ରାୟଗଡା(Rabindra Patkhandal) : ଚଳିତ ବର୍ଷ ଆରମ୍ଭ ହୋଇଛି ରାୟଗଡ଼ା ଜିଲ୍ଲାର ଧାନ ମଣ୍ଡି । ଆନୁଷ୍ଠାନିକ ଭାବେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଉଦଘାଟନ କରିଲେ ମଣ୍ଡି ,କିନ୍ତୁ ଧାନ ବିକିବା ନେଇ ଚାଷୀ ଆସିନଥିଲେ। ଚାଷୀଙ୍କ ମନରେ ଦେଖାଦେଇଛି ଦ୍ବନ୍ଦ ସରକାରଙ୍କ ନୀୟମ ଅନୁସାରେ ରେଜିଷ୍ଟେସନ ଓ ଟୋକନ ବ୍ୟବସ୍ଥା ବାଧ୍ୟତାମୂଳକ ରହିଥିବା ଯୋଗୁଁ ବହୁ ପୂର୍ବରୁ ଚାଷୀଙ୍କ ରେଜିଷ୍ଟ୍ରେସନ କାର୍ଯ୍ୟ ସରିଯାଇଥିବା ବେଳେ କୌଣସି ହେଲେ ଚାଷୀ ଟୋକନ ପାଇ ପାରିନଥିବାରୁ ଚାଷୀଙ୍କ ଧାନମଣ୍ଡିକୁ ଆସିପାରିଲା ନାହିଁ।
ଫଳରେ ଧାନ ବିକିବାନେଇ ଏକ ପ୍ରକାର ଚିନ୍ତା ଘାରିଛି ଚାଷୀଙ୍କୁ ପ୍ରତିବର୍ଷ ଏଭଳି କୌଣସି ନା କୌଣସି ସମସ୍ୟା ରହୁଥିବାରୁ ଧାନ ଚାଷରୁ ବିମୂଖ ହେବାକୁ ବସିଲେଣି ଚାଷୀ କୂଳ। ବିଗତ ବର୍ଷ ରେଜିଷ୍ଟ୍ରେସନ କରିନପାରିବାରୁ ଜିଲ୍ଲାର ଆଠଶହରୁ ଉର୍ଦ୍ଧ୍ବ ଚାଷୀ ଧାନ ବିକ୍ରୟ କରିବାରେ ଅସମର୍ଥ ହୋଇଥିଲେ ଏବଂ ଦଲାଲ ମାନଙ୍କର ସାହାଯ୍ୟ ରେ ଧାନ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ। ସେହିପରି ଚଳିତ ବର୍ଷ ଟୋକନକୁ ନେଇ ନୂତନ ସମସ୍ୟା ଦେଖାଦେଇଛି ।
ଯାହାଫଳରେ ପୁଣି ଧାନ ବିକ୍ରିକୁ ନେଇ ଚିନ୍ତାରେ ଚାଷୀ। ତେବେ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ଚାଷୀ ମାନଙ୍କ ଚାଷଜମିର ପରିମାଣ ଓ ଅମଳକୁ ନେଇ ଯାଞ୍ଚ ଚାଲୁରହିଛି ଯେଉଁଥିପାଇଁ ଟୋକନ ଆସିବାରେ ବିଳମ୍ବ ହେବା କହିଛନ୍ତି ଯୋଗାଣ ଅଧିକାରୀ। ଅନ୍ୟପକ୍ଷରେ ଚାଷୀଙ୍କ ଅନ୍ ଲାଇନ୍ ପଞ୍ଜିକରଣ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଚାଷୀଙ୍କ ସଂଖ୍ୟା ବଢିଥିବା ସତ୍ବେ ମାତ୍ର ୮,୫୦୦ଚାଷୀଙ୍କ ଟୋକନ ଆସିଥବା ଜଣାପଡିଛି। ଚଳିତ ଖରିଫରେ ରାୟଗଡ଼ା ଜିଲ୍ଲାରୁ ୧୫ ଲକ୍ଷ ୯୦ ହଜାର କୁଇଣ୍ଟାଲ୍ ଧାନ କିଣିବା ଲକ୍ଷ୍ୟ ରଖିଛନ୍ତି ସରକାର। ଏଥି ପାଇଁ ୧୧ଟି ବ୍ଲକରେ ୧୮,୪୨୫ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି।
୨୦୧୯-୨୦ ଖରିଫରେ ୧୭ ହଜାର ୯୯୬ ଚାଷୀଙ୍କ ନିକଟରୁ ସରକାର ୧୨ ଲକ୍ଷ ୮୦ ହଜାର କୁଇଣ୍ଟାଲ୍ ଧାନ କିଣିଥିଲେ। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୮ଲକ୍ଷ କୁଇଣ୍ଟାଲ୍ ଧାନ କିଣିବା ଯୋଜନା ରଖିଛି ଯୋଗାଣ ବିଭାଗ ।ସେଥିମଧ୍ୟରୁ ୧୩,୫୯୦ଜଣ ଚାଷୀଙ୍କ ଯାଞ୍ଚ ପ୍ରକ୍ରିୟା ସରିଛି ଏବଂ ୮,୫୦୦ଜଣ ଚାଷୀଙ୍କ ଟୋକନ ଆସିଛି କିନ୍ତୁ ଏପର୍ଯ୍ୟନ୍ତ କୌଣସି ଚାଷୀ ଟୋକନ ପାଇନାହାନ୍ତି।ତେବେ ପ୍ରତିବର୍ଷ ଭଳି ଦଲାଲଙ୍କ ଶୀକାରରେ ଛନ୍ଦିହୋଇ ନିଜର ପ୍ରାପ୍ୟ ହରାଉଛି ନା ଚଳିତ ବର୍ଷ ଉପଯୁକ୍ତ ପ୍ରାପ୍ୟ ପାଇବାରେ ସମର୍ଥ ହୋଇପାରୁଛି ଆଗାମୀ ସମୟକୁ ଅପେକ୍ଷା।
