ଡ଼ ପ୍ରତିଭା ମହାରଥୀ : ଶ୍ରୀରାମ ସ୍ୱୟଂ ଭଗବାନ । “ରାମସ୍ତୁ ଭଗବାନ ସ୍ୱୟମ୍” । ସୁଗ୍ରୀବ ହେଲେ ବିଷୟୀ ଜୀବ ଏବଂ ହନୁମାନ ହେଉଛନ୍ତି ଭକ୍ତି ତତ୍ତ୍ୱ । ଭକ୍ତି ହେଉଛି ଜୀବ ଏବଂ ଶିବଙ୍କ ମଧ୍ୟରେ ଏକ ଦିବ୍ୟ ସଂଯୋଗର ସେତୁ । ଜୀବ ମୋହାନ୍ଧ, ବିଷୟୀ ଓ ସ୍ୱାର୍ଥୀ । ଅପର ପକ୍ଷେ ଶିବ ବା ବ୍ରହ୍ମ ହେଉଛନ୍ତି ମୋହଶୂନ୍ୟ, ନିର୍ବିଷୟ ଓ ନିଃସ୍ୱାର୍ଥ । ଏଣୁ ଜୀବ ଓ ବ୍ରହ୍ମ ପରସ୍ପର ଭିନ୍ନ ।
“ବିଷୟ ଯାହାର ଲୋଚନ । ହରଇ ଆତ୍ମା ବୁଦ୍ଧି ଜ୍ଞାନ ।ା” (ଭାଗବତ)
ଅର୍ଥାତ୍ ବିଷୟ ବାସନାରେ ଇନ୍ଦି୍ରୟ ସୁଖ ଭୋଗରେ ଅନ୍ଧ ହୋଇଯାଇଥିବା ବ୍ୟକ୍ତିର ମୋହ, ସ୍ୱାର୍ଥ, ଲୋଭ, କାମ, କ୍ରୋଧ ଆଦି ବିକାର ଗୁଡ଼ିକ ଅବିଦ୍ୟା ବା ଅଜ୍ଞାନତାରୁ ଜାତ ହୋଇଥାଏ । ସେଥିପାଇଁ “ଭାଗବତ’ରେ ଅଛି – “ଅବିଦ୍ୟା ବଳେ ଜୀବ ବନ୍ଦୀ । ଜ୍ଞାନ ଉଦୟେ ସର୍ବସିଦ୍ଧି ।ା” ଏହି ଅବିଦ୍ୟା ଅପରା ପ୍ରକୃତିରୁ ଜାତ ହେଲାବେଳେ ବିଦ୍ୟା ପରା ପ୍ରକୃତିରୁ ଜାତ ହୋଇଥାଏ । ଏହି ପରା ପ୍ରକୃତିରୁ ଜାତ ବିଦ୍ୟା “ରାଜବିଦ୍ୟା’ ବା ଅଧ୍ୟାତ୍ମ ବିଦ୍ୟା ଅଟେ ଯାହା ବ୍ୟକ୍ତିର ମୋହ ଭାଙ୍ଗିଦିଏ, ବ୍ୟକ୍ତିକୁ ସର୍ବବନ୍ଧନରୁ ମୁକ୍ତ କରି ମୁକ୍ତି ଏବଂ ଜୀବନମୁକ୍ତି ପ୍ରଦାନ କରିଥାଏ । ସେଥିପାଇଁ ଶାସ୍ତ୍ରରେ ବର୍ଣ୍ଣିତ ଅଛି – “ତତ୍ କର୍ମ ଯ ନ ବନ୍ଧାୟ, ସା ବିଦ୍ୟା ଯା ବିମୁକ୍ତୟେ ।”
ଏହି ବିଦ୍ୟାର ଅଧିକାରୀ ବୀର ହନୁମାନଙ୍କୁ “ବୁଦ୍ଧିମତାଂ ବରିଷ୍ଠମ୍” ଓ “ଜ୍ଞାନିନାମଗ୍ରଣ୍ୟମ୍” ବୋଲି କୁହାଯାଇଛି । ହନୁମାନ ହେଉଛନ୍ତି ପରାବିଦ୍ୟା ବା ପରାଭକ୍ତି । ଭକ୍ତିର ବର୍ଣ୍ଣ ରକ୍ତବର୍ଣ୍ଣ । ଏଣୁ ହନୁମାନଙ୍କ ମୁଖ ସିନ୍ଦୂର ମଣ୍ଡିତ । ଈଶ୍ୱର ସେବ୍ୟ, ଭକ୍ତି ସେବା ଓ ଜୀବ ସେବକ । ଈଶ୍ୱର ଉପାସ୍ୟ, ଭକ୍ତି ଉପାସନା ଓ ଜୀବ ଉପାସକ, ଅଭିମାନ ବର୍ଜିତ ଅର୍ଥାତ୍ ନିରଭିମାନ ବ୍ୟକ୍ତିତ୍ୱଟି ହେଲା ହନୁମାନ । ଅଭିମାନ ସମ୍ପନ୍ନ ବ୍ୟକ୍ତିତ୍ୱଟି ହେଲା ବାଳି । ମନ, ବୁଦ୍ଧି, ଚିତ୍ତ ଓ ଅହଙ୍କାର ଭିତରେ ମନର ବୃତ୍ତି ସଂଶୟାତ୍ମକ, ବୁଦ୍ଧିର ବୃତ୍ତି ନିର୍ଣ୍ଣୟାତ୍ମକ, ଚିତ୍ତର ବୃତ୍ତି ବିଶ୍ଳେଷଣାତ୍ମକ ହେଲାବେଳେ ଅହଙ୍କାରର ବୃତ୍ତି ହେଲା ଅଭିମାନାତ୍ମକ । ଅଭିମାନୀ ବ୍ୟକ୍ତିର ଲକ୍ଷଣ ହେଲା ମନ, ବଚନ, କର୍ମରେ ଗର୍ବ, ଦାମ୍ଭିକତା, ବୃଥା ଆସ୍ଫାଳନ ଦେଖାଇବା । କାହା ପାଖରେ ବୁଦ୍ଧିର ଅଭିମାନ ଥାଏ ତ କାହା ପାଖରେ ବଳର ଅଭିମାନ ଥାଏ । କାହା ପାଖରେ ରୂପର ଅଭିମାନ ଥାଏ ତ କାହା ପାଖରେ ଐଶ୍ୱର୍ଯ୍ୟର ଅଭିମାନ ଥାଏ, ରୂପର ଅଭିମାନ ଥିଲା ସୂର୍ପଣଖା ପାଖରେ ।
ତାକୁ ବିରୂପ କରି ଦିଆଗଲା । ବୁଦ୍ଧିର ଅଭିମାନ ଥିଲା “କାଳନେମୀ’ ପାଖରେ, ତାକୁ ବୁଦ୍ଧିରେ ବରିଷ୍ଠ ଏବଂ ଗରିଷ୍ଠ ହନୁମାନ ବଧ କଲେ । ଐଶ୍ୱର୍ଯ୍ୟର ଅଭିମାନ ଥିଲା ଇନ୍ଦ୍ରଜିତ ପାଖରେ । ସୁଖ, ସମ୍ଭୋଗ ଓ ବିଳାସବ୍ୟସନରେ ଯିଏ ଇନ୍ଦ୍ରଙ୍କୁ ଜିତିଯାଏ, ସିଏ ତ ଇନ୍ଦ୍ରଜିତ । କିନ୍ତୁ ଲକ୍ଷ୍ମଣ ବୈରାଗ୍ୟର ପ୍ରତୀକ । ବେରାଗ୍ୟରେ ବିଳାସ ନଥାଏ । ଏଣୁ ସେ ବିଳାସୀ ତଥା ବ୍ୟସନୀ ଇନ୍ଦ୍ରଜିତକୁ ହତ୍ୟା କରିବାକୁ ସମର୍ଥ ହେଲେ । ବାଳି ପାଖରେ ଥିଲା ବଳର ଅଭିମାନ । ତେଣୁ ତା ନାମ ଥିଲା ବାଳି । ସୁଗ୍ରୀବ ବା ସୁକଣ୍ଠ ହେଲେ ସେହି ବ୍ୟକ୍ତି ଯିଏ ପ୍ରଭୁ ନାମକୁ ଅହରହ କଣ୍ଠରେ ଧାରଣ କରିଥାନ୍ତି । ଗ୍ରୀବା ବା କଣ୍ଠର ସୌନ୍ଦର୍ଯ୍ୟ ଆକୃତିରେ ନଥାଏ ବା ମଧୁର ସ୍ୱର ଝଙ୍କାରରେ ନଥାଏ । ପରନ୍ତୁ କଣ୍ଠର ପ୍ରକୃତ ସୌନ୍ଦର୍ଯ୍ୟ ନିହିତ ଥାଏ ବିଭୁନାମ ଉଚ୍ଚାରଣରେ ।
