ପୁରୀ : ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ତେବେ କରୋନା ସମ୍ପୂର୍ଣ୍ଣ ସରି ନାହିଁ।ତେଣୁ ସରକାର ପୁରୀକୁ ଆସୁଥିବା ଯାତ୍ରୀ ମାନଙ୍କ ପାଇଁ ୧୦ ଲକ୍ଷ ମାସ୍କ ବଣ୍ଟନର ବ୍ୟବସ୍ଥା କରିଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନଵ କିଶୋର ଦାସ ସୂଚନା ଦେଇଛନ୍ତି। ସୋମବାର ଅପରାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଠାରେ ମନ୍ତ୍ରୀ ଶ୍ରୀ ଦାସ ଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ଉପଲକ୍ଷେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସରକାର ଓ ପ୍ରଶାସନ ରଥଯାତ୍ରାକୁ ସୁଚାରୁ ରୁପେ ସମ୍ପର୍ଣ୍ଣ ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି।ତେବେ ଏବେ ବି କରୋନାର ଡର ରହିଛି ବୋଲି ମନ୍ତ୍ରୀ କହିବା ସହ ପ୍ରତ୍ୟେକ ମାସ୍କ ପରିଧାନ ଓ ଟୀକାକରଣ ପାଇଁ ଅନୁରୋଧ କରିଥିଲେ।
ରଥଯାତ୍ରା ପାଇଁ ସହରର ବିଭିନ୍ନ ସ୍ଥାନରେ ୩୦ ଟି ପ୍ରାଥମିକ ଚିକିତ୍ସା କେନ୍ଦ୍ର, ୫୮ଟି ଆମ୍ବୁଲାନ୍ସ,୧୪୪ ଗୋଟି ଷ୍ଟ୍ରେଚର,୭୮୫ ଜଣ ସ୍ୱଛାସେବୀ, ୧୪୫ ଡାକ୍ତର,୨୦ଜଣ ଫୁଡ ସେଫଟି ଅଫିସର, ୪୦ ଜଣ ଫାର୍ମାସିଷ୍ଟ, ୩୦ ଜଣ ନର୍ସ ,୩୫ ଜଣ ସ୍ୱାସ୍ଥ୍ୟ କର୍ମୀ ଙ୍କୁ ଦାୟିତ୍ୱ ରେ ରଖାଯାଇଛି। ୨୮୭ ଗୋଟି ସାଧାରଣ ରୋଗୀ ମାନଙ୍କ ବେଡ, ୨୬ ଗୋଟି ଅଂଶୁଘାତ ଆକ୍ରାନ୍ତଙ୍କ ପାଇଁ ଏସି ବେଡର ବ୍ୟବସ୍ଥା କରାଯାଇଛି। ୬ ଲକ୍ଷ ଓଆରଏସ ପ୍ୟାକେଟ ମଧ୍ୟ ଗଛିତ ରଖାଯାଇଛି ବୋଲି ସମୀକ୍ଷା ବୈଠକ ରେ ଅବଗତ କରାଯାଇଥିଲା। ଏହି ବୈଠକରେ ଭାରପ୍ରାପ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଜାତୀୟ ସ୍ୱାସ୍ଥ୍ୟ ମିଶନର ମିଶନ ଡାଇରେକ୍ଟର ଶାଲିନୀ ପଣ୍ଡିତ, ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ,ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ଅଜିତ କୁମାର ମହାନ୍ତି, ଅତିରିକ୍ତ ସଚିବ ଶୁଭାନନ୍ଦ ମହାପାତ୍ର, ଡାଇରେକ୍ଟର ର ହେଲ୍ଥ ସର୍ଭିସେସ ଡାକ୍ତର ବିଜୟ କୁମାର ମହାପାତ୍ର, ଡାଇରେକ୍ଟର ନର୍ସିଂ ଡାକ୍ତର ସଂଯୁକ୍ତା ସାହୁ,ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ପ୍ରଧାନ, ଓଡିଶା ରାଜ୍ୟ ଔଷଧ ନିଗମର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ଜ୍ଞାନବ୍ରତ ମହାନ୍ତି ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଜାତା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।
