Odisha news

ଜିଲ୍ଲାସ୍ତରୀୟ ୭୨ତମ ଗଣତନ୍ତ୍ର ଦିବସ ପାଳିତ

0

ରାୟଗଡା,୨୭ ।୧ : ରାୟଗଡ ସଦର ମହକୁମା ସ୍ଥିତ ଜିସିଡି ହାଇସ୍କୁଲ ପଡିଆ ଠାରେ ୭୨ତମ ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଅଛି । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଶ୍ରୀସାହୁ ନିଜ ଅଭିଭାଷଣରେ ଗଣତନ୍ତ୍ର ଦେଶ ଓ ଜାତି ପାଇଁ ଗର୍ବ ଓ ଗୌରବର ଦିବସ ଏବଂ ସ୍ମୃତି, ସଂକଳ୍ପ ଓ ଆତ୍ମସମୀକ୍ଷାର ଦିବସ ବୋଲି ପ୍ରକାଶ କରିଥିଲେ । ସମଗ୍ର ବିଶ୍ୱରେ ଭାରତୀୟ ସମ୍ବିଧାନର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି ଏବଂ ସମ୍ବିଧାନ ଦ୍ୱାରା ଆମ ଐକ୍ୟ, ସଂହତି ଓ ଧର୍ମନିରପେକ୍ଷ ଚରିତ୍ରକୁ ମଜବୁତ କରିଛି । ରାଷ୍ଟ୍ରପିତା ମାହାତ୍ମା ଗାନ୍ଧୀ, ସମ୍ବିଧାନ ପ୍ରଣିୟତା ଡା.ବି.ଆର.ଆମ୍ବେଦକରଙ୍କ ଠାରୁ ଆରମ୍ଭ କରି ସ୍ୱାଧିନତା ସଂଗ୍ରାମୀ ବିଜୁ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ସମସ୍ତ ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ଚିର ନମସ୍ୟ କରିଥିଲେ । ସ୍ୱାଧୀନତା ସଂଗ୍ରାମର ଅବିଭକ୍ତ କୋରାପୁଟ ଜିଲ୍ଲାର ବୀରପୁତ୍ରମାନଙ୍କ ସହ ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନକୁ ସ୍ମୃତିଚାରଣ କରିଥିଲେ ।

କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ନିସ୍ୱାର୍ଥପର ଭାବେ ଅନ୍ୟଙ୍କୁ ସେବା ଯୋଗାଇଥିବା ଆଗଧାଡିର ପ୍ରମୁଖ କୋରନା ଯୋଦ୍ଧା ଭାବେ ସ୍ୱାସ୍ଥ୍ୟ ବିଭାଗର ୫ଜଣ, ପୌରପରିଷଦ କାର୍ଯ୍ୟାଳୟର ୫ଜଣ, ଏବଂ ପୋଲିସ ବିଭାଗର ୫ଜଣ କର୍ମଚାରୀଙ୍କୁ ମାନପତ୍ର ଓ ଉତ୍ତ୍‌ରୀୟ ପ୍ରଦାନ କରି ମାନ୍ୟବର ମନ୍ତ୍ରୀ ଶ୍ରୀସାହୁ ସମ୍ବର୍ଦ୍ଧନା କରିଥିଲେ । ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । କୋଭିଡ ଗାଇଡଲାଇନ ମଧ୍ୟରେ ସାମାଜିକ ଦୂରତା ଅବଲମ୍ବନ କରି ମାସ୍କ ବ୍ୟବହାର ସହ ସୀମିତ ଅତିଥି, ପ୍ରଶାସନିକ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଓ କରୋନା ଯୋଦ୍ଧାଙ୍କୁ ନେଇ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଥିଲା ।

ସାଧାରଣତନ୍ତ୍ର ଦିବସକୁ ଜିଲ୍ଲା ସୂଚନା ଏବଂ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପରିଚାଳନା କରିଥିବା ବେଳେ ବିଭାଗୀୟ କର୍ମଚାରୀ ମାନେ ସହଯୋଗ କରିଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ତତ୍ୱାବଧାନରେ ସ୍ଥାନୀୟ ଜିସିଡି ହାଇସ୍କୁଲରେ ଅନଲାଇନ ମାଧ୍ୟମରେ ବିଦ୍ୟାଳୟସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ମୁଖ୍ୟ ଚିକିତ୍ସାଳୟ ଠାରେ ରୋକିମାନଙ୍କୁ ଫଳ ବଂଟନ କରିଥିଲେ । ସେହିପରି ସେବାସମାଜ, ଉପ-କାରାଗାର, ସ୍ୱାଦ୍ଧାର ଗୃହ, ବରିଷ୍ଠ ନାଗରିକ ଗୃହ ରହୁଥିବା ଅନ୍ତେବାସୀଙ୍କୁ ମଧ୍ୟ ପ୍ରଶାସନ ତରଫରୁ ଫଳ ଏବଂ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।

Leave A Reply