟିଡି)ର ଡାଟା ପରିଚାଳିତ ଇନୋଭେସନ ଲ୍ୟାବ୍ର ଆକଳନକୁ ବ୍ୟବହାର କରିଛନ୍ତି । ଏସୟୁଟିଡି ଏବଂ ଆମର ଆକଳନ ଭାରତରେ ଏହି ବିଶ୍ୱ ମହାମାରୀର ଶେଷ ତାରିଖ ଆକଳନ କରିଛି । ଏହି ବିଶ୍ୱ ମହାମାରୀର ସମୟ ସୀମାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଉଥିବା ବେଳେ ଆମର ଏହି ସର୍ବେକ୍ଷଣ ଫଳାଫଳ ନୀତି ନିର୍ଧାରକମାନଙ୍କ ବ୍ୟତୀତ ନାଗରିକମାନଙ୍କ ପାଇଁ ମଧ୍ୟ ସହାୟକ ହୋଇପାରିବ ।