Odisha news

“”ହେ ଗୁରୁ ଗୋବିନ୍ଦ ଗୋସାଇଁ ତୁମେ ଭକ୍ତର ଭାବଗ୍ରାହୀ ।”

0

ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର : ଆଜି ପବିତ୍ର ଗୁରୁପୂର୍ଣ୍ଣିମା ତିଥି । ଏହି ଦିନଟିର ମହତ୍ତ୍ୱ ଜାଣିବା ଉଚିତ । ଶ୍ରଦେ୍ଧୟ ପାଠକଗଣ ଜାଣିଥିବେ ଯେ ଆଷାଢ଼ ପୂର୍ଣ୍ଣିମା ଦିନଟି ସମଗ୍ର ଭାରତବର୍ଷରେ ଗୁରୁପୂର୍ଣ୍ଣିମା ନାମରେ ପ୍ରସିଦ୍ଧ । ପ୍ରାଚୀନ କାଳରୁ ମହର୍ଷି ବେଦବ୍ୟାସ ଯିଏକି ଚାରିଟିଯାକ ବେଦର ରଚନା କରି ଋକ, ଯର୍ଜୁ, ଅଥର୍ବ ଓ ସାମବେଦ ନାମରେ ନାମିତ କରିଥିଲେ ତାହା ଅଷ୍ଟାଦଶ ପୁରାଣ, ମହାଭାରତ ଓ ଶ୍ରୀମଦ୍ ଭାଗବତ ରଚନା କରି ଯୁଗ ଯୁଗ ପାଇଁ ଲୋକକଲ୍ୟାଣ କରିଗଲେ, ତାଙ୍କର ସ୍ମୃତି ଉପଲକ୍ଷେ ଏହି ଦିନଟିକୁ ଶ୍ରଦ୍ଧାର ସହ ପାଳନ କରାଯାଉଛି । ପରବର୍ତ୍ତୀ କାଳରେ ପ୍ରତ୍ୟେକ ସମ୍ପ୍ରଦାୟର ଆଧ୍ୟାତ୍ମିକ ଉନ୍ନତିକାମୀ ଭକ୍ତଗଣଙ୍କ ଦ୍ୱାରା ନିଜ ନିଜର ଗୁରୁଙ୍କ ପୂଜନ ପରମ୍ପରା ଆରମ୍ଭ ହେଲା ।

ଏବେ ପ୍ରଶ୍ନ ହେଉଛି ଗୁରୁ ପୂଜାର ଆବଶ୍ୟକତା, ଗୁରୁଙ୍କର ଶକ୍ତି ଏବଂ ଶିଷ୍ୟ ବା ଆଶ୍ରିତ ପାଇଁ ତାହାର ପ୍ରୟୋଜନତା । ଶାସ୍ତ୍ରରେ ଗୁରୁବ୍ରହ୍ମା, ଗୁରୁବିଷ୍ଣୁ, ଗୁରୁଦେବୋ ମହେଶ୍ୱର, ଗୁରୁସାକ୍ଷାତ୍ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରୁବେ ନମଃ ବୋଲି କୁହାଯାଇଛି । ଅର୍ଥାତ୍ ଗୁରୁ ସାକ୍ଷାତ ଈଶ୍ୱରତୁଲ୍ୟ ବୋଲି ବର୍ଣ୍ଣନା କରାଯାଇଛି । ଗୁରୁଙ୍କ କୃପାରୁ ଯେଉଁ ଶକ୍ତି ପ୍ରାପ୍ତ ହୁଏ ବା ଜ୍ଞାନ ଜାତ ହୁଏ ତାହା ଅନ୍ୟ କୌଣସି ପ୍ରକାରେ ସମ୍ଭବ ନୁହେଁ ବୋଲି ସମସ୍ତଙ୍କର ମତ । କିନ୍ତୁ କଥା ହେଉଛି ସେହିଭଳି ଗୁରୁ ମିଳିବେ କିପରି ? ପ୍ରକୃଷ୍ଟ ସମୟ ଆସିଲେ ହିଁ ଅର୍ଥାତ୍ ଯେତେବେଳେ ଶିଷ୍ୟ ବା ଆଶ୍ରିତ ଭିତରେ ଉପଯୁକ୍ତ ଗୁଣ ବା ଭୂମିକା ପ୍ରସ୍ତୁତ ହୋଇଯାଏ ସେତେବେଳେ ନିଜେ ଗୁରୁ ତା ପାଖକୁ ଆସି ତାକୁ ଧୀରେ ଧୀରେ ଉନ୍ନତିପଥରେ ନେଇଯାଆନ୍ତି । ଗୁରୁ ଶକ୍ତି ବିଷୟରେ ପାଠକମାନେ ଏଥିରୁ ଧାରଣା କରିନେଇପାରିବେ ଯେ ଧରାବତରଣ କରିବା ପରେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ସନ୍ଦିପନୀଙ୍କ ଆଶ୍ରୟ ନେଇଥିଲେ । ଭଗବାନଙ୍କ ଅବତାର ହୋଇଥିଲେ ମଧ୍ୟ ସନ୍ଦିପନୀ କୃଷ୍ଣଙ୍କ ପାଖକୁ ଯାଇନଥିଲେ, କୃଷ୍ଣ ସନ୍ଦିପନୀଙ୍କ ନିକଟକୁ ଧାଇଁଥିଲେ । ଆରିଷ୍ଟୋଟଲ ତାଙ୍କର ଶିଷ୍ୟ ଆଲେକଜାଣ୍ଡାରଙ୍କୁ କହିଲେ ମୁଁ ତୁମ ଭଳି ଶହେ ଆଲେକ୍ଜାଣ୍ଡାର ସୃଷ୍ଟି କରିଦେଇପାରିିବି; କିନ୍ତୁ ତୁମେ ଜଣେ ଆରିଷ୍ଟୋଟଲ ତିଆରି କରିପାରିବ ନାହିଁ । ଏହା ହେଉଛି ଗୁରୁଶକ୍ତିର ପରାକାଷ୍ଠା ।

ଆଉ ଗୋଟିଏ ଉଦାହରଣ ପଢ଼ନ୍ତୁ । ଏକନାଥ ମହାରାଜଙ୍କର ଗୁରୁଭକ୍ତି ଅପୂର୍ବ ଥିଲା । ଆଜିକାଲି ଏଠି ସେଠି ଗୁରୁ ଓ ମାଳ ମାଳ ଚେଲା ଦିଶୁଛନ୍ତି; କିନ୍ତୁ ଏକନାଥଙ୍କ ଭଳି ବିରକ୍ତ ଶିଷ୍ୟ ଏବଂ ଜନାର୍ଦ୍ଦନସ୍ୱାମୀଙ୍କ ସଦୃଶ ବିଚାରବନ୍ତ ଗୁୁରୁଙ୍କ ସଂଯୋଗ ଅତି ଦୁର୍ଲ୍ଲଭ । ଏକନାଥ ମହାରାଜଙ୍କର ଶ୍ରଦ୍ଧା-ଭକ୍ତି ଏବଂ ଧୀଶକ୍ତି ପ୍ରବଳ ଥିଲା; କିନ୍ତୁ ଜନାର୍ଦ୍ଦନସ୍ୱାମୀଙ୍କ ଭଳି ଦତ୍ତାତ୍ରେୟସ୍ୱରୂପ ସଦ୍ଗୁରୁଙ୍କ ପ୍ରାପ୍ତି ହେବ ଏଥିପାଇଁ ତାଙ୍କର ଦୈବବଳ ମଧ୍ୟ କିଛି କମ୍ ନଥିଲା । ଯେ କୌଣସି ଦେବତାଙ୍କ ଉପାସନା ନିମନ୍ତେ ଉପାସକଙ୍କୁ ଉକ୍ତ ଦେବତାଙ୍କର ସଗୁଣ ରୂପ ବିଗ୍ରହକୁ ସମ୍ମୁଖରେ ରଖି ପୂଜା ଆରାଧନା କରିବାକୁ ହୋଇଥାଏ । ସେହି ମୂର୍ତ୍ତିରେ ଚାଲବୁଲ କରିବାର ଶକ୍ତି ଜାଗ୍ରତ ନିମନ୍ତେ ଅଖଣ୍ଡ ଧ୍ୟାନ-ଧାରଣା ଓ ପ୍ରଚଣ୍ଡ ଏକନିଷ୍ଠ ସାଧନା ଆବଶ୍ୟକ । ଯେଉଁ ରୂପରେ ଭକ୍ତ, ଧ୍ୟାନ କରେ, ସେହି ରୂପରେ ଭଗବାନ ତାହା ସମ୍ମୁଖରେ ପ୍ରକଟ ହୋଇଯାଆନ୍ତି । କିନ୍ତୁ ଏତିକି କଷ୍ଟ ନକରି ସମ୍ମୁଖରେ ଉପସ୍ଥିତ ସଦ୍ଗୁରୁଙ୍କୁ ପରମାତ୍ମା ଭାବରେ ପୂଜା କରିବା ଦ୍ୱାରା ଏବଂ ନିତ୍ୟ ଧ୍ୟାନ କରିବା ଦ୍ୱାରା ଉପାସନା ସହଜ ହୋଇଥାଏ । କିନ୍ତୁ ସର୍ବତ୍ର ଏଭଳି ଗୁରୁ ସମର୍ଥ ଥିଲେ । ଶିଷ୍ୟ ଶୁଦ୍ଧ ହୋଇଥିବେ ଏବଂ ଗୁରୁ ସମର୍ଥ ତଥା ଶିଷ୍ୟର ଭାବନା ଯଦି ଦୃଢ଼ ହୋଇଥିବ ତାହେଲେ ଗୁରୁଭକ୍ତିର ଏହା ହେଲା ଶୁଦ୍ଧ ତ୍ରିବେଣୀ ସଂଗମ । ବସ୍ତୁତଃ ଗୁରୁ ଏବଂ ଭଗବାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ସଗୁଣ ଭଗବାନ ଏବଂ ନିର୍ଗୁଣ ଭଗବାନଙ୍କ ମଧ୍ୟରେ ପ୍ରଭେଦ ନାହିଁ ତଥା ଭଗବାନ ଏବଂ ବିଶ୍ୱ ମଧ୍ୟରେ ପ୍ରଭେଦ ନାହିଁ । ସର୍ବୋପରି ଭଗବାନ ଏବଂ ଆମ ମଧ୍ୟରେ ପ୍ରଭେଦ ନାହିଁ । ଜନାର୍ଦ୍ଦନସ୍ୱାମୀଙ୍କ ପ୍ରତି ଏକନାଥଙ୍କ ଠାରେ ଯେଉଁ ଅପାର ଭକ୍ତି ଥିଲା ତାହାର କିଞ୍ଚôତ ଆଭାସ ରାମକୃଷ୍ଣ ପରମହଂସ ଏବଂ ସ୍ୱାମୀ ବିବେକାନନ୍ଦଙ୍କ ନିକଟରେ ଦେଖିବାକୁ ମିଳେ । ରାମକୃଷ୍ଣଙ୍କୁ ଭେଟିବା ପରେ ବିବେକାନନ୍ଦଙ୍କ ଉକ୍ତି ଥିଲା – “ମୁଁ ତାଙ୍କ ନିକଟକୁ ଗଲି । ଗୋଟିଏ ଦୃଷ୍ଟି, ଗୋଟିଏ ସ୍ପର୍ଶ ସାରା ଜୀବନକୁ ବଦଳାଇଦେଲା ! ପ୍ରାଚୀନ ଯୁଗର ମହାନ ଋଷିମୁନି ମାନଙ୍କ ବିଷୟରେ ପଢ଼ିଲି; କିନ୍ତୁ ଏଠି ରକ୍ତମାଂସର ଶରୀରରେ ସେପରି ଜଣେ ବ୍ୟକ୍ତି ଅଛନ୍ତି ତାହା ଅନୁଭବ କଲି । ମୋର ମନର ସମସ୍ତ ସନେ୍ଦହ ଦୂର