ହିମାଂଶୁ ଶେଖର ଆଚାର୍ଯ୍ୟ : ସୋମବାର ରାତି ପାହିଲେ ମଙ୍ଗଳବାର । ଜଗା କାଳିଆର ଘୋଷ ଯାତ୍ରା । ସମସ୍ତଙ୍କ ମନରେ ଆଶା ଓ ଆଶଙ୍କା । ଉତ୍କଣ୍ଠା ବି କମ୍ ନୁହେଁ । ମହାମାରୀ କରୋନା ଯୋଗୁଁ ରଥଯାତ୍ରା ପ୍ରସଙ୍ଗ ପହଁଚିଲା ସର୍ବୋଚ୍ଚ ନ୍ୟାୟାଳୟରେ । ପ୍ରଥମ ପର୍ଯ୍ୟାୟରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଭକ୍ତି ଅପେକ୍ଷା ଜୀବନକୁ ଗୁରୁତ୍ୱ ଦେଇ ଚଳିତ ବର୍ଷ ରଥଯାତ୍ରା ହୋଇପାରିବ ନାହିଁ ବୋଲି ରାୟ ଶୁଣାଇଲେ । ରଥଯାତ୍ରାକୁ ନେଇ ପୁଣି ଆବେଦନ କରାଗଲା । ଗତ କାଲି ସୋମବାର ଅପରାହ୍ନ ୪.୧୨ ମିନିଟ୍ ରେ ଆସିଲା ଖୁସି ଖବର । ବିନା ଭକ୍ତରେ ଏବର୍ଷ ରଥଯାତ୍ରା ପାଳନ କରିବାକୁ ଉଚ୍ଚତମ ନ୍ୟାୟାଳୟଙ୍କ ତିନିଜଣିଆ ଖଣ୍ଡପୀଠ ଆବେଦନର ପୁନର୍ବିଚାର କରି ବିନା ଭକ୍ତରେ ଏବର୍ଷ ରଥ ଟାଣିବାକୁ ସର୍ତ୍ତମୂଳକ ଅନୁମତି ଦେଲେ ।
ତନ୍ମଧ୍ୟରୁ କିଛି ପ୍ରମୁଖ ମାର୍ଗଦର୍ଶିକା ଥିଲା-ବିନା ଭକ୍ତରେ ହେବ ରଥ ଟଣା, ପ୍ରତି ରଥକୁ ୫୦୦ ଜଣ ଟାଣିବେ, ସେବାୟତ ମାନଙ୍କୁ କୋଭିଡ୍ ଟେଷ୍ଟ୍ କରାଯିବ, ପ୍ରତି ରଥଟଣାରେ ଘଣ୍ଟାଏ ଅନ୍ତର ରହିବ ଓ ଟେଲିଭିଜନରେ ସିଧାପ୍ରସାରଣ ଦେଖିବେ ଭକ୍ତ । ଏହି ରାୟ ଆସିବା ପରେ କେବଳ ଶ୍ରୀକ୍ଷେତ୍ର ପୁରୀ ବା ସାରା ଓଡିଶା ନୁହଁ, ବିଶ୍ୱର କୋଣଅନୁକୋଣରେ ଥିବା ଜଗନ୍ନାଥପ୍ରେମୀ ମାନେ ଖୁସିରେ ଆତ୍ମହରା ହୋଇପଡିଲେ । କାଳିଆ ଠାକୁରଙ୍କ ଅଲୈାକିକ ଲୀଳାକୁ ନେଇ ଚାଲିଲା ସବୁଠି ଚର୍ଚ୍ଚା । ସମସ୍ତେ କୁହାକୁହି ହେଲେ-ଭକ୍ତ ଡାକିଲା-ଜଗା ବଡ ଦାଣ୍ଡକୁ ଆସିଲା ।
ରଥଯାତ୍ରା କେବଳ ଏକ ଉତ୍ସବ ନୁହେଁ ବରଂ ଅନନ୍ୟ ପରମ୍ପରା । ମହାପ୍ରଭୁଙ୍କ ଏହି ମହାଯାତ୍ରା ସବୁବେଳେ ଆକୃଷ୍ଟ କରିଛି ବିଶ୍ୱବାସୀଙ୍କୁ । ପ୍ରତି ବର୍ଷ ଆଷାଢ ଶୁକ୍ଳପକ୍ଷ ଦ୍ୱିତୀୟା ତୀଥିରେ ଅନୁଷ୍ଠିତ ହୁଏ ଏହି ଘୋଷଯାତ୍ରା । କାଳିଆ ସାଆନ୍ତଙ୍କୁ ଆଖିପୁରାଇ ଦେଖିବା ପାଇଁ ସାରା ବିଶ୍ୱରୁ ଭକ୍ତ ଛୁଟି ଆସନ୍ତି ନୀଳାଚଳକୁ ।
ଏଠାରେ ସୂଚନାଯୋଗ୍ୟ ଯେ, ବଡ ଠାକୁର ବିଶ୍ୱର ଏକମାତ୍ର ଦେବତା ଯିଏ ବରଷକେ ଥରେ ରତ୍ନବେଦୀରୁ ଓହ୍ଲାଇଆସନ୍ତି ବଡଦାଣ୍ଡକୁ । ଭକ୍ତ ଓ ଭଗବାନ ଏକ ହୋଇଯାଆନ୍ତି । ଛୁଆଁ ଅଛୁଆଁ, ଜାତି ଅଜାତି, ବଡ ସାନର ଏଠି ସ୍ଥାନ ନଥାଏ । ଭାବ ବିନୋଦିଆ ଠାକୁର ସିଏ । ଭାବରେ ବନ୍ଧାସିଏ । ତା ଭକ୍ତକୁ ସିଏ କେବେ ନିରାଶ କରେନାହିଁ । ସେଥିପାଇଁ କେତେବେଳେ ଯବନ ସାଲବେଗକୁ ଅପେକ୍ଷାକରି ରଥକୁ ବଡଦାଣ୍ଡରେ ଅଟକାଇ ଦେଇଛନ୍ତି ତ ପୁଣି କେତେବେଳେ ବଳରାମ ଦାସଙ୍କ ବାଲିରଥରେ ବସିଛନ୍ତି । ଆଉ କେତେବେଳେ ଦାସିଆ ପଠାଇଥିବା ନଡିଆକୁ ହସିହସି ସାଦରେ ନେଇଛନ୍ତି ।ଭକ୍ତ ପାଖରେ ସେ ନିଜକୁ ବିକି ଦେଇଛନ୍ତି ଅନେକ ଥର । ମର୍ତ୍ତ୍ୟମଣ୍ଡଳରେ ନିଆରା ଠାକୁର ସିଏ । ଅନନ୍ୟ ତାଙ୍କର ଲୀଲାଖେଳା । ଜଗତରେ ଏମିତି ଠାକୁର ଆଉ କେହି ନାହିଁ !
