ରଣପୁର:ଦୀର୍ଘଦିନ ବ୍ୟବଧାନ ପରେ ରଣପୁର ଥାନା ପୋଲିସ୍କୁ ଆଉ ଏକ ସଫଳତା ମିଳିଛି । ଦୀର୍ଘ ୧ବର୍ଷରୁ ଉର୍ଦ୍ଧ୍ୱ ଦିନ ଧରି ରଣପୁର ମା ଜୁଏଲାରୀ ଡକାୟତି ମାମଲାର ମାଷ୍ଟର ମାଇଁଣ୍ଡ କୁହାଯାଉଥିବା ଶେଷଦେବ ରାଉଳକୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି । ପୋଲିସଠାରୁ ସୁଚନା ଅନୁସାରେ ଗତ ୨୩-୧୨-୨୦୧୮ ରାତ୍ର ୯ଘଟିକା ସମୟରେ ରଣପୁର ମେନ୍ ରୋଡରେ ଥିବା ମା ଜୁଏଲାରୀର ମାଲିକ ରଂଜିତ୍ ସାହୁ ଦୋକାନ ବନ୍ଦ କରି ଘରକୁ ବାହାରୁଥିବା ବେଳେ ବମ୍ ପକାଇ ଡକାୟତି ହୋଇଥିଲା ଏବଂ କିଛିଦିନ ପରେ ସେହି ଡକାୟତି ଘଟଣାରେ ଅନ୍ୟତମ ଅଭିଯୁକ୍ତା ଯଶୋଦା ନାୟକକୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିଲେ ଏବଂ ପଚରା ଉଚୁରା କରିଥିବା ବେଳେ ସେ ଏହି ଡକାୟତି ଘଟଣାର ଶେଷଦେବ ରାଉଳ ମାଷ୍ଟର ମାଇଁଣ୍ଡ ଥିଲା ବୋଲି ପୋଲିସ୍ ଆଗରେ ପ୍ରକାଶ କରିଥିଲେ ।
ତେବେ ସହିଦିନଠାରୁ ଶେଷଦେବ ରାଉଳକୁ ରଣପୁର ପୋଲିସ୍ ଖୋଜୁଥିଲେ ମଧ୍ୟ ତାକୁ ଗିରଫ କରିବା ସଫଳ ହୋଇନଥିଲା । ସେହିଦିନଠାରୁ ପୋଲିସ୍ ତାର ପିଛା କରୁଥିଲା । ଗତ ମାର୍ଚ୍ଚ ୧୯ ତାରିଖ ସଂଧ୍ୟାରେ ଦର୍ପନାରାୟଣପୁର ଫାଣ୍ଡି ନିକଟ ବିଦ୍ୟୁତ୍ ସବ୍ଷ୍ଟେସନ୍ ନିକଟରେ କେହି ମଦପିଇ ଗଣ୍ଡଗୋଳ କରୁଥିବା ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ରଣପୁର ଥାନା ଇନିସ୍ପେକ୍ଟର ରଶ୍ମିରଂଜନ ଦାଶ ପହଁଚି ଗଣ୍ଡଗୋଳ କରୁଥିବା ବ୍ୟକ୍ତିକୁ ଥାନାକୁ ଆଣି ପଚରା ଉଚୁରା କଲାବେଳେ ଜାଣିବାକୁ ପାଇଲାଯେ ଗଣ୍ଡଗୋଳ କରିଥିବା ବ୍ୟକ୍ତି ମା ଜୁଏଲାରୀ ଡକାୟତି ଘଟଣାର ମାଷ୍ଟର ମାଇଁଣ୍ଡ ଶେଷଦେବ ରାଉଳ ।
ଗଣ୍ଡଗୋଳ ସ୍ଥାନରୁ ପୋଲିସ୍ ତାକୁ କାବୁ କରିବା ସମୟରେ ସେ ପୋଲିସ୍ ଉପରକୁ ମଧ୍ୟ ଆକ୍ରମଣ କରିଥିଲା । ପୋଲିସ୍ ସହ ଧସ୍ତା ଧସ୍ତି ପରେ ପୋଲିସ୍ ତାକୁ କାବୁ କରିନେଇଥିଲା । ତେବେ ତା ନାମରେ ପୁର୍ବରୁ ପୁରୀ, ବୌଦ୍ଧ, ନୟାଗଡ ଆଦି ଯାଗାରେ ୧୦ରୁ ଉର୍ଦ୍ଧ୍ୱ ମାମଲା ଥିବା ଜଣା ପଡିଛି । ଡକାୟତି ଯୋଜନା ଓ ପୋଲିସ୍ ସହ ଧସ୍ତା ଧସ୍ତି୨ଟି ମାମଲାରେ ରଣପୁର ପୋଲିସ୍ କୋର୍ଟ ଚାଲାଣ କରାଯାଇଥିବା ଜଣା ପଡିଛି । ଜାମିନ୍ ନାମଂଜୁର ହେବାରୁ ଅଭିଯୁକ୍ତକୁ ରଣପୁର ଜେଲ ହାଜତକୁ ପଠାଇ ଦିଆଯାଇଛି ।