ସେହି ପବିତ୍ର ଶ୍ରୀରାମ ମହାମନ୍ତ୍ରକୁ ପ୍ରତ୍ୟେକ ମୁହୂର୍ତ୍ତରେ ଯିଏ ଜପ କରିଥାନ୍ତି ସିଏ ହେଲେ ମହାବୀର ହନୁମାନ । ତ୍ରେତୟା ଯୁଗରେ ପ୍ରଭୁଙ୍କର ସପ୍ତମ ଅବତାରରେ ଭଗବାନ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଧରାବତରଣ ହୋଇଥାଏ । ତାଙ୍କୁ କାର୍ଯ୍ୟରେ ସହଯୋଗ କରିବା ପାଇଁ (ମହାଦେବ ସ୍ୱୟଂ) ଶିବଙ୍କର ଏକାଦଶ ଅବତାରଭାବେ ଶ୍ରୀହନୁମାନ ହିଁ ଧରାବତରଣ କରିଥିଲେ । ସୁମେରୁ ପର୍ବତର ବାନର ରାଜା କେଶରୀ ଓ ମାତା ଅଞ୍ଜନାଙ୍କ ପୁତ୍ରଭାବେ ହନୁମାନ ପବିତ୍ର ଚୈତ୍ରମାସ ଶୁକ୍ଳ ପୂର୍ଣ୍ଣିମା ତିଥିରେ ମଙ୍ଗଳବାରରେ (ମୌଞ୍ଜି ମେଖଳା) କୌପିନି ପରିଧାନ କରି କର୍ଣ୍ଣରେ କୁଣ୍ଡଳ ଓ ବକ୍ଷରେ ଯଜେ୍ଞାପବୀତ ଧାରଣ କରି ଭୂମିଷ୍ଠ ହୋଇଥିଲେ । ପବନ ଦେବତାଙ୍କୁ ସେ ନିଜ ପିତା ରୂପେ ପାଇଥିଲେ । କୁହାଯାଏ ଜନ୍ମ ସମୟରୁ ହିଁ ହନୁମାନଙ୍କ ଶରୀର ଚାରିପଟରୁ ପବିତ୍ର ଶ୍ରୀରାମ ନାମର ତରଙ୍ଗର ସୃଷ୍ଟି ହେଉଥିଲା ।
ଦିନେ ସସ୍ନେହରେ ଭଗବାନ ଶ୍ରୀରାମଚନ୍ଦ୍ର ହନୁମାନଙ୍କୁ ପଚାରିଲେ, “ହନୁମାନ ତୁମେ କିଏ?” ଏଭଳି ଏକ ଅପ୍ରତ୍ୟାଶିତ ପ୍ରଶ୍ନରେ ହନୁମାନ ବିଚଳିତ ହୋଇ କହିଲେ, “ପ୍ରଭୁ ମୁଁ ଆପଣଙ୍କ ଦାସ ।” ଭଗବାନ ଆଉ କିଛି ନ କହି ମୃଦୁ ହାସ୍ୟରେ ଚାଲିଗଲେ । ଅନେକ ଦିନ ବିତିଗଲା । ହନୁମାନ ତାଙ୍କ ତପସ୍ୟାରେ ନିମଗ୍ନ ରହିଲେ । ପୁଣି କେତେ ବର୍ଷ ପରେ ଶ୍ରୀରାମ ସେହି ପୂର୍ବ ପ୍ରଶ୍ନକୁ ହନୁମାନଙ୍କ ଆଗରେ ଦୋହରାଇଲେ । ଏଥର କିନ୍ତୁ ହନୁମାନ ଦମ୍ଭର ସହ ଉତ୍ତର ଦେଲେ “ପ୍ରଭୁ ଆପଣ ଯିଏ ମୁଁ ସିଏ ।”
ଏଥିରେ ମଧ୍ୟ ଭଗବାନ କିଛି ନ କହି ମୁରୁକି ହସିଦେଇ ଚାଲିଗଲେ । ପୁଣି ଅନେକ କାଳ ବିତିଗଲା । ହନୁମାନ ତପସ୍ୟାରେ ଗଭୀରରୁ ଗଭୀରତର ଅବସ୍ଥା ଭିତରକୁ ପ୍ରବେଶ କରିଗଲେ । ପୁଣିଥରେ ଭଗବାନ ଶ୍ରୀରାମଚନ୍ଦ୍ର ପ୍ରଶ୍ନକଲେ, “ହନୁମାନ ତୁମେ କିଏ ?” ଏଥର କିନ୍ତୁ ସବିନୟରେ ହନୁମାନ ଉତ୍ତର ଦେଲେ, “ପ୍ରଭୁ ମୁଁ ହିଁ ମୁଁ; ମୋ ବିନା ଏ ସଂସାରରେ କିଛି ନାହିଁ, ଏ ସଂସାର କେବଳ ମୁଁ ମୟ ।” ଭଗବାନଙ୍କର ପ୍ରଶ୍ନର ଏହା ବୋଧହୁଏ ସଠିକ୍ ଉତ୍ତର ଥିଲା । ଭଗବାନ ହନୁମାନଙ୍କୁ କୋଳାଗ୍ରତ କଲେ ।