ଚଳିତ ବର୍ଷ ମହାମାରୀ ସଙ୍କଟ ସତ୍ତ୍ୱେ ଶ୍ରୀକ୍ଷେତ୍ରରେ ରଥଯାତ୍ରାର ସମସ୍ତ କାର୍ଯ୍ୟ ଯଥାବିଧି ସମାପ୍ତ ହୋଇଥିଲା । ଶ୍ରୀ ପଞ୍ଚମୀରେ ରଥ କାଠ ପୁରୀରେ ପହଞ୍ଚିଥିଲା । ରଥଖଳାରେ ଅନୁକୂଳ କାର୍ଯ୍ୟ ମଧ୍ୟ ଯଥାରୀତି ସରିଥିଲା ।
ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାମ ଅନୁକୂଳ ହେଲା । କିନ୍ତୁ ମହାମାରୀ କରୋନାର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଲା । ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢିଚାଲିଲା । ପ୍ରତିବର୍ଷ ରଥଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାବେଶ ହୁଏ । ତେଣୁ ଭକ୍ତମାନଙ୍କ ସୁରକ୍ଷାକୁ ନେଇ ସବୁ ମହଲରେ ଚିନ୍ତା ପ୍ରକଟ କରାଗଲା । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏହିଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ଶେଷରେ ଉଚ୍ଚତମ ନ୍ୟାୟାଳୟ ପାଖରେ ପହଞ୍ଚାଇଲେ । ମାନ୍ୟବର ଅଦାଲତ ଲକ୍ଷ ଲକ୍ଷ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଚଳିତ ବର୍ଷ ରଥଯାତ୍ରା ହୋଇ ପାରିବ ନାହିଁ ବୋଲି ନିଷ୍ପତ୍ତି ଶୁଣାଇଲେ । ସବୁରି ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରିଲା । ଏବର୍ଷ ସତରେ କଣ ରଥଯାତ୍ରା ହେବନାହିଁ? ସବୁଠି ହତାଶ ଓ ନିରାଶା ଭାବ ।ପୁଣି ଥରେ ଆବେଦନ ହେଲା ଉଚ୍ଚତମ ନ୍ୟାୟାଳୟରେ । ଭକ୍ତର ଇଚ୍ଛାପୁରଣ ହେଲା । କରୋନା ସଙ୍କଟ ସମୟରେ ରଥଯାତ୍ରା ବନ୍ଦହେବା ନିଷ୍ପତି ଚୂଡାନ୍ତ ହୋଇଥିଲେ ମଧ୍ୟ ପ୍ରଭୁଙ୍କ ଅଲୈାକିକ ଲୀଳା ଦେଖିଲା ସାରା ବିଶ୍ୱ ।
ରଥଯାତ୍ରାର ଇତିହାସକୁ ଦେଖିଲେ ଜଣାଯାଏ ଯେ, ରଥଯାତ୍ରା ବନ୍ଦ ହେବା କିଛି ନୂଆ କଥା ନୁହେଁ । ଯୁଦ୍ଧ ଓ ବାହ୍ୟଶତ୍ରୁ ଆକ୍ରମଣ ଏହାର ପଧାନ କାରଣ ଥିଲା । ୧୫୬୮ ରୁ ୧୫୭୭ ଖ୍ରୀଷ୍ଟାଦ୍ଦ ଯାଏ ବନ୍ଦ ଥିଲା ରଥଯାତ୍ରା । କଳାପାହାଡ ଆକ୍ରମଣ ପାଇଁ ଚିଲିକା ନିକଟରେ ପାତାଳୀ ହୋଇଥିଲେ ଶ୍ରୀଜିଉ । ସେହିପରି ୧୬୦୧ ଖ୍ରୀଷ୍ଟାଦ୍ଦରେ ମଧ୍ୟ ଘୋଷଯାତ୍ରା ବନ୍ଦ ହୋଇଥିଲା ।ସେହି ସମୟରେ ମିର୍ଜା ଖୁରମ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ । ୧୬୧୧ ଖ୍ରୀଷ୍ଟାଦ୍ଦରେ ହୋଇପାରିନଥିଲା ରଥଯାତ୍ରା । କଲ୍ୟାଣ ମଲ୍ଲ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିବାରୁ ସେହି ସମୟରେ ବିଗ୍ରହ ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା ।
