ବାରିପଦା : ବର୍ତ୍ତମାନ ବିଶ୍ୱ କରୋନା ମହାମାରୀ ଦ୍ୱାରା ଭୟଙ୍କର ଭାବେ କବଳିତ ଓ ଜନସମାଜର ଧନ ଓ ଜୀବନ ବ୍ୟାପକ ଭବେ ପ୍ରଭାବିତ ହୋଇଥିବାବେଳେ ମୟୂରଭଞ୍ଜ ଜିଲ୍ଲା ମଧ୍ୟ ବିଶେଷ ଭାବରେ ପ୍ରଭାବିତ ହୋଇଅଛି । ତେଣୁ ବାରିପଦା ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତ ଲୀଳାମୟ ପ୍ରଭୁ ଶ୍ରୀଶ୍ରୀ ହରିବଳଦେବ ମହାପ୍ରଭୁଙ୍କ ରଥଯାତ୍ରାକୁ ଏହି ଦୁଃ ସମୟରେ କରୋନା ମହାମାରୀ ଜନିତ କଟକଣା, ସାମାଜିକ ଦୂରତ୍ୱ ଓ ସାବଧାନ ସୂଚକ ନିୟମାବଳି ମଧ୍ୟରେ ସମ୍ପାଦନ କରିବା ଏକ ମୁଖ୍ୟ ସମସ୍ୟା ରୂପେ ପ୍ରତିଭାତ ହୋଇଅଛି ।
ଭକ୍ତ ବିହୀନ ରଥ ଯାତ୍ରା ଶ୍ରଦ୍ଧାଳୁ ମାନଙ୍କ ଭାବବେଗକୁ ପ୍ରଭାବିତ କରୁଥିବାବେଳେ ଜନସମାଗମକୁ ସମ୍ପୂର୍ଣ୍ଣ ରୂପେ ଏଡେଇ ଦିଆଯିବା ସମ୍ଭବ ନୁହେଁ ଓ ତତ୍ଜନିତ ସମ୍ଭାବ୍ୟ ସଂକ୍ରମଣକୁ ରୋକାଯାଇପାରିବା ମଧ୍ୟ ଅସମ୍ଭବ ମନେ ହୁଏ । ଏଥିସହିତ ଅନ୍ୟ ବିକଳ୍ପ ବିଷୟକୁ ପଙ୍ଖାନୁପଙ୍ଖ ଭାବରେ ଅନୁଧ୍ୟାନ କରିବାପରେ ଏହା ପ୍ରତିୟମାନ ହୁଏ ଯେ, ଶ୍ରୀଶ୍ରୀହରିବଳଦେବ ମହାପ୍ରଭୁଙ୍କର ରଥଟଣା ସମ୍ଭବ ନୁହେଁ । ତେଣୁ ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ଶ୍ରୀଶ୍ରୀ ହରିବଳଦେବ ମହାପ୍ରଭୁଙ୍କ ରଥଯାତ୍ରା ଏବଂ ବାହୁଡାଯାତ୍ରା ତତ୍ସଂଲଗ୍ନ ଅନ୍ୟାନ୍ୟ ଉସôବ ଆଦିକୁ ମନ୍ଦିର ପରିସରରେ କେବଳ ସେବାୟତମାନଙ୍କ ଦ୍ୱାରା ଯଥାବିଧି ନୀତିକାନ୍ତି ସହ ସମ୍ପନ୍ନ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଶ୍ରୀଶ୍ରୀହରିବଳଦେବ ମହାପ୍ରଭୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦିଆଯାଇଛି ।