ନାଟ୍ୟସାରଥି ଅଭୟ କୁମାର ଦାସ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଣ୍ୟ ପାବନ ମହିମା ଧାମ ପୁରୀ ସହରରେ ପିଲାଦିନରୁ ମହାପ୍ରଭୁଙ୍କ ସୂପକାର ସେବକ ଭାବେ ପାରମ୍ପରିକ ପିଢ଼ୀ ପିଢ଼ୀର ସେବା ପାଇଥିବା ଜଣେ ସାରସ୍ୱତ ବ୍ୟକ୍ତିତ୍ୱ ତାଙ୍କ ପରବର୍ତ୍ତୀ ଜୀବନରେ ମଞ୍ଚ ଜଗତର ଭୀଷ୍ମ ପିତାମହ ପାଲଟିଥିଲେ । ସେ ହେଉଛନ୍ତି ମଞ୍ଚ ଜଗତର ପ୍ରଥିତଯଶା ବ୍ୟକ୍ତିତ୍ୱ ରାମଚନ୍ଦ୍ର ପ୍ରତିହାରୀ । ପୁରୀ ଗଦାଧର ହାଇସ୍କୁଲର ଛାତ୍ର ଥିଲେ ରାମଚନ୍ଦ୍ର ପ୍ରତିହାରୀ । ସଙ୍ଗୀତକୁ ଅତିରିକ୍ତ ବିଷୟ ରଖିଥିଲେ । କିନ୍ତୁ ବେଳେ ବେଳେ ଡ୍ରାମା ବି କରୁଥିଲେ । ମାଟି୍ରକରେ ଫେଲ ହେବାପରେ ଶ୍ରୀମନ୍ଦିରରେ ସୂପକାର ଭାବେ କାମ କରିଥିଲେ । କିନ୍ତୁ କଳା ଠାକୁରଙ୍କ ପାଖରେ କଳାକୁ ଆଦରି ନେବାକୁ ମନସ୍ଥ କରି ଘର ଛାଡ଼ିଥିଲେ । ସାଙ୍ଗରେ ସୀତାରଟିଏ ଏବଂ ୩ଟି କଣା ପଇସା ଧରି ଟ୍ରେନରେ ଚଢ଼ିଲେ । ଗୋଟିଏ କଣା ପଇସାରେ ଟ୍ରେନରେ ମୁଢ଼ି କିଣି ଖାଇଥିଲେ । ବ୍ରହ୍ମପୁର ଓହ୍ଲାଇବା ପରେ ଭୋକ ଲାଗୁଥିବାରୁ ଜ୍ୟୋତି ସିନେମା ହଲ ନିକଟ ଜ୍ୟୋତି ହୋଟେଲରେ ଖାଇଲେ । ହେଲେ ପାଖରେ ଏତେ ପଇସା ନଥିଲା ।
ତେଣୁ ହୋଟେଲ ମାଲିକ ବାସନ ମାଜିବାକୁ କହିଥିଲେ । ହଠାତ୍ ସେହି ସମୟରେ ପୁରୀରେ ମିଶି ଡ୍ରାମା କରୁଥିବା ବନ୍ଧୁ ଜଗନ୍ନାଥ ମିଶ୍ରଙ୍କ ସହ ସାକ୍ଷାତ ହେଲା । ବ୍ରହ୍ମପୁରରେ ପଡ଼ିଥିବା ଜନତା ରଙ୍ଗମଞ୍ଚକୁ ଡାକି ନେଇଥିଲେ ରାମଚନ୍ଦ୍ରଙ୍କୁ । ସେ ସୀତାର ଏବଂ ଏସ୍ରାସ ବାଦକ ଭାବେ ଯୋଗ ଦେଇଥିଲେ । ମଝିରେ ମଝିରେ ଗୀତ ବି ଗାଉଥିଲେ । ହେଲେ ସୀତାର ବାଦକରୁ ରାମଚନ୍ଦ୍ର ଅଭିନେତା ହେବା ପଛରେ ଏକ କାହାଣୀ ରହିଛି । ନୟାଗଡ଼ରେ ଜନତା ରଙ୍ଗମଞ୍ଚ ପଡ଼ିଥିଲା । ସେହି ସମୟରେ ଆୟୋଜକମାନେ ଗୋପାଳ ଛୋଟରାୟଙ୍କ ରଚିତ ଭରସା ନାଟକ ମଞ୍ଚସ୍ଥ କରିବାକୁ ଡିମାଣ୍ଡ କଲେ । ଏମିତିକି ଏହି ନାଟକ ପରିବେଷଣ ନ କଲେ ସେମାନେ ପାର୍ଟି ଛାଡ଼ିବେ ନାହିଁ ବୋଲି ଧମକ ଦେଲେ । ଏହି ନାଟକର ଏକ ପାଗଳ ଚରିତ୍ର ହେଉଛି ମିଷ୍ଟର ମହାପାତ୍ର । ଏହି ଚରିତ୍ରରେ ବଲାଇ ଚାନ୍ଦ ବାନାର୍ଜୀ ଅଭିନୟ କରୁଥିଲେ ।
ତାଙ୍କ ଦେହାନ୍ତ ପରେ ଏହି ନାଟକ ବନ୍ଦ ରହିଥିଲା । ତେଣୁ ଏହା ପାର୍ଟି ପାଇଁ ଏକ ଚ୍ୟାଲେଞ୍ଜ ଥିଲା । କିଏ ସେହି ଚରିତ୍ରରେ ଅଭିନୟ କରିବ ଖୋଜା ପଡ଼ୁଥିବାବେଳେ ସାହସ ବାନ୍ଧିଥିଲେ ରାମଚନ୍ଦ୍ର । କିନ୍ତୁ ତାହା ଏତେଟା ସହଜ ନ ଥିଲା । କାରଣ ଏଥିରେ ସଫଳ ନ ହେଲେ ପାର୍ଟିରୁ ବିଦାୟ ନେବାକୁ ତାଙ୍କୁ ପ୍ରତିଶ୍ରୁତି ଦେବାକୁ ପଡ଼ିଥିଲା । କଳାପ୍ରିୟ କଳାଠାକୁର ତାଙ୍କ ଡାକ ଶୁଣିଲେ । ମିଷ୍ଟର ମହାପାତ୍ର ଚରିତ୍ରକୁ ମଞ୍ଚରେ ଏମିତି ଭାବେ ଫୁଟାଇ ପାରିଥିଲେ ଯେ ସମସ୍ତେ ବାହାବା କଲେ । ସେତେବେଳେ ମାସକୁ ଦରମା ପାଉଥିଲେ ୭ଟଙ୍କା ୫୦ ପଇସା । ମିଷ୍ଟର ମହାପାତ୍ର ଚରିତ୍ରରେ ନିଚ୍ଛକ ଅଭିନୟ ଯୋଗୁଁ ହଠାତ୍ ତାଙ୍କ ପାରିଶ୍ରମିକ ୧୪୦ ଟଙ୍କାକୁ ବୃଦ୍ଧି ପାଇଥିଲା । ଏହା ପରଠାରୁ ବିଧିବଦ୍ଧ ଭାବେ ରାମଚନ୍ଦ୍ରଙ୍କ ଅଭିନୟ ଧାରା ଜାରି ରହିଲା ।
ରାମଚନ୍ଦ୍ର ବହୁ ନାଟକରେ ଅଭିନୟ ତଥା ନିଦେ୍ର୍ଦଶନା ଦେଇଛନ୍ତି । ସେଗୁଡ଼ିକ ମଧ୍ୟରେ କଳାପାହାଡ଼, ବକ୍ସି ଜଗବନ୍ଧୁ, ଭାଇଭାଉଜ, ମୋତିମହଲ, ହରିଶ୍ଚନ୍ଦ୍ର, ମାଣିକଯୋଡ଼ି, ଅତିଥି, ଘରସଂସାର, ସ୍ୱାମୀସ୍ତ୍ରୀ, ଜମାନବନ୍ଦୀ, ବୈରାଗୀର ସଂସାର, ସୁନାଫରୁଆ, ପହିଲି