Odisha news

ଖଣି ଅଞ୍ଚଳକୁ ବିଭିନ୍ନ ଦିଗରୁ ସଂଯୋଗ କରୁଥିବା ୨୧ଟି ପ୍ରମୁଖ ରାସ୍ତା ପ୍ରକଳ୍ପ ଉପରେ ସରକାର ପ୍ରାଥମିକତା : ୩ ବିଭାଗକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

0

ଭୁବନେଶ୍ୱର : ଖଣି ଅଞ୍ଚଳକୁ ବିଭିନ୍ନ ଦିଗରୁ ସଂଯୋଗ କରୁଥିବା ୨୧ଟି ପ୍ରମୁଖ ରାସ୍ତା ପ୍ରକଳ୍ପ ଉପରେ ସରକାର ପ୍ରାଥମିକତା ଦେଉଛନ୍ତି। ୨୧ଟି ରାସ୍ତା ପ୍ରକଳ୍ପ ମଧ୍ୟରୁ ପୂର୍ତ୍ତ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ୬ଟି ରାସ୍ତା, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧୀନରେ ୭ଟି ରାସ୍ତା ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଦୁଇଟି ରାସ୍ତା ରହିଛି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକର କାମ ସାରିବାକୁ ତିନି ବିଭାଗକୁ ନିର୍ଦ୍ଦେଶ ‌ଦିଆଯାଇଛି।

ରାସ୍ତାଗୁଡ଼ିକର କାର୍ଯ୍ୟାନ୍ବୟନ ତ୍ବରାନ୍ବିତ କରିବା ପାଇଁ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକର ଆୟୋଜନ କରାଯାଇଥିଲା। ଭର୍ଚୁଆଲ୍‌ ମୋଡ୍‌ରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ। ବିଭିନ୍ନ କ୍ଷେତ୍ରରୁ ଆସିଥିବା ମତାମତ ଉପରେ ଆଲୋଚନା କରି ଶ୍ରୀ ତ୍ରିପାଠୀ ବିଭିନ୍ନ ପ୍ରକଳ୍ପ ପାଇଁ ସମୟ ସୀମା ନିର୍ଦ୍ଧାରଣ କରିଥିଲେ। ସ୍ଥାନୀୟ ଅର୍ଥନୀତି ଓ ଖଣିଜ ଦ୍ରବ୍ୟର ପରିବହନ ପାଇଁ ଏହି ରାସ୍ତାଗୁଡ଼ିକର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିବାରୁ ଏହାର ଅଗ୍ରଗତିକୁ ତଦାରଖ କରିବା ସହ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ପୂର୍ତ୍ତ, ଜାତୀୟ ରାଜପଥ ଓ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ସେ ନିର୍ଦ୍ଦେଶ ‌େଦଇଥିଲେ। ରାସ୍ତା ନିର୍ମାଣ ସମୟରେ ଟ୍ରାଫିକ୍‌ ପରିଚାଳନାକୁ ବ୍ୟବସ୍ଥିତ କରିବା ପାଇଁ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାପାଳଙ୍କୁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ।

ଗ୍ରାମ୍ୟ ଉନ୍ନୟନ ବିଭାଗର ଦୁଇଟି ରାସ୍ତା କାମ ୨୦୨୧ ଜୁଲାଇ ସୁଦ୍ଧା ଶେଷ ହେବ ବୋଲି ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି କେ ଜେନା କହିଥିଲେ। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବା ରାସ୍ତା କାମ ୨୦୨୨ ମାର୍ଚ୍ଚ ସୁଦ୍ଧା ବିଭିନ୍ନ ପର୍ଯ୍ୟାୟରେ ଶେଷ ହେବ ବୋଲି ସୂଚନା ଦିଆଯାଇଥିଲା। ସେହିପରି ପୂର୍ତ୍ତ ବିଭାଗର ରାସ୍ତାଗୁଡ଼ିକର କାମ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ଚାଲୁ ରହିଥିବା ବିଭାଗ ପକ୍ଷରୁ କୁହାଯାଇଥିଲା।

ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଚାଲିଥିବା ରାସ୍ତା ପ୍ରକଳ୍ପ ମଧ୍ୟରେ ଅଛି ରୁଗୁଡ଼ିରୁ କଳମଙ୍ଗା ୬ କିମି ଏବଂ କଳମଙ୍ଗାରୁ ଜରିବାହାଲ ୧୮ କିମି। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦ୍ବାରା ଚାଲିଥିବା ରାସ୍ତାଗୁଡ଼ିକ ହେଲା ପରସୋରାରୁ ରାଜାମୁନ୍‌ (ଏନ୍‌ଏଚ୍‌-୨୫୦), କେନ୍ଦୁଝରରୁ ତିଳେଇବଣି(ଏନ୍‌ଏଚ୍‌-୫୩), କଟକରୁ ସମ୍ବଲପୁର (ଏନ୍‌ଏଚ୍‌-୫୫), ବୀରମିତ୍ରପୁରରୁ ବାରକୋଟ୍‌ (ଏନ୍‌ଏଚ୍‌-୧୪୩), ରେମୁଲିରୁ ପାଣିକୋଇଲି (ଏନ୍‌ଏଚ୍‌-୨୦), ଚଣ୍ଡୀଖୋଲରୁ ତାଳଚେର (ଏନ୍‌ଏଚ୍‌-୫୩) ଏବଂ କାଲ୍‌ଟା ମାଇନ୍‌ସ୍‌ରୁ ରକ୍ସି ରେଲୱେ ସାଇଡିଂ (ଏନ୍‌ଏଚ୍‌-୨୦)। ପୂର୍ତ୍ତ ବିଭାଗର ରାସ୍ତାଗୁଡ଼ିକ ହେଲା ନେଲ୍‌ଦା – ବଡ଼ବିଲ୍‌ ୫.୬ କିମି, ବଡ଼ବିଲ୍‌ – ବଡ଼ସାହି ୮.୯ କିମି, ନୟାଗଡ଼ – ଜଜାଙ୍ଗ ୧୮ କିମି, ଟେନ୍ସା – ବର୍ସୁଆ ୧୫ କିମି ଏବଂ କରୋ ନଦୀ ଉପରେ ଏକ ପୋଲର ମରାମତି କାର୍ଯ୍ୟ।

ବୈଠକରେ ଉନ୍ନୟନ କମିସନର୍‌ ସୁରେଶ ଚନ୍ଦ୍ର ମହାପାତ୍ର, ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି କେ ଜେନା, ଖଣି ଓ ଇସ୍ପାତ ବିଭାଗର ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, ପୂର୍ତ୍ତ ବିଭାଗ ସଚିବ କ୍ରିଷନ୍ କୁମାର, ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ନୀତିନ ଭାନୁଦାସ ଜାୱଲେ, ଓଏମ୍‌ସି ପରିଚାଳନା ନିର୍ଦ୍ଦେଶକ ଭିନିଲ୍‌ କ୍ରିଷ୍ଣା, ଏନ୍‌ଏଚ୍‌ଏଆଇ ଆଞ୍ଚଳିକ ଅଧିକାରୀ ଆର୍‌ ପି ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Nalco
Leave A Reply