ରାୟଗଡା ୫/୧୦ : ସିଜୁମାଳୀ ଖଣି ଖନନକୁ ସ୍ବାଗତ କରି କାଶିପୁର ଅଞ୍ଚଳର ପାରମ୍ପରିକ ଡେମସା ନାଚ ସହ ଢୋଲ ବାଜାରେ ବିରାଟ ସଭାଯାତ୍ରାରେ ତହସିଲଦାରଙ୍କ କାର୍ଯ୍ଯାଳୟକୁ ଯାଇ ପ୍ରଶାସନ ମାଧ୍ୟମରେ ରାଜ୍ଯପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ରାୟଗଡ଼ା ଜିଲ୍ଲାରେ ବର୍ତ୍ତମାନ ବେଦାନ୍ତ ଦ୍ୱାରା ହେବାକୁ ଥିବା ସିଜୁମାଳି ଠାରେ ଖଣି ଖନନକୁ ସ୍ବାଗତ କରିବା ସହ ପୂର୍ଣ୍ଣ ସମର୍ଥନ କରିଛନ୍ତି କାଶୀପୁର ଅଞ୍ଚଳର ନିର୍ବାଚିତ ପ୍ରତିନିଧି ଏବଂ ଖଣି ଖନନ ଅଞ୍ଚଳର ପ୍ରଭାବିତ ଅଞ୍ଚଳ ବାସୀ । ଆଜି କାଶୀପୁର ବ୍ଲକ ସଦର ଠାରେ ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ବ ଲୋକ ବିଭିନ୍ନ ଖଣି ଖନନ ପାଇଁ ସହଯୋଗ କରିବା ନେଇ ଓ ସମର୍ଥନରେ ବିଭିନ୍ନ ପ୍ରକାର ସ୍ଲୋଗାନ ପ୍ଲାକାର୍ଡ ଧରି ଆଜି ଏକ ପଦଯାତ୍ରାରେ ଯାଇ କାଶୀପୁର ଥାନାଧିକାରୀ ଓ ଅତିରିକ୍ତ ତହସିଲଦାର କୁଶ ଗରଡ଼ାଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ଲିଖିତ ଭାବେ ଏକ ସମର୍ଥନ ପତ୍ର ଦେଇଥିଲେ । ଯାହାକି ଖଣି ଅଞ୍ଚଳରେ ପ୍ରଭାବିତ ହେଉଥିବା କାଶୀପୁର ଓ ରାମପୁର ବ୍ଲକର ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଗ୍ରାମବାସୀମାନେ ଏହି ଖଣି ଖନନକୁ ସମର୍ଥନ କରିଥିଲେ। ଯାହାଫଳରେ କାଶୀପୁର ଅଞ୍ଚଳରେ ସିଜୁମାଳି ଠାରେ ଖଣି ଖନନ ପ୍ରକ୍ରିୟା ଅତି ସହଜ ହୋଇଯାଇଥିବା ଜଣାପଡ଼ିଛି । ଏହି ଖଣି ଖନନକୁ କାଶୀପୁର ବ୍ଲକର ବାସ କରୁଥିବା ପ୍ରାୟ ଅଧିକାଂଶ ଲୋକ ଏହି ଖଣି ଖନନ ହେଲେ ଉଭୟ କାଶୀପୁର ଓ ରାମପୁର ବ୍ଲକର ସାମାଜିକ, ଅର୍ଥନୈତିକ ସ୍ଥିତିର ଉନ୍ନତି ହେବା ସହ ଅଞ୍ଚଳରେ ଥିବା ମୌଳିକ ସମସ୍ୟା ଗୁଡ଼ିକର ସମାଧାନ ହୋଇପାରିବ ବୋଲି ଲିଖିତ ଦେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭୁବନେଶ୍ୱର, ଦିଲ୍ଲୀ ବମ୍ବେ ଏବଂ ବିଦେଶୀ ସଂସ୍ଥା ମାନେ ଆସି ଅଞ୍ଚଳ ବାସିନ୍ଦାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଖଣି ଖନନ ନିମନ୍ତେ ଆସୁଥିବା ଅଧିକାରୀ ମାନଙ୍କ ଗାଡ଼ି ପୋଡାଜଳା କରିବା ସହ ଅଧିକାରୀ ମାନଙ୍କୁ ମାରିବା ପାଇଁ କହୁଛନ୍ତି। ଏପରି ବ୍ୟକ୍ତିଙ୍କୁ ଅଞ୍ଚଳରେ ପ୍ରବେଶ ବନ୍ଦ କରିବା ସହ ଆଗାମୀ ଦିନରେ ହେବାକୁ ଥିବା ଜନଶୁଣାଣୀରେ ସଠିକ ସୁରକ୍ଷା ପ୍ରଦାନ କରାଯାଉ । ଏହି ପଟୁଆରରେ ଜିଲାପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, କାଶିପୁର ବ୍ଳକ ଅଧ୍ୟକ୍ଷ କଣ୍ଟ ମାଝୀ ଏବଂ ଅଞ୍ଚଳର ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟମାନେ ଉପସ୍ଥିତ ଥିଲେ।