୧୬୨୧ ଖ୍ରୀଷ୍ଟଦ୍ଦରେ ସୁବେଦାର ବେଗ୍ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ । ସେହି ସମୟରେ ଦୁଇ ବର୍ଷ ଧରି ରଥଯାତ୍ରା ହୋଇପାରିନଥିଲା ।୧୬୯୨ ଖ୍ରୀଷ୍ଟାଦ୍ଦରେ ସୁବଦୋର ଏକ୍ରାମ ଖାଁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ । ଫଳରେ ୧୬୯୨ ରୁ ୧୭୦୭ ଯାଏ ୧୫ବର୍ଷ ଧରି ଠାକୁର ଶ୍ରୀମନ୍ଦିର ବାହାରେ ଅବସ୍ଥାନ କରିଥିଲେ । ଏହି ୧୫ ବର୍ଷରୁ ୧୩ ବର୍ଷ ରଥଯାତ୍ରା ହୋଇପାରିନଥିଲା । ସେହିପରି ୧୭୭୧ ଖ୍ରୀଷ୍ଟାଦ୍ଦରେ ମହମ୍ମଦ ତକି ଖାଁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ଏହି ସମୟ ମଧ୍ୟରେ ଠାକୁର ୧୬୪ ବର୍ଷଧରି ଶ୍ରୀମନ୍ଦିର ବାହାରେ ରହିଥିଲେ । ଏହି ସମୟରେ ୧୫୫ ବର୍ଷ ମଧ୍ୟରେ ରଥଯାତ୍ରା ହୋଇ ପାରିନଥିଲା । କେବଳ ୯ଥର ପ୍ରଭୁଙ୍କ ରଥଯାତ୍ରା ବାହାରେ ଆୟୋଜନ ହୋଇଥିଲା ।ଏହିପରି ଭାବେ ୪୫୨ ବର୍ଷରେ ୩୨ଥର ପାଇଁ ରଥଯାତ୍ରା ହୋଇପାରିନଥିଲା । ଏସବୁ ଘଟଣା ମାଦଳା ପାଞ୍ଜି ଓ ଚକଡାପୋଥିରେ ଉଲ୍ଲେଖ ହୋଇ ରହିଛି ।
ଚଳିତ ବର୍ଷ କରୋନା ମହାମାରୀ ସବୁକିଛି ଓଲଟପାଲଟ କରିଦେଇଛି ।ଭକ୍ତ ଓ ଭଗବାନଙ୍କ ନିକଟରେ ଲକ୍ଷ୍ମଣରେଖା ଟାଣିଦେଇଛି ଏହି କରୋନା ।କେବଳ ପୁରୀ ବ୍ୟତୀତ ଅନ୍ୟସ୍ଥାନରେ ରଥଯାତ୍ରାକୁ ଅନୁମତି ଦେଇନାହାନ୍ତି ଉଚ୍ଚତମ ନ୍ୟାୟାଳୟ । କେନ୍ଦ୍ରାପଡା, ରଣପୁର, ନୟାଗଡ, ବାରିପଦା, କୋରାପୁଟ , କେନ୍ଦୁଝର, ଭୁବନେଶ୍ୱର, ବାଲେଶ୍ୱର, ଫୁଲବାଣୀ, ବଲାଙ୍ଗୀର, ସମ୍ବଲପୁର, ପୟୁରଭଞ୍ଜ, ଢେଙ୍କାନାଳ, ଗଜପତି, କଟକ, ଅନୁଗୁଳ, ଜଗତସିଁହପୁରସମେତ ରାଜ୍ୟର କୋଣ ଅନୁକୋଣରେ ପାଳିତ ହୋଇଆସୁଥିବା ରଥଟଣା ପର୍ବ ଏଥର ବନ୍ଦ । ଏ ନେଇ ସେବାୟତ ଓ ଭକ୍ତଙ୍କ ମନ ନିରାଶ । ମନରେ ଦୁଃଖ ରହିଛି ହେଲେ କାହାରିକୁ ଦୋଷ ଦେଇହଉନି । ସମସ୍ତଙ୍କ ମୁଁହରେ ଗୋଟିଏ କଥା, ଯାହା ହେଉଛି ସବୁ ସେହି କାଳିଆ ଠାକୁରଙ୍କ ଇଛା । ତେବେ ଏହି ନିରାଶା ଭିତରେ ବଡ ଖୁସିର କଥା ହେଲା ପୁରୀରେ ବଡଠାକୁରଙ୍କ ରଥଯାତ୍ରା ହେଉଛି । ଏହା କେବଳ ଭକ୍ତ ଓ ଭାବର ବିଜୟ ବୋଲି କୁହାଯାଇପାରେ । କାଳିଆ ଚାହିଁଲେ ଆରବର୍ଷକୁ ପୁଣି ଧୁମ୍ଧାମରେ ରଥଯାତ୍ରାହେବ ଓ ଆମେ ସମସ୍ତେ ଦେଖିବାର ସୁଯୋଗ ପାଇବା ।