ରାୟଗଡା : କୋଟିକୋଟି ଟଙ୍କାର ଦୁର୍ନିତୀରେ ବୁଡିଯାଇଛି କୋଲନରା ପଞ୍ଚାୟତ ସମିତି । ବିକାଶ ପାଇଁ ଆସୁଥିବା ଟଙ୍କାର ହିସାବ ନାହିଁ କି ନଥିପତ୍ର ସାଙ୍ଗକୁ ହିସାବ ଖାତା ସହ ଜମାଖାତାର ତାଳମେଳ ଖାଉନାହିଁ । ଏପରିକି ଅଗ୍ରୀମ ଟଙ୍କା ନେଇଥିବା ବେଳେ ପର୍ଯ୍ୟାୟ କ୍ରମେ ଆସୁଥିବା ପ୍ରଶାସନିକ ଓ କର୍ମଚାରୀ ମାନେ ବିନିଯୋଗ ପ୍ରମାଣପତ୍ର ଦେଇନାହାଁନ୍ତି କି ଫେରାଇ ମଧ୍ୟ ନାହାନ୍ତି । ତେବେ ଏଭଳି କ୍ଷେତ୍ରରେ ବିକାଶ ଅଟକି ଯାଇଛି ବୋଲି ଆପ ଏକ ଖବରଦାତା ସମ୍ମିଳନୀରେ ଅଭିଯୋଗ କରିଛି ।
ଗାଁକୁ ରାସ୍ତା ନାହିଁ କି ପିଇବାକୁ ଟୋପାଏ ପାଣି ନାହିଁ । କିନ୍ତୁ ଦୁର୍ନିତୀରେ ବୁଡ଼ି ଗଲାଣି ରାୟଗଡ଼ା ଜିଲ୍ଲା କୋଲନରା ପଞ୍ଚାୟତ ସମିତି । ହୋଇଥିବା ଉନ୍ନୟନ କାର୍ଯ୍ୟର ୨୦୧୮-୧୯ ମସିହାର ଅଡ଼ିଟକୁ ନେଇ ଆପ୍ ପାର୍ଟିର ସାମ୍ବାଦିକ ସମ୍ମିଳନୀ । ଏହି ଅଡ଼ିଟରେ କୁହାଯାଉଛି ଯେ ବ୍ଲକ ପ୍ରଶାସନ ଅତି ଗୁରୁତ୍ୱପୂର୍ଣ୍ଣ ୭ଟି ଖାତା ସଠିକରେ ପରିଚାଳନା କରାଯାଇନାହିଁ । ଯାହା ବ୍ଳକର ଜମା ଖାତା, ଅମାନତ ଜମାଖାତା, ଋଣ ଖାତା, ଅଟକଳ ଖାତା ସହିତ ଅନ୍ୟ ଖାତା ଗୁଡ଼ିକ ପରିଚାଳନା ନହୋଇ ପଡ଼ିରହିଛି । ବ୍ୟାଙ୍କ ଜମାଖାତା ସହିତ ବ୍ଲକ କ୍ୟାସ ବହିର ତାଳମେଳ ରହୁନାହିଁ । ଗତ ୨୦୦୭-୮ମସିହାରୁ ୧୮-୧୯ ଯାଏ କର୍ମଚାରୀମାନେ ନେଇଥିବା ଅଗ୍ରୀମ ଟଙ୍କାର ୧୬ କୋଟି ୮୯ ଲକ୍ଷ ବାକିରେ ଗଡୁଛି ଯାହା ଆଜି ଯାଏ ଆଦାୟ ହୋଇନାହିଁ । ତେବେ ଏହାକୁ ସୀଂଘାତିକ ଅନିୟମିତତା ବୋଲି ଅଡ଼ିର୍ଟ କହିଛି । ପୁଣି ଗତ ୨୦୧୪-୧୫ ମସିହା ଠାରୁ ୨୦୧୮-୧୯ ମସିହା ଯାଏ ୮୩ କୋଟି ୨୫ ଲକ୍ଷରୁ ଉର୍ଦ୍ଧ ଟଙ୍କାର ବିନିଯୋଗ ପ୍ରମାଣପତ୍ର ଆଜିଯାଏ ଦେଇନାହାଁନ୍ତି ।
କୋଲନରା ବ୍ଲକର ବିଭିନ୍ନ ଯୋଜନାର ୨୬ଟି ଜମା ଖାତାରେ ଜମା ହୋଇଥିବା ଜମାରାଶି ବାବଦରେ ମିଳିଥିବା ୬୮ ଲକ୍ଷ ୬୬ ହଜାର ୩୨୨ଟଙ୍କାର ସୁଦ୍ଧ ଅର୍ଥର କେଉଁଟି ଖର୍ଚ୍ଚ କରାଯାଇଛି ତାହାର ତଥ୍ୟ ନାହିଁ । ଏହାସହ ସରକାରଙ୍କୁ ୭କୋଟି ୯୬ଲକ୍ଷ ୩ ହଜାର ୪ଶହ ୯୪ଟଙ୍କା ରାଜକୀୟ ଅର୍ଥ, ଭାଟ ଟିକସ୍ ,ଶ୍ରମିକ ସେସ୍ ସହ ବିଭିନ୍ନ କର ବକେୟାରେ ଗଢୁଛି । ବେନିୟମ ଭାବେ ଜମାଖାତାରୁ ୩୮ଲକ୍ଷରୁ ଉର୍ଦ୍ଧ ଉଠାଣ ହୋଇଛି ତାହାର ହିସାବ ନାହିଁ ।
ଏଥିସହ ୧୫ଲକ୍ଷ ୩୧ ହଜାର ୪ଶହ ୯୦ ଟଙ୍କା ଅସୂଲି କରିବା ପାଇଁ ଆଦେଶ ଦିଆଯାଇଛି । ଏହି ଅଡ଼ିଟ ରିପୋର୍ଟକୁ ନେଇ ରାୟଗଡ଼ା ଆଦମୀ ପାର୍ଟି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆବାହକ ଜନ୍ମେଜୟ ସ୍ୱାଇଁ ଅଭିଯୋଗ କରିଛନ୍ତି ଯେ ତୁରନ୍ତ ଦୁର୍ନିତୀରେ ଲିପ୍ତ ଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରଦଣ କରିବା ସହ ଲୁଟ ହୋଇଥିବା ଅର୍ଥକୁ ସରକାରୀ ଖାତାରେ ଜମା କରାଯାଉ ନଚେତ ନବୀନ ନିବାସ ଆଗରେ ଧାରଣା ଦିଆଯିବ । ଏହି ଅନିୟମିତତା ବାବଦରେ କୋଲନରା ବିଡ଼ିଓ ତାପୋସ ଭୋଇଙ୍କୁ ପଚାରିବାରୁ ମୁଁ ଏହି ବିଷୟରେ ଅବଗତ ନାହିଁ । କାର୍ଯ୍ୟାଳୟର ମୁଖ୍ୟ କିରାଣୀଙ୍କୁ ବୁଝିବା ପରେ ମତାମତ ଦେବି ବୋଲି କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା ସଂଗଠକ ସୁଚିତ୍ରା ପାଇକ, ବିଷ୍ଟୁପ୍ରିୟା ଝୋଡ଼ିଆ ଜିତେନ୍ଦ୍ର ସେନାପତି, ଚକ୍ରଧର ମହାପାତ୍ର ସହ ସଦସ୍ୟ ଅନ୍ୟମାନେ ଉପସ୍ଥିତଥିଲେ ।
