Odisha news

ରଥଯାତ୍ରା : ନବଦିନ ଯାତ୍ରାର ମହତ୍ୱ

ଅନିତା ପଟ୍ଟନାୟକ : ପୃଥିବୀ ପ୍ରସିଦ୍ଧ ରଥଯାତ୍ରା ଆଷାଢ଼ ମାସ ଶୁକ୍ଳପକ୍ଷ, ଦ୍ୱିତୀୟା ତିଥିରେ ପଡ଼ିଥାଏ । ଏହାକୁ ନବଦିନ ଯାତ୍ରା, ଘୋଷଯାତ୍ରା ବା ଦଶଅବତାର ଯାତ୍ରା ବୋଲି କୁହାଯାଏ । ଏହି ପବିତ୍ର ରଥଯାତ୍ରା ପୁରୀ ମନ୍ଦିରର ତିନି ମୁଖ୍ୟ ଦେବତା ଜଗନ୍ନାଥ, ତାଙ୍କର ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ଚଇତା କମଳରେ ସମର୍ପିତ । ସେ ଜଗତରନାଥ ତେଣୁ ତାଙ୍କୁ ଜଗନ୍ନାଥ କୁହାଯାଏ । ତାଙ୍କର ଡାକ ନାମ କାଳିଆ କାରଣ ତାଙ୍କର ମୁହଁ କଳିଆ । ସେହିପରି ତାଙ୍କର ବଡ଼ଭାଇ ବଳଭଦ୍ର ଓ ଡାକ ନାମ ବଳିଆ କାରଣ ସେ ଅମାପ ବଳର ଅଧିକାରୀ ହୋଇଥିଲେ ହେଁ ଭଦ୍ର । ଭଉଣୀ ସୁଭଦ୍ରାଙ୍କୁ କାମ୍ପିଲ୍ୟବାସିନୀ ମଧ୍ୟ କୁହାଯାଏ । ଦେବୀ ଶୁଶ୍ରୀ (ସୁନ୍ଦରୀ) କିନ୍ତୁ ଭଦ୍ରା ତେଣୁ ତାଙ୍କୁ ସୁଭଦ୍ରା କୁହାଯାଏ । ତିନୋଟି ରଥ ମଧ୍ୟରୁ ଯାହାର ନାମ ନନ୍ଦିଘୋଷ ସେଥିରେ ଜଗନ୍ନାଥ ବିରାଜମାନ କରନ୍ତି ।

ଏହ ରଥର ଅନ୍ୟନାମ ଗରୁଡ଼ଧ୍ୱଜ ବା କପିଧ୍ୱଜ ମଧ୍ୟ କୁହାଯାଏ । ଏହି ରଥର ସାରଥୀଙ୍କୁ ଡାହୁକ କୁହାଯାଏ । ସେହିପରି ଯେଉଁ ରଥର ନାମ ତାଳଧ୍ୱଜ ବା ଲଙ୍ଗଳାଧ୍ୱଜ ସେଥିରେ ଜଗନ୍ନାଥଙ୍କ ବଡ଼ଭାଇ ପୂଜ୍ୟ ବଳଭଦ୍ର ବିରାଜମାନ କରନ୍ତି । ଏହି ରଥର ସାରଥୀ ନାମ ମାତଳୀ । ଅନ୍ୟ ଏକ ସୁସଜ୍ଜିତ ରଥ ବିଶିଷ୍ଟରେ ଜଗନ୍ନାଥଙ୍କ ଭଉଣୀ ଦେବୀ ସୁଭଦ୍ରା ବିରାଜମାନ କରନ୍ତି । ସେହି ରଥର ନାମ ଦର୍ପଦଳନ ତାର ସାରଥି ଅର୍ଜ୍ଜୁନ ଅଟନ୍ତି । ପୃଥିବୀର ଏହି ସର୍ବପୁରାତନ ରଥଯାତ୍ରା ନଅଦିନ ଧରି ଚାଲେ ତ ବାହୁଡ଼ା ଯାତ୍ରାରେ ସମାପନ ହୁଏ । ସେ ସମୟରେ ଜଗନ୍ନାଥଙ୍କ ନିକଟରେ ପୋଡ଼ପିଠା ଭୋଗ ହୋଇଥାଏ । ଏହି ବାରଶ ଶତାବ୍ଦୀ ପୁରାତନ ରଥଯାତ୍ରା ସମ୍ବନ୍ଧରେ ବ୍ରହ୍ମପୁରାଣ, ପଦ୍ମପୁରାଣ, ସ୍କନ୍ଦ ପୁରାଣ ଓ କପିତା ପୁରାଣରେ ବର୍ଣ୍ଣିତ ଅଛି ଯାହାକି ପ୍ରଣିଧାନ ଯୋଗ୍ୟ ।

ପୁରୀ ମନ୍ଦିର ଠାରୁ ବଡ଼ଦାଣ୍ଡରେ ତିନୋଟି ରଥକୁ ସୁସଜ୍ଜିତ କରି ତାର ଚାରିପଟେ ଶୋଭାଯାତ୍ରା କରି ତିନି କିଲୋମିଟର ଦୂରରେ ଥିବା ମାଉସୀ ମା ମନ୍ଦିରକୁ ଆବାଳ, ବୃଦ୍ଧ ବନିତା ଟାଣି ନେଇଥାନ୍ତି । କଥାରେ ଅଛି ଯେ ପୁରୀ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ରାଜା ଇନ୍ଦ୍ରଦୁ୍ୟମ୍ନଙ୍କର ପତ୍ନୀଙ୍କ ନାମ ଗୁଣ୍ଡିଚା ସେ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ ଥିଲେ । ତାଙ୍କର ଭକ୍ତିରେ ପ୍ରୀତ ହୋଇମହାପ୍ରଭୁ ବର୍ଷକୁ ଥରେ ତାଙ୍କ ଭାଇ ଓ ଭଉଣୀଙ୍କୁ ଧରି ତାଙ୍କ ଘରକୁ ଯିବେ ବୋଲି ବର ଦେଇଥିଲେ । ସେହିଦିନ ଠାରୁ ରାଣୀ ମହଲ ଉଆସ ଗୁଣ୍ଡିଚା ମନ୍ଦିରରେ ପରିଣତ ହୋଇଛି । ଏହି ପବିତ୍ର ରଥଯାତ୍ରା ଅବସରରେ ପୁରୀର ଗଜପତି ସୁନା ଖଡ଼ିକାରେ ରଥ ଓ ବଡ଼ଦାଣ୍ଡକୁ ଓଳାଇ ଥାଆନ୍ତି । ଏହା ଆମକୁ ନିଦେ୍ର୍ଦଶ କରେ ଯେ ସମସ୍ତଙ୍କୁ ପ୍ରେମ କର ଓ ସମସ୍ତଙ୍କର ସେବା କର । କାରଣ ପ୍ରଭୁ ସମସ୍ତଙ୍କ ମଧ୍ୟରେ ବିରାଜମାନ ।

ଏହି ପରମ୍ପରା ଆଉ ମଧ୍ୟ ସୂଚନା ଦିଏ “ସେବା କର ନିରନ୍ତର ଅନିଷ୍ଟ ନକର କାହାର’ । ଏହି ସେବାକୁ ଭକ୍ତମାନେ ଚାହିଁ ବସିଥାନ୍ତି କାରଣ ଏହା ରାଜାଙ୍କ ସେବା ନୁହେଁ ବରଂ ଜଗନ୍ନାଥଙ୍କ ବାସ (ବା ବାସନା ବା ସୁଗନ୍ଧ) । କିମ୍ବଦନ୍ତୀ ରହିଅଛି କି, ଗୁଣ୍ଡିଚା ଜଗନ୍ନାଥଙ୍କ ମାଉସୀ ଅଟନ୍ତି । ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା କୁଆଡ଼େ ସ୍ନେହ ଓ ଆଦରରେ ବନ୍ଧା । ତେଣୁ ଗୁଣ୍ଡିଚା ପ୍ରତିବର୍ଷ ତାଙ୍କୁ ସ୍ନେହ, ଆଦର କରିବା ପାଇଁ ଭକ୍ତି ନିବେଦନ କରିଥିବାରୁ ପ୍ରଭୁ ଏହାକୁ ଏଡ଼ାଇ ନପାରି ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି । ଏହା ମଧ୍ୟ ବିଶ୍ୱାସ କରାଯାଏ କି ଅନେକ ଭକ୍ତ ଆଧ୍ୟାତ୍ମିକ ଉନ୍ନତିର ଶୀର୍ଷ ସ୍ଥାନରେ ମୁକ୍ତି ଚାହିଁଥାନ୍ତି । ତେଣୁ ରଥରେ ଜଗନ୍ନାଥଙ୍କୁ ଦର୍ଶନ କରିବା, ରଥ ଦଉଡି ଟାଣିବା, ବା ରଥ ଦଉଡି ଟାଣିବାରେ ଅନ୍ୟକୁ ସାହାଯ୍ୟ କରିବା ଅତ୍ୟନ୍ତ ପବିତ୍ର କାର୍ଯ୍ୟ ବୋଲି ଗଣାଯାଏ । କୁହାଯାଉଛି ଯେ, “ରଥନ ବାମନଂ ଦୃଷ୍ଟା ପୁର୍ନଜନ୍ମ ନ ଲଭତେ’ । ଏହି ସମୟରେ ଅବାଳ ବୃଦ୍ଧ ବନିତା ବ୍ରାହ୍ମଣ ଠାରୁ ଚଣ୍ଡାଳ ପର୍ଯ୍ୟନ୍ତ ଏପରିକି ପରଦେଶୀ ସମସ୍ତେ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରି ପ୍ରଭୁଙ୍କୁ ଆଲିଙ୍ଗନ କରିପାରିଥାଆନ୍ତି । ଏହା ମଧ୍ୟ ବିଶ୍ୱାସ ରହିଅଛି କି ଜଗନ୍ନାଥ, ବଳଭଦ୍ର ଓ ମା’ସୁଭଦ୍ରାଙ୍କର ଶ୍ରୀଗୁଣ୍ଡିଚା ମଧ୍ୟରେ ଦର୍ଶନ ଶତ ଅଶ୍ୱଯଜ୍ଞର ଫଳପ୍ରଦାନ କରିଥାଏ । ତେଣୁ ଏହାକୁ ପ୍ରଭୁଙ୍କର ପରମ ଆଶ୍ରିତ ରାଜାମାନେ ଏକ ସୁଯୋଗ ଭାବି ହାତଛଡ଼ା କରୁନଥିଲେ ।

ରଥଯାତ୍ରାର ସପ୍ତମ ଦିନ ପୂର୍ବରୁ ପୁରୀ ମନ୍ଦିରକୁ ବନ୍ଦ କରିଦିଆଯାଇଥାଏ । କାରଣ ସେ ସମୟରେ ୧୦୮ ସୂର୍ଯ୍ୟ ସ୍ନାନ ହେତୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଜ୍ୱର ହୋଇଥାଏ ଓ ବିଶେଷ ଉପଚାର ପରେ ରୋଗମୁକ୍ତ ହୋଇ ସେ ତାଙ୍କର ମାଉସୀ ଗୁଣ୍ଡିଚାଙ୍କ ଘରକୁ ବୁଲିଯାଆନ୍ତି । କଥାରେ ଅଛି କୃଷ୍ଣ ଓ ବଳରାମଙ୍କର ମାମୁଁ କଂସ ସେମାନଙ୍କୁ ମାରିବା ପାଇଁ ମଥୁରାକୁ ଡାକିଥିଲେ । ସେଥିପାଇଁ ସେ ଅକ୍ରୁରଙ୍କୁ ରଥ ଦେଇ ପଠାଇଥିଲେ । କୃଷ୍ଣ ଓ ବଳରାମ ଦୁଷ୍ଟ ସଂହାର ନିମନ୍ତେ ରଥାରୁଢ଼ ହୋଇ ଅତ୍ୟନ୍ତ ଆନନ୍ଦ ସହିତ ଆସିଥିଲେ ।

