ରଣପୁର : ସାରା ରାଜ୍ୟରେ କରୋନା ଭାଇରସ୍ର ପ୍ରକୋପ ଓ ଭୟାବହତାକୁ ନେଇ ଏହାକୁ କାବୁ କରିବା ପାଇଁ ରାଜ୍ୟ ସରକାର ଲକ୍ଡାଉନ୍ ଓ ସଟ୍ଡାଉନ ନିୟମ ଜାରି କରିଥିଲା ବେଳେ ଏହାର ସୁଯୋଗ ନେଇ ଚୋରା ମଦ ବ୍ୟବସାୟୀ ମାଫିଆଙ୍କ କାରବାର ସକ୍ରିୟ ହୋଇ ଉଠିଥିବା ଅଭିଯୋଗ ହେଉଛି । ରଣପୁର ବ୍ଲକ୍ ଅଂଚଳର ଯଥା ରଣପୁର ବଜାର, କାସନ୍ଦା, ସୁର୍କାବାଡି, ଗୋପାଳପୁର, ଚାନ୍ଦପୁର, ବଜ୍ରକୋଟ, କୃଷ୍ଣଚନ୍ଦ୍ରପୁର ଆଦି ବହୁତ ଯାଗାରେ ଚୋରା ମଦ ବ୍ୟବସାୟୀମାନେ ଭାଟି କରି ହାତରନ୍ଧା ମଦ ବିକ୍ରି କରୁଥିଲା ବେଳେ ଦୀର୍ଘଦିନ ଧରି ରଣପୁର ବ୍ଲକ୍ ଅନ୍ତର୍ଗତ ମୟୁରଝୁଲିଆଠାରେ ନକଲୀ ବିଦେଶୀ ମଦ ଚୋରା କାରବାର ହେଉଥିବା ଅଭିଯୋଗ ହେଉଛି ।
ଏ ନେଇ ସ୍ଥାନୀୟ ଅବକାରୀ ବିଭାଗ ଜାଣିଶୁଣି ନିରବଦ୍ରଷ୍ଟା ସାଜିଛି । ଯାହା ଫଳରେ ମଦ ବ୍ୟବସାୟୀଙ୍କ ପାଇଁ ଏକ ଖୋଲା ବାତାବରଣ ସୃଷ୍ଟି ହୋଇଛି । ଏହି ଚୋରା ମଦ କାରବାର ବୃଦ୍ଧି ପାଇଥିବା ଯୋଗୁଁ ଏହାର ସିଧା ସଳଖ ପ୍ରଭାବ ଗରୀବ ଖଟିଖିଆ ଦିନ ମଜୁରିଆଙ୍କ ଉପରେ ପଡୁଛି । ସାଧାରଣତଃ ଲକ୍ଡାଉନ୍ ସଟ୍ଡାଉନ ସମୟରେ ରୋଜଗାର ହରାଇ ଘରେ ବସିଥିଲା ବେଳେ ଏହି ଚୋରା ମଦ ପିଇ ଆର୍ଥିକ ଅନଟନର ଶୀକାର ହେବା ସହ ବିଭିନ୍ନ ରୋଗର ଶୀକାର ହେଉଥିବା ବେଳେ ନିଜ ପରିବାର ପ୍ରତିପୋଷଣ କରିନପାରି ଭୋକ ଉପାସରେ ଦିନ କାଟୁଥିବା ଜଣା ପଡିଛି । ଏହାକୁ ଦୃଷ୍ଟି ଦେଇ ଅବକାରୀ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଚୋରା ମଦ କାରବାର ଉପରେ ରୋକ୍ ଲଗାଇ ପାରିଲେ ସାଧାରଣତଃ ଗରୀବ ଖଟିଖିଆ ଜନତା ଉପକୃତ ହୋଇ ପାରିବେ ବୋଲି ସାଧାରଣରେ ମତବ୍ୟକ୍ତ ହେଉଛି ।