ରାଜନଗର୦୮|୧୦ : ରାଜନଗର ବ୍ଲକ ଗୁପ୍ତି ଘାଟ ଠାରେ ଆଜି ୧୦୮ବୋଟ ଆମ୍ବୁଲାନ୍ସ ର ଶୁଭାରମ୍ଭ ହୋଇଛି । ରାଜନଗର ବିଧାୟକ ଶ୍ରୀ ଧ୍ରୁବ ଚରଣ ସାହୁ ଆନୁଷ୍ଠାନିକ ଭାବେ ଫିତା କାଟି ବୋଟ ଆମ୍ବୁଲାନ୍ସ ସେବାର ଉଦଘାଟନ କରିଥିଲେ । ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ ବୋଟ ଆମ୍ବୁଲାନ୍ସ ସେବା କାର୍ଯ୍ୟର ଶୁଭାରମ୍ଭ କରାଯାଇଛି ।
ଦୁର୍ଗମ ଅଞ୍ଚଳର ୭ଗୋଟି ପଞ୍ଚାୟତର ୩୫ହଜାରରୁ ଉର୍ଦ୍ଧ୍ବ ଲୋକ ଏହି ଆମ୍ବୁଲାନ୍ସ ସେବା ପାଇପାରିବେ ବୋଲି ବିଧାୟକ ଶ୍ରୀ ସାହୁ ପ୍ରକାଶ କରିଥିଲେ । ମାତୃ ମୃତ୍ୟୁହାର କମାଇବା ଏହି ବୋଟ ଆମ୍ବୁଲାନ୍ସ ସେବାର ମୂଳଲକ୍ଷ୍ୟ ବୋଲି ଡାକ୍ତର ରଶ୍ମିରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି । ଏହି ୧୦୮ ବୋଟ ଆମ୍ବୁଲାନ୍ସରେ ଅକ୍ସିଜେନ ସହିତ ଉନ୍ନତମାନର ସେବା ଯୋଗାଇଦେବା ପାଇଁ ସମସ୍ତ ପ୍ରକାର ସୁବିଧା ଥିବା ସୂଚନା ମିଳିଛି ।
ବୋଟ ଆମ୍ବୁଲାନ୍ସ ରୋଗୀ ଆଣିବା ପାଇଁ ବିଭିନ୍ନ ଜାଗାରେ ଫ୍ଲୋଟିଙ୍ଗ ଜେଠି ମଧ୍ୟ ନିର୍ମାଣ କରାଯାଇଛି । ଜୁନୁସୁନଗର,ଗୁମୁରା ଘାଟ ଏବଂ କୋଠି ଘାଟ ଠାରୁ ରୋଗୀମାନଙ୍କୁ ଆଣି ଗୁପ୍ତି ପ୍ରାଇମେରି ସ୍ବାସ୍ଥ୍ୟ କେନ୍ଦ୍ରରେ ଛଡା ଯିବ ବୋଲି ଡାକ୍ତର ରଶ୍ମିରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ତହସିଲଦାର ଭୋଳାନାଥ ସେଠୀ,ବିଡିଓ ମନ୍ଦରଧର ମହାଳିକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ ଅନିତା ପଟ୍ଟନାୟକ,ପଞ୍ଚାୟତ ସମିତି ଅଧକ୍ଷ ଜୟରାମ ସେଠୀ, ଡାକ୍ତର ପ୍ରଣବ କୁମାର ଶୁକ୍ଳା, ବ୍ଲକ ବିଜେଡି ଉପସଭାପତି ନିରଞ୍ଜନ ରାଉତ, ବ୍ଲକ ବିଜେଡି କୋଷାଧ୍ୟକ୍ଷ ବାଇଧର ସେଠୀ, ବ୍ଲକ ବିଜେଡି ମହିଳା ସଭାନେତ୍ରୀ ରଶ୍ମିରଞ୍ଜିତା ସ୍ବାଇଁ ଓ କୁରୁଣ୍ଟି ପଞ୍ଚାୟତର ସରପଞ୍ଚ ଜୁମର ଚରଣ ସ୍ବାଇଁ,ଯୁବ ନେତା ଅରୁଣ କୁମାର ସାହୁ ପ୍ରମୁଖ ଯୋଗଦେବାସହ ନିର୍ବାଚିତ ଲୋକ ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ବୋଟ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ଖବର ପ୍ରଚାରିତ ହେବା ପରେ ଦୁର୍ଗମ ଅଞ୍ଚଳରେ ଆନ୍ଦର ଲହରି ଖେଳି ଯାଇଛି ।