ରଜକ କଂସା କବାଟ, ବାଡୁଅ ଝିଅ, ଅପରାଜିତା, ସିଂହଦ୍ୱାର, ଖଇ କଉଡି, ସାଗର ତୀରରେ, ବାଇଶି ପାହାଚ, ସୁନା ପଞ୍ଜୁରୀ, ତୋଳା କନିଅାଁ, ଦେଖିଲେ ଜାଣିବେ, ମଧୁଛନ୍ଦା, ସ୍ୱର୍ଣ୍ଣଚମ୍ପା, ଅନ୍ଧ ବର୍ତ୍ତମାନ, କାଚ କାଞ୍ଚନ, ଗୋପନ କଥା, ଚିଡ଼ିଆଖାନା, ଦେବଯାନୀ, ପାଷାଣ ତୀର୍ଥ, କୁଳଚନ୍ଦ୍ରମା, ଲକ୍ଷ୍ୟହୀରା, ପର୍ଶୁରାମ, ମାଂସ ବେପାରୀ, କଥାଟିଏ କହୁ, ନରୋତ୍ତମ ଦାସ କହେ, ଶେଷରକ୍ଷା, ଚଣ୍ଡାଶୋକ, ରଙ୍ଗବଦଳେ, ମହାଲକ୍ଷ୍ମୀ, ନରନାରାୟଣ, ଝଞ୍ଜା, ଯୌତୁକ, ନୂଆ ଜୀବନ, ଭରଷା, ନଷ୍ଟ ଉର୍ବଶ୍ରୀ, ଉଠା ପାଚେରୀ, ବନ୍ଦୀତା, ଲୁହା ଶିକୁଳି, ଚୀର କୁମାର ସଭା, ଆଜାଦି ଆପଣ କୁହନ୍ତି, ଅନ୍ଧକାରର, ନିମନ୍ତ୍ରଣ ରହିଲା, ମାଟିର ମଣିଷ, ମଧୁଲିତା, ହଂସଧ୍ୱନି ନାୟିକା ମିଳିଛି, ପାଟେଳି ଗଡ଼ର ସନ୍ଧ୍ୟା, ହୋଟେଲ ମୋନାଲିସା ଆଦି ଅନ୍ୟତମ ।
ଆକାଶବାଣୀରେ ପରିବେଷିତ ରାମଚନ୍ଦ୍ରଙ୍କ ନାଟକ ମଧ୍ୟରେ ଉର୍ବଶୀ, କୁଛ ସଫେଦି କୁଛ ସ୍ୟାହି, ରକ୍ତ ରଙ୍ଗ, ବନ୍ଧ୍ୟା ଗାନ୍ଧାରୀ, ଆମ ନାରେ ଆମେ ନାଉରୀ, ମରଗୟାଗୁଲ୍ଫଫମ, ରଙ୍ଗ ଭିଟାଲ, ସୋମା, କଂସା କବାଟ, ନୀଳଶୈଳ, ଭକ୍ତ ଦାସିଆ, ବେଣୀ ସଂହାର, ସତୀ, ମିଳନ ଗୋଧୂଳି, ବାଡ଼ୁଅ ଝିଅ, ସତର୍କ ସଂଘମିତ୍ରା, ଚମ୍ପକମାଳା(୨) ଆଦି ରହିଛି । ଦୂରଦର୍ଶନରେ ତାଙ୍କର ପ୍ରସାରିତ ଟେଲି ସିରିଏଲ ହେଉଛି ବାବୁଘର, ଆଉନୁହଁ, ଗୁଣିଆ ଝାଡ଼ିଲା ଡାହାଣୀ, ଖାରବେଳ, ଅସ୍ତସୂର୍ଯ୍ୟର ରଙ୍ଗ, ହେଡମାଷ୍ଟର, ଭଉଁରୀ, ପ୍ରତିବିମ୍ବ, ଦୂରଦିଗନ୍ତ, ଆଜିର ଅତିଥି ଆଦି ଟେଲି ସିରିଏଲରେ ରାମଚନ୍ଦ୍ର ନିଖୁଣ ଅଭିନୟ କରି ଭିନ୍ନ ପରିଚୟ ସୃଷ୍ଟି କରିଥିଲେ ।

Comments are closed.