Odisha news

୩୧ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗରେ ପଞ୍ଚାୟତ ଅଧିକାରୀ ଗିରଫ

0
ରାଜକନିକା ତା ୩୦/୫ : ରାଜକନିକା ବ୍ଲକ ଅନ୍ତର୍ଗତ ଗଂଜା ଗ୍ରାମର ଅଧିବାସୀ ତଥା ଆଳି ବ୍ଲକ ଭୂଇଁପୁର ଗ୍ରାମ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ ) ସଞ୍ଜୟ କୁମାର ନାୟକଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି | ଖବରରୁ ଜଣାପଡିଛି ୨୦୦୮-୨୦୧୧ ମସିହାରେ ରାଜକନିକା ବ୍ଲକ ଜୟନଗର ଗ୍ରାମ ପଞ୍ଚାୟତ ଭିଏଲଡ଼ବ୍ ଲ୍ୟୁ ଭାବେ ଶ୍ରୀ ନାୟକ କାର୍ଯ୍ୟ ତୁଲାଉଥିଲେ | ହେଲେ ସେଠାରେ କାର୍ଯ୍ୟ କରୁଥିବା ସମୟରେ ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ ବ୍ୟାପକ ଭାବେ ଅର୍ଥ ହରିଲୁଟ୍ ହୋଇଥିଲା | ଏହି ଘଟଣାକୁ ନେଇ ପଞ୍ଚାୟତବାସୀ ଆନ୍ଦୋଳନ କରିବା ସହିତ ରାଜ୍ୟ ସରକାରଙ୍କୁ ପତ୍ର ମାଧ୍ୟମରେ ଅବଗତ କରିଥିଲେ | ଶ୍ରୀ ନାୟକଙ୍କ ସହିତ ସରକାରୀ ଅଧିକାରୀମାନେ ମିଳିମିଶି ସରକାରୀ ଅର୍ଥ ୩୧ଲକ୍ଷ ଟଙ୍କା ଆତ୍ମସାତ୍ କରିଥିବା ନେଇ ଅଭିଯୋଗ ହୋଇଥିଲା |
ଏହି ଘଟଣା ପରେ ରାଜକନିକାର ତତ୍କାଳୀନ ବିଡ଼ିଓ ତଥା ରାଜସ୍ୱ ପାର୍ଷଦର ଅତିରିକ୍ତ ସଚିବ ଶରତଚନ୍ଦ୍ର ପଣ୍ଡା ଘଟଣା ସମ୍ପର୍କରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିସ କରିଥିଲେ | ଏହି ଘଟଣା ପରେ ଶ୍ରୀ ନାୟକଙ୍କୁ ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବନ କରିଥିଲେ | ତା ‘ପରେ ପୁନର୍ବାର ତାଙ୍କ ଉପରେ ନିଲମ୍ବନ ଉଠାଇ ରାଜନଗର ବ୍ଲକରେ ପୁନଃ ଅବସ୍ଥାପିତ କରାଇଥିଲେ | ରାଜ୍ୟ ସରକାରଙ୍କ ପକ୍ଷରୁ 2014 ମସିହାରେ ତାଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଥିଲା | ଘଟଣାର 8 ବର୍ଷ ପରେ ରାଜକନିକା ପୁଲିସ ଶ୍ରୀ ନାୟକଙ୍କୁ କେସ୍ ନମ୍ବର 165/14 ରେ ଗିରଫ କରି କୋର୍ଟଚାଲାଣ କରିଛି | ଶ୍ରୀ ନାୟକଙ୍କ ସହିତ ତତ୍କାଳୀନ ବିଡ଼ିଓ, ସହକାରୀ ଯନ୍ତ୍ରୀ ଏବଂ ଅନ୍ୟ ଦୁଇଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ନେଇ ପୁଲିସ କହିଛି | ଖୁବ ଶୀଘ୍ର ପୁଲିସ ସେମାନଙ୍କୁ ଗିରଫ କରାଯିବା ନେଇ ସୂଚନା ଦେଇଛି |
Nalco
Leave A Reply