ହନୁମାନଙ୍କର ଏହି ତିନୋଟି ଉତ୍ତର ଯୋଗୀର ତିନୋଟି ଅବସ୍ଥା । ପ୍ରଥମ ଅବସ୍ଥାରେ ଯୋଗୀର ପ୍ରାଣ ଚଞ୍ଚଳତାରୁ ମନରେ ଚଞ୍ଚଳତା ରହେ । ଯୋଗୀର ମନ ପ୍ରାଣର ଅଧୀନ ବା ଦାସ ହୋଇ ରହେ । ଚଞ୍ଚଳ ହି ମନଃ କୃଷ୍ଣ (ଗୀତା ୬/୩୪) । ଦ୍ୱିତୀୟ ଅବସ୍ଥାରେ ଯୋଗୀ ନିଜର ପ୍ରାଣକୁ ତଥା ମନକୁ ଭଗବାନଙ୍କର ସ୍ୱରୂପ ଭାବରେ ବୋଧକରେ, ଯାହା କି ଯୋଗତତ୍ତ୍ୱର ସବିକଳ୍ପ ସମାଧି । ତୃତୀୟ ଅବସ୍ଥାରେ ଯୋଗୀ ନିର୍ବିକଳ୍ପ ସମାଧିସ୍ଥ ହୋଇ ସମଗ୍ର ସଂସାରକୁ ପ୍ରାଣମୟ ବା ଆତ୍ମମୟ ଭାବରେ ଉପଲବ୍ଧ କରେ । ଏହା ଆତ୍ମସାକ୍ଷାତକାର ସ୍ଥିତି । ହନୁମାନଙ୍କର ଏହି ତିନୋଟି ଉତ୍ତର ପ୍ରାଣତତ୍ତ୍ୱ ମଧ୍ୟକୁ ପ୍ରବେଶ କରିବାର ତିନୋଟି ସୋପାନ ।
ଯେଉଁଠାରେ ରାମ-କଥା, ରାମ-ପାରାୟଣ, ରାମ-କୀର୍ତ୍ତନ ହେଉଥାଏ, ସେଠାରେ ହନୁମାନ ହାତଯୋଡ଼ି ଅବନତ ମସ୍ତକରେ ଅଶ୍ରୁପୂର୍ଣ୍ଣ ନେତ୍ରରେ ପ୍ରେମ-ପୁଲକିତ ଭାବରେ ତନ୍ମୟତାପୂର୍ବକ କଥା-କୀର୍ତ୍ତନ ଶୁଣୁଥାନ୍ତି । ତାଙ୍କଠାରେ ରାମଙ୍କ ଶକ୍ତି ପରିପୂର୍ଣ୍ଣ ହୋଇ ରହିଛି । ହନୁମାନ ରାକ୍ଷସଙ୍କୁ, ରାକ୍ଷସବୃତ୍ତିକୁ ସମୂଳେ ଧ୍ୱଂସ କରିଥାନ୍ତି ।
ଯତ୍ର ଯତ୍ର ରଘୁନାଥ କଥାକୀର୍ତ୍ତନମ୍ ତତ୍ର ତତ୍ର କୃତ ମସ୍ତକାଞ୍ଜଳିମ୍ ।
ବାଷ୍ପବାରି ପରିପୂର୍ଣ୍ଣ ଲୋଚନମ୍ ମାରୁତିଂ ନମତ ରାକ୍ଷସାନ୍ତକମ୍ ।ା
ରାମ-କଥା ଯେଉଁଠାରେ ହୁଏ ହନୁମାନ ସେଠାରେ ଉପସ୍ଥିତ ହୋଇଯାଆନ୍ତି । ହେଲେ କୁମ୍ଭକର୍ଣ୍ଣର ସ୍ତ୍ରୀ ବି କଥା ଶୁଣିବାକୁ ଆସେ । କୁମ୍ଭକର୍ଣ୍ଣ ଯୁଦ୍ଧରେ ମରିଗଲା, ତା ସ୍ତ୍ରୀ ବିଧବା ହୋଇଗଲା । ସେ ଶ୍ରୀରାମଙ୍କ ପାଖକୁଆସି କହିଲା, “ପ୍ରଭୁ! ମୋ ସ୍ୱାମୀ ତ ମଲେ । ଏବେ ମୁଁ କାହାକୁ ଆଶ୍ରାକରି ବଞ୍ଚôବି? ଏବେ ମୁଁ ମୋର ସମୟ କିପରି କଟାଇବି?”