ସେହି ଦିନକୁ ମନେପକାଇ ରଥଯାତ୍ରା କରାଯାଇଥାଏ । ଏହି ରଥଯାତ୍ରା କୃଷ୍ଣ ଓ ବଳରାମଙ୍କର ପିଲାଦିନର କାହାଣୀ ସହିତ ଜଡ଼ିତ ଥିବାରୁ ଜଗନ୍ନାଥ ତାଙ୍କର ପତ୍ନୀ ଲକ୍ଷ୍ମୀଙ୍କୁ ରଥଯାତ୍ରାରେ ନେଇନଥାନ୍ତି । ଏହା ମଧ୍ୟ କଥିତ ଅଛି ଯେ କୃଷ୍ଣଙ୍କର ଆଠଜଣ ସ୍ତ୍ରୀ ଯାହାଙ୍କୁ ଅଷ୍ଟ ପାଟବଂଶୀ କୁହାଯାଏ । ଯଥା ରୁକ୍ମଣୀ (ବିଦର୍ତ୍ତ ରାଜକନ୍ୟା), ସତ୍ୟଭାମା, ଜାମ୍ବବତୀ, କାଳନ୍ଦୀ, ଭଦ୍ରା, ଅମିତାଭିନ୍ଦା, ସତ୍ୟା, ଲକ୍ଷ୍ମଣା, କୃଷ୍ଣଙ୍କ ମା’ରୋହିଣୀଙ୍କୁ କୃଷ୍ଣଙ୍କ ଜନ୍ମକଥା ଓ ଗୋପୀମାନଙ୍କ ଭକ୍ତି ସମ୍ବନ୍ଧରେ କହିବାକୁ ଅନୁରୋଧ କରିବାରେ ରୋହିଣୀ ଆଦୌ ରାଜି ହୋଇନଥିଲେ । କନ୍ତୁ ବିଶେଷ ଅନୁରୋଧ କରିବାକୁ ସେ ଏକ ସର୍ତ୍ତରେ ଏହା କହିବା ପାଇଁ ରାଜି ହୋଇଥିଲେ ।

ସର୍ତ୍ତଯି ଥିଲା ଯେ ଏକଥା ଯେପରି କେହି ନଜାଣନ୍ତି ବା ଶୁଣନ୍ତି । ତେଣୁ ସଭୁଦ୍ରାଙ୍କୁ ଦ୍ୱାରପାଳ ରୂପେ ନିଯୁକ୍ତି ଦିଆଗଲା । ସୁଭଦ୍ରା ଦୁଇହାତ ମେଲାଇ ଦ୍ୱାରପାଳ ଭାବେ ଜଗିଥିବା ସମୟେ କୃଷ୍ଣ ଓ ବଳରାମ, ଦ୍ୱାର ଦେଶରେ ଉପସ୍ଥିତ ହୋଇ ଯିବାକୁ ଚାହିଁବାରୁ ସୁଭଦ୍ରା ଛାଡ଼ି ନଥିଲେ । ଏହି ସମୟରେ ନାରଦ ସେଠାରେ ଉପସ୍ଥିତ ହୋଇ ଏହି ତିିନିଜଣଙ୍କର (କୃଷ୍ଣ, ବଳରାମ ଓ ସୁଭଦ୍ରା)ଙ୍କ ଦର୍ଶନ ଭକ୍ତ ମାନଙ୍କୁ ଦେବାକୁ ଅନୁରୋଧ କରିବାରେ ସେମାନେ ତଥାସ୍ତୁ କହିଥିଲେ । କଥାରେ ଅଛି ସେହି ବର ସ୍ୱରୂପ ଆମେ ରଥଯାତ୍ରାର ତିନି ଦେବତାଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିଥାଉ । ଭଗବାନଙ୍କ ନିକଟରେ ପ୍ରାର୍ଥନା ଯେ ମହାମାରୀ ମୃତୁ୍ୟବରଣ କରିଥିବା ସମସ୍ତଙ୍କୁ ସେ ମୋକ୍ଷ ପ୍ରଦାନ କରନ୍ତୁ ଓ ରଥଯାତ୍ରାର ସମସ୍ତଙ୍କୁ ଆତ୍ମ ଦର୍ଶନ ପ୍ରଦାନ କରନ୍ତୁ ।

Shares