Odisha news

ତୈଳ ଉପରୁ ଟିକସ କମାଅ

ସୌଭାଗ୍ୟ ରଂଜନ ମହାନ୍ତି : ମହାମାରୀ କରୋନା ସଂକଟ କାଳରେ ଦେଶରେ ଚଳିତ ବର୍ଷ ଆରମ୍ଭରୁ ଦୈନନ୍ଦିନ ପେଟ୍ରୋଲ, ଡିଜେଲର ମୂଲ୍ୟ ଯେପରି ବଢିଚାଲିଛି, ଲିଟର ପିଛା ମୂଲ୍ୟ ଶତକ ପାର ହେବା ଆଉ ବେଶୀ ଦୂର ନୁହେଁ ବୋଲି ନିସନେ୍ଦହରେ କୁହାଯାଇପାରିବ । ଭାରତ ଦ୍ୱାରା ତଥା ବାଣିଜ୍ୟର ସହର ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ୯୫ଟଙ୍କା ପାଖାପାଖି ହୋଇଥିବା ଦେଶର ଅନ୍ୟ ରାଜ୍ୟଗୁଡିକରେ ୯୦ଟଙ୍କା ନିକଟତର ହୋଇଗଲାଣି । ସେହିପରି ଡିଜେଲର ମୂଲ୍ୟ ମଧ୍ୟ ପେଟ୍ରୋଲ ସହ ପ୍ରତିଦ୍ୱନ୍ଦିତା କରିଚାଲିଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୮୯ଟଙ୍କା ନିକଟତର ହୋଇଥିବା ବେଳେ ଡିଜେଲ ୮୫ଟଙ୍କା ଅତିକ୍ରମ କରିସାରିଲାଣି । କହିବା ବାହୁଲ୍ୟ ଯେ, ଚଳିତ ବର୍ଷ ଆରମ୍ଭରୁ ପେଟ୍ରୋଲ ଓ ଡିଜେଲର ଦୈନନ୍ଦିନ ମୂଲ୍ୟ ବୃଦ୍ଧିରେ ୧୭ଥର ବଢିସାରିଲାଣି । ଗତ ଜାନୁୟାରୀ ମାସରେ ୧୦ଥର ବଢିଥିବାବେଳେ ଚଳିତ ମାସରେ ବର୍ତମାନ ସୁଦ୍ଧା ୭ଥର ବଢିସାରିଲାଣି । ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଆରମ୍ଭରୁ ବର୍ତମାନ ସୁଦ୍ଧା ଅର୍ଥାତ ମାତ୍ର ଦେଢମାସ ଭିତରେ ପେଟ୍ରୋଲର ଲିଟର ପିଛା ମୂଲ୍ୟ ୪ଟଙ୍କା ୪୩ ପଇସା ବଢିଥିବା ବେଳେ ଡିଜେଲର ମୂଲ୍ୟ ୪ଟଙ୍କା ୫୪ ପଇସା ବଢିଛି । ଏହା ସତ୍ୟ ଯେ, ପେଟ୍ରୋଲ ଓ ଡିଜେଲ ସରକାରୀ ନିୟନ୍ତ୍ରଣ ମୁକ୍ତ ହେବା ପରେ ମୂଲ୍ୟ ବୃଦ୍ଧି ଏବେ ଆକାଶ ଛୁଅାଁ ହୋଇଛି । ଏବେ ଗତ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ସାଧାରଣ ବଜେଟ ଆଗତ କରିବା ଅବସରରେ ପେଟ୍ରୋଲ ଉପରେ ଲିଟର ପିଛା ୨ଟଙ୍କା ୫୦ ପଇସା ଏବଂ ଡିଜେଲ ପିଛା ୪ ଟଙ୍କା ୫୦ ପଇସା କୃଷି ସେସ୍ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ । ଅବଶ୍ୟ ଏହି କୃଷି ସେସ୍ ତୁରନ୍ତ ଲାଗୁ ହେବା ନାହିଁ ଘୋଷଣା କରିଛନ୍ତି । ଯାହାକି ଖାଉଟିଙ୍କୁ ଆଶ୍ୱସ୍ତ କରିଛି ସତ କିନ୍ତୁ ବାସ୍ତବରେ ସରକାର ଦୈନନ୍ଦିନ ମୂଲ୍ୟ ବୃଦ୍ଧିରେ ଏହାକୁ ସାମିଲ କରିଥିବା ସାଂପ୍ରତିକ ମୂଲ୍ୟ ବୃଦ୍ଧି ଆଶଙ୍କା କରାଯିବା ସ୍ୱାଭାବିକ । କରୋନା ମହାମାରୀ କାଳରେ ସରକାରଙ୍କର ଏହା କେବଳ ଶୋଷଣ ନୁହେଁ, ବେଡି ଉପରେ କୋରଡା ମାଡ ବୋଲି କୁହାଯିବ । ଦେଶରେ କେବଳ ପେଟ୍ରୋଲ, ଡିଜେଲର ମୂଲ୍ୟ ନୁହେଁ, ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ତଥା ଅତ୍ୟାବଶ୍ୟକୀୟ ଖାଉଟି ସାମଗ୍ରୀର ମୂଲ୍ୟ ହୁ ହୁ ହୋଇ ବଢିଚାଲିଛି । ପେଟ୍ରୋଲ, ଡିଜେଲର ମୂଲ୍ୟ ବୃଦ୍ଧିର ପ୍ରଭାବ ସିଧାସଳଖ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ ପଡିଛି । ଜଣାଯାଏ ଯେ, ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୧ଟଙ୍କା ବଢିଲେ ବିଭିନ୍ନ ସାମଗ୍ରୀର ମୂଲ୍ୟ ସେହି ଅନୁପାତରେ ବଢିଥାଏ । ଏହାର ମୂଳ କାରଣ ହେଉଛି ପରିବହନ ଜନିତ ବ୍ୟୟଭାର ବୃଦ୍ଧି । କହିବା ବାହୁଲ୍ୟ ଯେ, ଏବେ ପେଟ୍ରୋଲ, ଡିଜେଲ ସହ ତାଳ ଦେଇ ଖାଇବା ତେଲ ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀର ମୂଲ୍ୟ ବଢିଚାଲିଛି । ଦରଦାମ ବୃଦ୍ଧି ଏପରି ହୋଇଛି ଯେ, ଯେ କୌଣସି ସମୟରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନାକୁ ଏଡାଇ ଦେଇ ହେଉନାହିଁ । ଏହା ସତ୍ୟ ଯେ, ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଉପରେ ଦେଶରେ ପେଟ୍ରୋଲ, ଡିଜେଲ, ଇନ୍ଧନ ଗ୍ୟାସ ଓ କିରୋସିନୀର ମୂଲ୍ୟ ନିର୍ଭର କରିଥାଏ । କୁହାଯାଇଛି ଯେ, ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ମୂଲ୍ୟ ଏବେ ୬୨ ଡଲାର ରହିଛି । କିନ୍ତୁ ସ୍ମରଣ ଯୋଗ୍ୟ ୨୦୧୩ ମସିହାରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା ମୂଲ୍ୟ ଏବେ ୬୨ ଡଲାର ରହିଛି । କିନ୍ତୁ ସ୍ମରଣଯୋଗ୍ୟ ୨୦୧୩ ମସିହାରେ ଆନ୍ତର୍ଜାତିିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ମୂଲ୍ୟ ୧୫୫ ଡଲାର ଥିବାବେଳେ ଦେଶରେ ପେଟ୍ରୋଲର ଲିଟର ପିଛା ମୂଲ୍ୟ ୭୦ ଟଙ୍କା ଓ ଡିଜେଲର ମୂଲ୍ୟ ୬୦ ଟଙ୍କା ତଳେ ଥିଲା । ଏବେ ବ୍ୟାରେଲ ପିଛା ମୂଲ୍ୟ ୬୨ ଡଲାର ଥିବାବେଳେ ଦେଶରେ ଉଭୟ ତୈଳର ମୂଲ୍ୟ ୯୦ ଟଙ୍କା ନିକଟତର ହୋଇଛି । ଏହାର ମୂଳ କାରଣ ହେଉଛି ପେଟ୍ରୋଲ ଓ ଡିଜେଲ ଉପରେ ଅତ୍ୟଧିକ ଟିକସ । ପେଟ୍ରୋଲ ଓ ଡିଜେଲ ଲିଟର ପିଛା କେନ୍ଦ୍ର ସରକାରଙ୍କ ଟିକସ ୩୩ ଟଙ୍କା ରହିଥିବାବେଳେ ରାଜ୍ୟ ସରକାରଙ୍କ ଟିକସ(ଭାଟ) ୨୨ ଟଙ୍କା ରହିଛି । ଡିଲରଙ୍କ ଲିଟର ପିଛା କମିଶନ ୪ ଟଙ୍କା ପାଖାପାଖି ରହିଛି । କେବଳ ଲିଟର ପିଛା ଖାଉଟି ୫୯ ଟଙ୍କା ଟିକସ ଦେଉଛି ଯାହାକି ପେଟ୍ରୋଲ ଡିଜେଲର ପ୍ରକୃତ ମୂଲ୍ୟର ଦୁଇଗୁଣା ବୋଲି କହିଲେ ହୁଏତ ଭୁଲ ହୋଇନପାରେ । ଦେଶରେ ମହାମାରୀ କରୋନା କାଳରେ ବେରୋଜଗାରୀ ବଢିଛି, ଲୋକଙ୍କ ଆୟ କମିଛି ଖର୍ଚ୍ଚ ବି କମିଛି । ଏପରି ସମୟରେ ପେଟ୍ରୋଲ ଓ ଡିଜେଲ ସହ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁଁ ଜନସାଧାରଣ ଶୋଷିତ ହେବା ସାର ହେଉଛି । କରୋନା ମହାମାରୀ ଆରମ୍ଭରୁ ଜିଡିପି କ୍ରମାଗତ ହ୍ରାସ ପାଉଥିବା ବେଳେ ଯାନବାହାନ କ୍ରୟ ମଧ୍ୟ କମିଛି । ଗୋଟିଏ ପଟେ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ବଢାଇ ନୂଆ ଯୋଜନାମାନ ଘୋଷଣା କରିଥିବାବେଳେ ଅତ୍ୟଧିକ ଦରଦାମ ବୃଦ୍ଧି ଜୀବନ ଜୀବିକାକୁ ଦୁର୍ବିସହ କରିସାରିଲାଣି । ତେଣୁ ଯୋଜନାମାନ କେତେଦୂୁର ସଫଳ ହେବ, ତାହା ସମୟ କହିବ । ନିକଟରେ ନିର୍ବାଚନ ହେବାକୁ ଯାଉଥିବା ଆସାମରେ ସରକାର ପେଟ୍ରାଲ ଡିଜେଲ ଉପରୁ ଲିଟର ପିଛା ୫ଟଙ୍କା ଲେଖାଏଁ ଟିକସ ହ୍ରାସ କରିଛନ୍ତି । ସାଂପ୍ରତିକ ପରିସ୍ଥିତିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ତୁରନ୍ତ ଆଖି ଦୃଷ୍ଟିଆ ଟିକସ ହ୍ରାସ କରିବା ଜରୁରୀ । ଅନ୍ୟଥା ଦରମଦାମ ବୃଦ୍ଧି ତଥା ମହାଙ୍ଗାମାଡ ନେଇ ଜନସାଧାରଣ କଦାପି କ୍ଷମା ଦେବେ ନାହିଁ ।

Comments are closed.