କରୋନା ସହ ଲଢ଼ିବା ପାଇଁ ଦେଶରେ କୋଭାକ୍ସିନ୍ ଟିକା ପ୍ରସ୍ତୁତ ହୋଇଛି । ଆଗାମୀ ସପ୍ତାହରେ ଏଇ ନୂଆ ଟିକାର କ୍ଲିନିକାଲ୍ ଟ୍ରାଏଲ୍ ହେବ । ଟିକା ଟ୍ରାଏଲ୍ କରାଯିବା ବ୍ୟକ୍ତିଙ୍କ ମନୋନୟନ ମଧ୍ୟ ସରିଛି । ହୁ୍ୟମାନ୍ ଟ୍ରାଏଲ୍ ଲିଷ୍ଟରେ ପ୍ରଥମେ ରହିଛନ୍ତି ଚିରଞ୍ଜିତ ଧୀବର୍ । ଚିରଞ୍ଜିତ ପଶ୍ଚିମ ବଙ୍ଗ ଦୁର୍ଗାପୁରର ସ୍କୁଲ ଶିକ୍ଷକ ।
ଏହା ବାଦ୍ ସେ ଆର୍ଏସ୍ଏସ୍ ରାଜ୍ୟସ୍ତରୀୟ କମିଟିର ସଦସ୍ୟ । ତାଙ୍କୁ ଟ୍ରାଏଲ୍ ପାଇଁ ଆଇସିଏମ୍ଆର୍ର ଭୁବନେଶ୍ୱର କେନ୍ଦ୍ର ଆସିବାକୁ ହେବ । ସେ ଫେସ୍ବୁକ୍ ପୋଷ୍ଟ୍ ମାଧ୍ୟମରେ ଏକଥା ସମସ୍ତଙ୍କୁ ଜଣାଇ ଲେଖିଛନ୍ତି- କରୋନାଭାଇରସ୍ର କ୍ଲିନିକାଲ୍ ଟ୍ରାଏଲ୍ ପାଇଁ ନିଜ ଶରୀର ଦେଶକୁ ଦାନ କଲି । ଏପ୍ରିଲ୍ରେ ସେ କ୍ଲିନିକାଲ୍ ଟ୍ରାଏଲ୍ ପାଇଁ ଆବେଦନ କରିଥିଲେ । କିଛି ଦିନ ତଳେ ଆଇସିଏମ୍ଆର୍ର ପାଟନା କେନ୍ଦ୍ରରୁ ଟ୍ରାଏଲ୍ ପାଇଁ ତାଙ୍କୁ ମନୋନୀତ କରାଯାଇଛି ବୋଲି ଫୋନ୍ ମାଧ୍ୟମରେ ଖବର ଦିଆଯାଇଥିଲା । ଏବେ ଟିକା ଟ୍ରାଏଲ୍ ପାଇଁ ତାଙ୍କୁ ଭୁବନେଶ୍ୱର ଆମନ୍ତ୍ରଣ କରାଯାଇଛି । ଆଇସିଏମ୍ଆର୍ ସହ ମିଶି ଭାରତ ବାୟୋଟେକ୍ ଏହି ଟିକା ପ୍ରସ୍ତୁତ କରିଛି ।