Odisha news

ରାଜସ୍ୱ ସହକାରୀଙ୍କୁ ଦୁର୍ବ୍ୟବହାର କଲେ ତହସିଲଦାରଙ୍କ ଝିଅ କାମ ବନ୍ଦ କରି ଧାରଣାରେ ବସିଲେ କନିକା ତହସିଲ କର୍ମଚାରୀ

0

ରାଜକନିକା,୧୩/୧୦ : କନିକା ତହସିଲର ଜଣେ ସରକାରୀ କର୍ମଚାରୀଙ୍କୁ କନିକା ତହସିଲଦାରଙ୍କ ଝିଅ ଫୋନ୍ ଯୋଗେ ଗାଳି ଗୁଲଜ କରି ଦୁର୍ବ୍ୟବହାର କରିଥିବାର  ପ୍ରତିବାଦରେ ତିନି ଘଣ୍ଟା କାମ ବନ୍ଦ କରି ଧାରଣାରେ ବସିରହିଥିଲେ ତହସିଲର ସମସ୍ତ କର୍ମଚାରୀ । ଏହି କାରଣରୁ ମଙ୍ଗଳବାର କନିକା ତହସିଲରେ ଏକ ପ୍ରକାର ଅଚଳ ହୋଇପଡ଼ିଥିଲା । ଫଳରେ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା । ସାଧାରଣଲୋକେ ତହସିଲ କାମ କରିନପାରି ଘରକୁ ଫେରିଯାଇଥିବାର ଜଣାପଡ଼ିଛି । ତହସିଲଦାରଙ୍କ ଝିଅଙ୍କ ଏଭଳି ଆଚରଣଙ୍କୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି । ଖବରରୁ ଜଣାପଡ଼ିଛିଯେ, କନିକା ତହସିଲର କନିଷ୍ଠ ରାଜସ୍ୱ ସହକାରୀ  ସୁଚିତ୍ର କୁମାର ରାଉତଙ୍କୁ ସକାଳ ପ୍ରାୟ ଆଠଟା ସମୟରେ ଏକ କାମକୁ ନେଇ ଗାଳିଗୁଲଜ କରିଥିଲେ । ଏହିସମୟରେ କନିକା ତହସିଲଦାରଙ୍କ ଝିଅ ଫୋନ୍‌ରେ ଶ୍ରୀରାଉତଙ୍କୁ ଗାଳିଗୁଲଜ କରି ଦୁର୍ବ୍ୟବହାର କରିଥିବାର ସେ ଅଭିଯୋଗ କରିଛନ୍ତି ।

ଏହି ଘଟଣା ସଂପର୍କରେ ତହସିଲର ଅନ୍ୟ ସମସ୍ତ କର୍ମଚାରୀମାନେ ଅବଗତ ହୋଇ ତୀବ୍ର ପ୍ରତିବାଦ କରିଥିଲେ । ଏହା ସହିତ କନିକା ତହସିଲଦାରଙ୍କ ପ୍ରକୋଷ୍ଠ ଆଗରେ ଧାରଣାରେ ବସିରହିଥିଲେ । ଫଳରେ କନିକା ତହସିଲରେ ତିନି ଘଣ୍ଟା ଧରି ସମସ୍ତ କାମ ଠପ୍ ହୋଇଯାଇଥିଲା । ତହସିଲଦାର ଆମକୁ ଗାଳି ଗୁଲଜ କରିବେ ବୋଲି କ’ଣ ତାଙ୍କ ଝିଅ ଆମକୁ ଗାଳିକରି ଦୁର୍ବ୍ୟବହାର କରିବେ ବୋଲି କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଏହା ସହିତ କର୍ମଚାରୀମାନେ ଅଭିଯୋଗ କରିଛନ୍ତିଯେ, ତହସିଲଦାର ବିଭିନ୍ନ ସମୟରେ ବିନା କାରଣରେ ଗାଳି କରିବା ଫଳରେ ମାନସିକ ଅଶାନ୍ତି ଦେଖାଦେଉଥିବାର ଅଭିଯୋଗ କରିଛନ୍ତି ।  ତହସିଲ କାର୍ଯ୍ୟାଳୟରେ ଏଭଳି ଅଚଳାଅବସ୍ଥାକୁ ସୁଧାରିବା ପାଇଁ କନିକା ତହସିଲଦାର ପ୍ରେମାନନ୍ଦ ବେହେରା ଚେଷ୍ଠା କରିଥିଲେ । ତହସିଲଦାରଶ୍ରୀବେହେରା ଧାରଣାରେ ବସିରହିଥିବା ସମସ୍ତ କର୍ମଚାରୀଙ୍କୁ ମନାଇବାରେ ସଫଳ ହୋଇଥିଲେ । ଶେଷରେ ଧାରଣାରୁ ହଟିଯାଇଥିଲେ କର୍ମଚାରୀମାନେ । କନିଷ୍ଠ ରାଜସ୍ୱ ସହକାରୀ  ସୁଚିତ୍ର କୁମାର ରାଉତ ଗଣମାଧ୍ୟମକୁ କହିଛନ୍ତିଯେ, ତହସିଲଦାରଙ୍କ ଝିଅ ଅଭଦ୍ର କରି ଗାଳିଗୁଲଜ କରିଥିଲେ, ତହସିଲଦାର ଏକ ଘଣ୍ଟା ଧରି ବୁଝାସୁଝା କରିବା ପରେ ଘଟଣାର ସମାଧାନ ହୋଇଥିଲା । ତହସିଲଦାର ଏବଂ ତାଙ୍କ ଝିଅଙ୍କ ଏଭଳି ଗାଳିଗୁଲଜକୁ ନେଇ ନିଜ କର୍ମଚାରୀମାନେ ମୁହଁ ଖୋଲିଥିବାରୁ ସାଧାରଣରେ ଚର୍ଚ୍ଚା ଲାଗିରହିଛି ।

Nalco
Leave A Reply