ରାୟଗଡା,୧୬ ।୧୨ : ପୁରୁଷ ପୁରୁଷ ଧରୀ ଦାନା ଯୋଗାଉଥିବା ଜମି ଦେଲୁ । ମୁଣ୍ଡ ଗୁଞ୍ଜିବାକୁ ଥିବା ଭିଟାମାଟି ଚାଳ ଖଣ୍ଡକ ଦେଇଦେଲୁ । ତେବେ କାରଖାନା କେବେ ବୋଲି ଆଦିତ୍ୟ ବିର୍ଲା ଦ୍ୱାରା ବିସ୍ତାପିତ ଓ କ୍ଷତିଗ୍ରସ୍ତ ଲୋକେ ପ୍ରଶ୍ନ କରିଛନ୍ତି ଏବଂ ଯଦି କଂସାରିଗୁଡ଼ା ଠାରେ କାରଖାନା ପ୍ରତିଷ୍ଠାନହେବ ତେବେ କୋଡ଼ିଙ୍ଗାମାଳିରୁ ବେଆଇନ ଖଣି ଖନନ ବନ୍ଦକର ନଚେତ ଅଞ୍ଚଳବାସୀ ରାଜରାସ୍ତାକୁ ଓଲାଇବେ ବୋଲି ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।
ଆଜି ଆଦିତ୍ୟ ବିର୍ଲା ଘରହରା ଜମିହରା କ୍ଷତିଗ୍ରସ୍ତ ଓ ପ୍ରଭାବିତ ଅଞ୍ଚଳବାସୀ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ସାକ୍ଷାତ କରି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଆଜିକୁ ୧୪ବର୍ଷ ପୁର୍ବେ ଆଦିତ୍ୟ ବିର୍ଲା ବା ହୋଣ୍ଡାଲକୋ ଡ଼ିଭିଜନ କାଶୀପୁର ବ୍ଲକ କଂସାରିଗୁଡ଼ା ଠାରେ ରିଫାଇନେର କାରଖାନା ପ୍ରତିଷ୍ଠା କରିବା ନିମନ୍ତେ କୋରାପୁଟ ଓ ରାୟଗଡ଼ା ଜିଲ୍ଲାରୁ ୧ହଜାର ୯ଶହ ୩୦ଏକର ଜମି ଅଧିଗ୍ରହଣ କରିଥିଲା । ଏପରିକି କାଶୀପୁର ତହସିଲର ପୁହୁଣ୍ଡି ମଉଜାରୁ ୩ଶହ ଏକର, କଂସାରୀଗୁଡ଼ା ମଉଜାରୁ ୪ଶହ ୮୯ଏକର, ପୁଡ଼ାପାଡ଼ି ମଉଜାରୁ ୩୬ ଏକର, କନ୍ଦିରିପଦର ମଉଜାରୁ ୧ଶହ ୨୭ ଏକର ଏବଂ ଫୁଲଜବା ମଉଜାରୁ ୨ଶହ ୯୯ ଏକର ଜମି ନେଇଥିବା ବେଳେ ଏଭଳି କାଶୀପୁର ଅଞ୍ଚଳର ୨୫ଟି ଗ୍ରାମବାସୀଙ୍କ ଠାରୁ ଜମି ଅଧିଗ୍ରହଣ କରିଥିଲେ ।
ଏହି ଜମି ବାବଦରେ ଏକର ପିଛା ୩ଲକ୍ଷ ୪୪ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ତେବେ ଜମି ଅଧିଗ୍ରହଣ କରିବାର ଦୀର୍ଘ ୧୩ ବର୍ଷ ବିତିଯାଇଥିବା ବେଳେ ଚଳିତ ବର୍ଷ ଜାନୁୟାରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଂସାରୀଗୁଡ଼ା ଠାରେ ୮ ହଜାର ୫ଶହ କୋଟି ଟଙ୍କାର କାରଖାନା ପ୍ରତିଷ୍ଠା କରିବା ସହିତ ଉକ୍ତ କାରଖାନାରେ ୪ ହଜାର ୨ଶହ ୫୦ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ମଧ୍ୟ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଅଞ୍ଚଳ ବାସୀଙ୍କୁ ଏକ ଖୁସୀର ଲହରୀ ଆଣିଥିଲା । କିନ୍ତୁ ଲୋକଙ୍କ ଆଶା ଆଶାରେ ରହିଗଲା ।
ତେବେ ଘୋଷଣା କରିବାର ଏକ ବର୍ଷ ବିତିଗଲାଣି ଆଜିଯାଏ ସରକାର କୈଣସି ପଦକ୍ଷେପ ଗ୍ରହଣ କରିଲେ ନାହିଁ । ଅଞ୍ଚଳରେ ଶିକ୍ଷିତ କେବାରୀ ସମସ୍ୟା ବଢିବାରେ ଲାଗିଲାଣି । କିନ୍ତୁ ସରକାର ଘୋଡ ନିଦରେ ଶୋଇଛନ୍ତି । ତେବେ ଏଠାକାର କାରଖାନା ପ୍ରତିଷ୍ଠା ବଦଳରେ କୋଡ଼ିଙ୍ଗାମାଳି ଖଣିରୁ ବେଆଇନ ଭାବରେ ଆଜିକୁ ୩ବର୍ଷ ହେଲା ଖଣି ଲୁଟ ଚାଲିଛି । ଯଦିଓ କାରଖାନା ତୁରନ୍ତ ପ୍ରତିଷ୍ଠା ନକରାଯାଏ ଆମ ଜମି ଆମକୁ ଫେରସ୍ତ କରାଯାଉ ଏବଂ ଜମିର ୧୪ ବର୍ଷ କ୍ଷତିପୁରଣ ପ୍ରଦାନ କାରାଯାଉ ବୋଲି କହିବା ସହ ବେଆଇନ ଖଣିଖନନ ବିରୋଧକରି ରାଜ ରାସ୍ତାକୁ ପରିବାର ସହ ଓଲାଇବୁ ବୋଲି ଏହି ବିସ୍ତାପିତଙ୍କ ସହ ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ଚେତାବନୀ ଦେଇଛନ୍ତି । ଏହି ଅଭିଯୋଗପତ୍ର ଦେବା ସମୟରେ ଅଞ୍ଚଳବାସୀଙ୍କ ପ୍ରତିନିଧତ୍ୱ ଭାବରେ ମହେଶ୍ୱର ଝୋଡ଼ିଆ, ଦଉଲରତ୍ନ ଚୈଧୁରୀ, ସୁରେନ୍ଦ୍ର ବାଗ ଏବଂ ଲକ୍ଷ୍ମୀଧର ବାଗ ଉପସ୍ଥିତ ଥିଲେ ।
