ରଣପୁର,୨୮/୦୧ : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବଜ୍ରକୋଟ ସ୍ଥିତ ମା ଅସୁରକୁମାରୀ ଦେବୀଙ୍କ ପୀଠରେ ଚଳିତ ମାସ 26 ତାରିଖ ଶୁକ୍ଳ ପକ୍ଷ ପଞ୍ଚମୀ ଠାରୁ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି | ଏହି ମହାଯଜ୍ଞ ଚଳିତ ମାସ ଶୁକ୍ଳ ପକ୍ଷ ନବମୀ ପର୍ଯ୍ୟନ୍ତ ଅର୍ଥାତ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ |
ମା ଅସୁରକୁମାରୀ ଚାରିଟେବଲୁ ଟ୍ରଷ୍ଟ ପକ୍ଷରୁ ମିଳିଥିବା କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ମାସ 26 ତାରିଖରେ ଅଙ୍କୁରାପୋଣ, 28 ତାରିଖରେ ଦେବୀ ବରଣ, କଳସ ଯାତ୍ରା, ସୂର୍ଯ୍ୟପୂଜା, ଯଜ୍ଞ ଆରମ୍ଭ, ଭାଗବତ, ସଂକୀର୍ତ୍ତନ, ଠାକୁରାଣୀ ସ୍ନାନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା | ସେହିପରି 29 ତାରିଖରେ ସୂର୍ଯ୍ୟ ପୂଜା, ଅଖଣ୍ଡ ଯଜ୍ଞ ସହିତ ପ୍ରସାଦ ସେବନ ଓ ମନୋରଞ୍ଜନ କାର୍ଯ୍ୟକ୍ରମର କାର୍ଯ୍ୟସୂଚୀ ରହିଛି | ଆସନ୍ତା 30 ତାରିଖରେ ପୂର୍ଣ୍ଣାହୁତିର କାର୍ଯ୍ୟସୂଚୀ ରହିଥିବା ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆ ଯାଇଛି | କଳସ ଯାତ୍ରାରେ 60 ରୁ ଉର୍ଦ୍ଧ ଭକ୍ତ ସାମିଲ ହୋଇଥିଲେ | ଗୋପୀନାଥ ଦାଶ ଏଥିରେ ଆଚାର୍ଯ୍ୟ ଭାବେ କାର୍ଯ୍ୟ ଭାର ତୁଲାଉ ଥିବା ଜଣା ପଡିଛି |
ସୂଚନା ଥାଉ କି ମା ଅସୁର କୁମାରୀ ପୀଠ ଏକ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଅଟେ | ଏଠାକୁ ବର୍ଷ ସାରା ପ୍ରତିଦିନ ଶହ ଶହ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ | ଏହି ପୀଠ ବଣ ଝରଣା ସହ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଅଟେ | ଏହି ପୀଠରେ ବିବାହ ବ୍ରତ ଘର ମଧ୍ୟ କରାଯାଇଥାଏ | ଏହି ପୀଠକୁ ଓଡିଶା ବିଭିନ୍ନ ଜାଗାରୁ ଲୋକମାନେ ବଣ ଭୋଜି କରିବାକୁ ଆସିଥାନ୍ତି |