ଭଗବାନ ଶ୍ରୀରାମ କହିଲେ, “ତୁ ଡ୍ରାମା-ଅପେରା ଦେଖିବାକୁ ଯା ।”
କୁମ୍ଭକର୍ଣ୍ଣର ବିଧବା ପତ୍ନୀ କହିଲା – “ମୁଁ ସେସବୁ ଦେଖିବାକୁ ଯିବିନାହିଁ । ମୁଁ ଜଣେ ପତିବ୍ରତା ସ୍ତ୍ରୀ । ତୁମେ ମୋ ସ୍ୱାମୀଙ୍କୁ ବଧ କରିଛ । ମୁଁ ତୁମ ସହିତ ବୈରଭାବ ବଢ଼ାଇଛି । ଏଣୁ ତୁମର କଥା ଯେଉଁଠାରେ ହେଉଥିବ ମୁଁ ସେଠାକୁ ଯିବି ।”
କଥା ଶୁଣୁଥିବା ବେଳେ ଅଥବା ହାତରେ ମାଳା ଗଡ଼ାଉଥିବା ବେଳେ ସେଠାରେ ସହସା କୁମ୍ଭକର୍ଣ୍ଣର ସ୍ତ୍ରୀ ନିଦ୍ରାଦେବୀ ଉପସ୍ଥିତ ହୋଇଯାଏ । ସିନେମା, ଡ୍ରାମା, ଅପେରା ଦେଖି ଦୁଇ ଚାରିଦିନ ଲଗାତର ଅନିଦ୍ରା ହେଲେ ବି ସହଜେ ନିଦ ଆସେ ନାହିଁ । କିନ୍ତୁ ରାମ-କଥା ଶୁଣୁଥିବା ବେଳେ ହଠାତ୍ ଅନେକଙ୍କୁ ନିଦ ମାଡ଼େ ।
ରାମ-କଥା, ରାମ-କୀର୍ତ୍ତନ ଯେଉଁ ଯେଉଁଠାରେ ହୁଏ ସେହି ସେହିଠାରେ ହନୁମାନ ଉପସ୍ଥିତ ହୋଇଯାଆନ୍ତି । ସେ କଥାରେ ତନ୍ମୟ ହୋଇଯାଆନ୍ତି । ଏହାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ପରମ ରାମଭକ୍ତ ମହାନ ସନ୍ଥ ମହାରାଜ ଏକନାଥଙ୍କ ସମୟରେ ଘଟିଥିଲା । ଥରେ ଏକନାଥ ମହାରାଜ ରାମାୟଣର ସୁନ୍ଦରକାଣ୍ଡ ପ୍ରସଙ୍ଗ ବର୍ଣ୍ଣନା କରୁଥିଲେ । ସୀତାଙ୍କୁ ଠାବ କରିବାକୁ ଯାଇ ହନୁମାନ ସମୁଦ୍ର ଲଂଘନ କରି ଲଙ୍କାଗଡ଼ରେ ପହଞ୍ଚôଲେ । ସେ ସୀତାଙ୍କୁ ସର୍ବତ୍ର ଖୋଜି ଖୋଜି ଅଶୋକବନରେ ପହଞ୍ଚôଗଲେ । ସୀତା ଯେଉଁଠାରେ ଥାଆନ୍ତି ତାହା ଅଶୋକ ବନ ହୋଇଥାଏ । ଏକନାଥ ମହାରାଜ କଥା ପ୍ରସଙ୍ଗରେ କହିଲେ, ହନୁମାନ ଯେତେବେଳେ ଅଶୋକ ବନରେ ପହଞ୍ଚôଲେ ସେତେବେଳେ ଅଶୋକବନରେ ଥିବା ପୁଷ୍ପଲତାଗୁଡ଼ିକ ଶ୍ୱେତ ପୁଷ୍ପରେ ସୁଶୋଭିତ ଦେଖାଯାଉଥିଲା ଏବଂ ସମ୍ପୂର୍ଣ୍ଣ ବଣଟି ଅତି ମନୋରମ ଦେଖାଯାଉଥିଲା ।
ହନୁମାନ ଅନ୍ୟ ଦିନ ଭଳି କଥା-କୀର୍ତ୍ତନ ସ୍ଥାନରେ ଉପସ୍ଥିତ ତ ଥିଲେ । ଏକନାଥ ମହାରାଜାଙ୍କର ଏପରି ବର୍ଣ୍ଣନା ତାଙ୍କୁ ଅପ୍ରାସଙ୍ଗିକ ମନେହେଲା । ସେ ସଂଗେ ସଂଗେ ସ୍ୱରୂପ ଧାରଣ କରି ଏକନାଥ ମହାରାଜଙ୍କୁ କହିଲେ – “ମହାରାଜ! ତୁମେ ଭୁଲ କହୁଛ । ମୁଁ ଅଶୋକ ବନରେ ପ୍ରତ୍ୟକ୍ଷରେ ପହଞ୍ଚôଥିଲି । ମୁଁ ସ୍ୱଚକ୍ଷୁରେ ରକ୍ତବର୍ଣ୍ଣର ଫୁଲ ଦେଖିଛି, ଶ୍ୱେତବର୍ଣ୍ଣର ନୁହେଁ ।
ଏକନାଥ ମହରାଜ କହିଲେ – “ମୁଁ ମୋ ରାମଙ୍କୁ ଯାହା କହିଲେ ଭଲ ଲାଗିବ, ସେପରି ହିଁ ବର୍ଣ୍ଣନା କରୁଛି । ମୋତେ ଯେପରି ଦେଖାଗଲା ମୁଁ ସେହିପରି କହିଲି ।”
ହନୁମାନଙ୍କୁ ଏହା ଠିକ୍ ଲାଗିଲା ନାହିଁ । ଦୁହିଁଙ୍କ ମଧ୍ୟରେ ଯୁକ୍ତି ବଢ଼ି ବଢ଼ି ଚାଲିଲା । ଶେଷରେ ରାମଙ୍କ ପାଖରେ କଥା ପଡ଼ିଲା । ଶ୍ରୀରାମ ତାଙ୍କର ରାୟ ଦେଇ କହିଲେ – “ତୁମେ ଦୁହେଁ ଠିକ୍ କହିଛ । ସେତେବେଳେ ଶ୍ୱେତ ବର୍ଣ୍ଣର ଫୁଲ ଫୁଟିଥିଲା । ମାତ୍ର ସେତେବେଳେ ହନୁମାନ ଅତ୍ୟଧିକ କ୍ରୋଧାନ୍ୱିତ ଅବସ୍ଥାରେ ଥିଲେ । ତେଣୁ ତାଙ୍କର କ୍ରୋଧ ଜର୍ଜରିତ ଚକ୍ଷୁରେ ସମସ୍ତ ଶ୍ୱେତ ପୁଷ୍ପ ରକ୍ତ ବର୍ଣ୍ଣର ଦେଖାଯାଉଥିଲା ।” ଏଥିରୁ ଆମେ ସ୍ପଷ୍ଟ ଜାଣିଲେ ଯେ ହନୁମାନ ରାମ-କଥା ଶୁଣିବାକୁ ଆସନ୍ତି ।
ଯେଉଁଠାରେ ଭକ୍ତ ସେହିଠାରେ ଭଗବାନ, ଯେଉଁଠାରେ ଭଗବାନ ସେହିଠାରେ ତ ଭକ୍ତ । ସେଥିପାଇଁ ତ ପ୍ରଭୁ ନାରଦଙ୍କୁ (ନାରଦ ଭକ୍ତି ସୂତ୍ରରେ) କହିଥିଲେ –
“ନାହଂ ତିଷ୍ଠାମି ବୈକୁଣ୍ଠେ, ମୁନିନାଂ ହୃଦୟେନଚ
ମଦ୍ଭକ୍ତା ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ ।”
Comments are closed.