ହୋଇଗଲା । ମୁଁ ଦେଖିଲି ଏ ନରଦେହରେ ମଧ୍ୟ ଜଣେ ପୂର୍ଣ୍ଣତ୍ୱ ପ୍ରାପ୍ତି କରିପାରିବ । ଶ୍ରୀଗୁରୁଙ୍କର ନାମମାତ୍ର ହିଁ ଆମର ବେଦଶାସ୍ତ୍ର । ଗୁରୁସେବା, ଗୁରୁ ନିବାସ, ଗୁରୁନାମ, ଗୁରୁକୃପାରେ ଏପରି ପ୍ରଚଣ୍ଡ ଶକ୍ତି ରହିଛି ଯେ ତାହା ସମ୍ମୁଖରେ ଆଉ ସବୁ ଫିକା । ଏ ଜଟିଳ ସଂସାର ଜୁଲାଇ ୫ ପବିତ୍ର ଗୁରୁପୂର୍ଣ୍ଣିମା ସାଗରକୁ ପାରି ହେବା ପାଇଁ ସେ ଆମକୁ ସହାୟତା କରି ଧୀରେ ଧୀରେ ପାହାଚ ପରେ ପାହାଚ ଦେଇ ମୋକ୍ଷମାର୍ଗରେ ଅଗ୍ରସର କରାଇ ନେଉଛନ୍ତି ।

ଏହାଠାରୁ ବଳି ଜୀବନର ପରମ ସାଥୀ ଆଉ କିଏ ହୋଇପାରିବେ । ସେଇଥିପାଇଁ କୁହାଯାଏ ଯୁଗପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ହେଉଛନ୍ତି ଜୀବନର ପରମ ମିତ୍ର । ନିଜର କଲ୍ୟାଣ ଚାହୁଁଥିବା କେଉଁ ବ୍ୟକ୍ତି ଏହିପରି ଜଣେ ସାଥୀଙ୍କୁ ହାତଛଡ଼ା କରିପାରିବ ? ବର୍ଷା ଋତୁର ପ୍ରାରମ୍ଭରେ ଗୁରୁପୂର୍ଣ୍ଣିମାର ଆଗମନ ହୋଇଥାଏ । ସାଧୁସନ୍ଥମାନେ ଏହି ଦିନଠାରୁ ଚାରିମାସ ଯାଏଁ ଗୋଟିଏ ସ୍ଥାନରେ ରହି ସାଧନା ଓ ତପସ୍ୟା କରିଥାନ୍ତି । ସାଧକ ଓ ଆଧ୍ୟାତ୍ମିକମାର୍ଗର ଯାତ୍ରୀମାନେ ଏହି ସମୟର ସଦୁପଯୋଗ କରିବା ଆବଶ୍ୟକ । ପାଣିପାଗ ଦୃଷ୍ଟିରୁ ଏହି ଚାରିମାସ ବେଶ୍ ଅନୁକୂଳ । କାରଣ ଅଧିକ ଗରମ କିମ୍ବା ଥଣ୍ଡା ଅନୁଭୂତ ହୋଇନଥାଏ । ଏଣୁ ଅଧ୍ୟୟନ ନିମନ୍ତେ ଏହାକୁ ଉପଯୁକ୍ତ ସମୟ ମନେ କରାଯାଏ । ସୂର୍ଯ୍ୟଙ୍କ ପ୍ରଖର ତେଜରେ ଉତ୍ତପ୍ତ ଧରିତ୍ରୀକୁ ବର୍ଷାର ଶୀତଳତାରେ ଫସଲରାଜି ସୃଷ୍ଟି କରିବା ପାଇଁ ଯେପରି ଶକ୍ତି ମିଳିଥାଏ ସେହିପରି ଗୁରୁଚରଣରେ ଉପସ୍ଥିତ ସାଧକମାନଙ୍କୁ ଜ୍ଞାନ, ଶକ୍ତି, ଭକ୍ତି ଓ ଯୋଗ ପ୍ରାପ୍ତ କରିବା ପାଇଁ ଶକ୍ତି ମିଳିଥାଏ । ଭଗବାନ ଶ୍ରୀକୃଷ୍ଣଙ୍କର ଗୁରୁ ଥିଲେ ସନ୍ଦିପନୀ । ଯେଉଁ ଆଶ୍ରମରେ ଶ୍ରୀକୃଷ୍ଣ ଭାଇ ବଳରାମଙ୍କ ସହ ଗୁରୁଙ୍କ ଠାରୁ ଶିକ୍ଷା ଗ୍ରହଣ କରୁଥିଲେ ତାହା ମଧ୍ୟପ୍ରଦେଶର ଉଜ୍ଜୟିନୀ ଠାରେ ଅବସ୍ଥିତ । ମହାକାଳେଶ୍ୱର ପୀଠ ନାମରେ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ଯେଉଁ ଉଜ୍ଜୟିନୀରେ ରହିଛି ତାହାଠାରୁ ମାତ୍ର ଦୁଇ କିମି ବ୍ୟବଧାନରେ ଅବସ୍ଥିତ ଏହି ମନୋରମ ଆଶ୍ରମ ଏବେ ବି ଅତୀତର ରୋମାଞ୍ଚକାରୀ ଅନୁଭୂତିର ସ୍ମୃତି ବହନ କରେ । ଏହି ସ୍ଥାନରେ ଅଙ୍କପଟା ବୋଲି ଯାହାକୁ କୁହାଯାଉଛି ସେଠାରେ ଭଗବାନ ଶ୍ରୀକୃଷ୍ଣ ତାଙ୍କର ସିଲଟ ଧୋଇ ଅଙ୍କ ଲେଖୁଥିବା ବିଶ୍ୱାସ କରାଯାଏ । ପାଖରେ ଥିବା ଏକ ବଡ଼ ପଥରରେ ୧ରୁ ୧୦୦ ସଂଖ୍ୟା ଲେଖା ହୋଇଥିବା ଦେଖାଯାଏ । ଏହା ସନ୍ଦିପନୀଙ୍କର ହସ୍ତାକ୍ଷର ବୋଲି ସ୍ଥାନୀୟ ଲୋକମାନେ କହନ୍ତି । ଏହି ଦିନଟିର ବିଶେଷତ୍ୱ ହେଉଛି ମହାଭାରତର ରଚୟିତା କୃଷ୍ଣ ଦୈପାୟନ ବ୍ୟାସଙ୍କର ଆଜି ଜନ୍ମଦିନ । ସେ ସଂସ୍କୃତ ଭାଷାର ମହାନ୍ ବିଦ୍ୱାନ ଥିଲେ ଏବଂ ତାଙ୍କ ଦ୍ୱାରା ଚାରିବେଦ ମଧ୍ୟ ରଚନା ହୋଇଥିଲା । ଏହି କାରଣରୁ ତାଙ୍କର ଅନ୍ୟ ଏକ ନାମ ବେଦବ୍ୟାସ । ତାଙ୍କୁ ଆଦି ଗୁରୁ କୁହାଯାଏ ଏବଂ ତାଙ୍କର ସ୍ମୃତି ଉଦେ୍ଦଶ୍ୟରେ ଗୁରୁପୂର୍ଣ୍ଣିମା ବ୍ୟାସ ପୂର୍ଣ୍ଣିମା ରୂପେ ମଧ୍ୟ ପାଳନ କରାଯାଏ । ପଞ୍ଚମ ବେଦ ରୂପେ କଥିତ ମହାଭାରତ ଗ୍ରନ୍ଥର ରଚନା ସେ ଏହିଦିନ ପୂର୍ଣ୍ଣ କଲେ ଏବଂ ବିଶ୍ୱର ମହାନ୍ ଗ୍ରନ୍ଥ ବ୍ରହ୍ମସୂତ୍ରର ଲିଖନ ଏହିଦିନ ପ୍ରାରମ୍ଭ ହେଲା ।

Leave A Reply

Your email address will not be published.