Odisha news

ପଲ୍ୟୁସନ୍ ଟେଷ୍ଟିଂ ଏଜେନ୍ସିର ଚୁକ୍ତି ବାତିଲ କଲେ ରାୟଗଡ ଆରଟିଓ

0

ରାୟଗଡା- ରାୟଗଡ ସହରର ମା’ମଝିଘରିଆଣୀ ମୋବାଇଲ ପଲ୍ୟୁସନ ଟେଷ୍ଟିଂ ନାମକ ଏକ ଏଜେନ୍ସିର ଚୁକ୍ତି ପ୍ରମାଣପତ୍ରକୁ ଆସନ୍ତା ତିନି ମାସ ପାଇଁ ବାତିଲ କରିଛନ୍ତି ରାୟଗଡା ଜିଲ୍ଳା ଆଂଚଳିକ ପରିବହନ ଅଧିକାରୀ ଦିଲିପ କୁମାର ବେହେରା ଏବଂ ରାଜ୍ୟ ପରିବହନ ଆୟୁକ୍ତଙ୍କୁ ଏହି ଏଜେନ୍ସିର ଲାଇସେନ୍ସ ଓ ଆଇଡି ବ୍ଳକ କରିବାକୁ ସୁପାରିଶ କରିଥିବା ଜଣାପଡିଛି । ମିିଳିଥିବା ସୂଚନା ପ୍ରକାରେ ଗତ ମାର୍ଚ୍ଚ ୩ତାରିଖ ଦିନ ଗଜପତି ଜିଲ୍ଳା ପରିବହନ ବିଭାଗ ପକ୍ଷରୁ ରାୟଗଡାର ଏକ ଟ୍ରକ (ଓଆର୧୮ସି-୩୮୩୭)କୁ ଯାଂଚ ସମୟରେ ଅନେକ କାଗଜପତ୍ର ନ ଥିବାରୁ ଜବତ କରାଯାଇଥିଲା ।

ଗଜପତି ପରିବହନ ନିରୀକ୍ଷକ ସକାଳ ୯ଟା ୨୮ମିନିଟରେ ଟ୍ରକଟିକୁ ଜବତ କରିଥିବା ବେଳେ ଉକ୍ତ ଦିନ ସଂଧ୍ୟା ୫ଟା ୨୯ମିନିଟରେ ରାୟଗଡର ମା’ମଝିଘରିଆଣୀ ମୋବାଇଲ ପଲ୍ୟୁସନ ଟେଷ୍ଟିଂ ଏଜେନ୍ସି କର୍ତୁପକ୍ଷ ଜବତ ଟ୍ରକର ଧୂଆଁ ପ୍ରମାଣପତ୍ର ଠିକ ଥିବା ପ୍ରଦାନ କରିଥିଲେ । ସପ୍ତାହ ବ୍ୟବଧାନ ପରେ ଟ୍ରକ ମାଲିକ ସମସ୍ତ କାଗଜପତ୍ର ନେଇ ଗଜପତି ପରିବହନ ନିରୀକ୍ଷକଙ୍କ ଠାରେ ଦାଖଲ କରିଥିବା ବେଳେ ପ୍ରଦାନ କରାଯାଇଥିବା ଧୂଆଁ ପ୍ରମାଣପତ୍ରକୁ ଅଧିକାରୀ ଜଣକ ଧରିଥିଲେ । ୩ତାରିଖ ସକାଳେ ଟ୍ରକ ଜବତ ହୋଇଥିବା ବେଳେ ଏଜେନ୍ସି ପକ୍ଷରୁ କିପରି ଭାବେ ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ନେଇ ନିରୀକ୍ଷକ ପ୍ରଶ୍ନ କରିଥିଲେ ।

ଏ ନେଇ ଟ୍ରକ ମାଲିକ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିବାରୁ ଗଜପତି ପରିବହନ ଅଧିକାରୀ ରାୟଗଡା ଆରଟିଓଙ୍କୁ ଜଣାଇଥିଲେ । ଖବର ପାଇବା ପରେ ରାୟଗଡା ଆରଟିଓ ଶ୍ରୀ ବେହେରା ସଂପୃକ୍ତ ଏଜେନ୍ସି କର୍ତୁପକ୍ଷଙ୍କୁ ଡାକି କାରଣ ଦର୍ଶାଅ ନୋଟିସ ଜାରି କରିଥିବା ବେଳେ କର୍ତ୍ତୁପକ୍ଷ ମଧ୍ୟ କୈାଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଏଜେନ୍ସିର ଚୁକ୍ତି ପ୍ରମାଣ ପତ୍ର ସହ ଲାଇସେନ୍ସକୁ ବାତିଲ କରିଦେଇଥିବା ପରିବହନ ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply