ଡ଼ଃ.ଅରୁନ୍ଧତୀ ଦେବୀ : ରଜ ପର୍ବ କେବଳ ଓଡ଼ିଶାରେ ପାଳିତ ହେଉଥିବାରୁ ଏହାକୁ ଓଡ଼ିଶାର ନିଜପର୍ବ ଓଡ଼ିଆ ପର୍ବ । ପ୍ରତିବର୍ଷ ଆଷାଢ଼ ମାସରେ ପଡ଼ୁଥିବା ସଂକ୍ରାନ୍ତିକୁ ରଜ ସଂକ୍ରାନ୍ତି କୁହାଯାଏ । ସଂକ୍ରାନ୍ତିର ପୂର୍ବ ଦିନକୁ ପହିଲି ରଜ ଓ ପର ଦିନକୁ ଭୂମି ଦହନ କୁହାଯାଏ । ଭୂମି ଦହନରେ ଚାଷବାସ ବା ମାଟି ହାଣିବା କାର୍ଯ୍ୟ କରାଯାଏ ନାହିଁ । ଚତୁର୍ଥ ଦିନ ବସୁମତୀ ସ୍ନାନ ସହ ରଜ ପର୍ବ ପାଳନ ଶେଷ ହୁଏ । ରଜ କୃଷି ସହ ସଂପର୍କିତ ପର୍ବ । ଏହି ମାସରେ ମାଟି ସହ ମେଘର ମିଳନ ହୁଏ । ତା ପରେ ଆସିଥାଏ ଚାଷ ଋତୁ ।
କାମ ଆରମ୍ଭ ପୂର୍ବରୁ ବିଶ୍ରାମ ନେବା ପାଇଁ ଏବଂ ଦେବା ପାଇଁ ସମ୍ଭବତଃ ଏହି ପର୍ବର ସୃଷ୍ଟି । ଆଷାଢ଼ ମାସରେ ବର୍ଷାପାଣି ପଡ଼ିଲେ ଭୂଇଁ ଉତ୍ପାଦନକ୍ଷମ ହୁଏ । କୁଅାଁରୀ କନ୍ୟାମାନଙ୍କ ଠାରୁ ଆରମ୍ଭ କରି ସମସ୍ତ ଝିଅ, ଯୁବତୀ ଓ ମହିଳା ରଜ ତିନି ଦିନ ଗୃହ କାର୍ଯ୍ୟ ନ କରିବା ହେଉଛି ଖାଣ୍ଟି ଓଡ଼ିଆ ପରମ୍ପରା । ରଜ ତିନି ଦିନ ମହିଳାଙ୍କୁ ଖାଲି ପାଦରେ ଭୂଇଁରେ ଚାଲିବାକୁ ବାରଣ କରାଯାଏ । ପ୍ରଚଳିତ ପରମ୍ପରା ଅନୁଯାୟୀ ମହିଳାମାନେ ରଜରେ ଭାତ ଓ ଲୁଣ ଖାଇବା ଅନୁଚିତ । କେବଳ ଫଳମୂଳ ଓ ପିଠାପଣା ଭଳି ଦ୍ରବ୍ୟ ଖାଇବା ଉଚିତ । ଏହାର ବିଜ୍ଞାନ ସମ୍ମତ କାରଣ ରହିଛି ।
ରଜରେ ନାରୀମାନଙ୍କୁ ସମ୍ମାନ ଦେବା ପାଇଁ ପୁରୁଷମାନେ ସେମାନଙ୍କ କାମ କରନ୍ତି । ନାରୀମାନେ ଖାଇପିଇ ଦୋଳିରେ ଝୁଲିବା, ନୂଆ ଲୁଗା ପିନ୍ଧିବା ଓ ଗେଲଗମାତରେ ମାତିବା ରଜ ପରମ୍ପରା । ପର୍ବ କହିଲେ ବିଷ୍ଣୁ ପୁରାଣ ଅନୁସାରେ “ଚତୁର୍ଦ୍ଦଶ୍ୟାଷ୍ଟମୀ ଚୈବ ଅମାବାସ୍ୟାଥ ପୂର୍ଣ୍ଣିମା ପର୍ବଣ୍ୟେ–ତାନି ରାଜେନ୍ଦ୍ର ! ରବି ସଂକ୍ରାନ୍ତି ରେବଚ’ – ଚତୁର୍ଦ୍ଦଶୀ, ଅଷ୍ଟମୀ, ଅମାବାସ୍ୟା, ପୂର୍ଣ୍ଣିମା ଓ ରବି ସଂକ୍ରମଣ ବା ସଂକ୍ରାନ୍ତି – ଏହି ପାଞ୍ଚ ପାଞ୍ଚଗୋଟି ହିଁ “ପଞ୍ଚପର୍ବ’ ନାମରେ ପ୍ରସିଦ୍ଧ । “ରଜ’ ଉତ୍ସବ ମିଥୁନ ସଂକ୍ରାନ୍ତିକୁ ନେଇ ଅନୁଷ୍ଠିତ ହେଉଥିବାରୁ – ଏହାକୁ “ପର୍ବ’ ବୋଲି କହିବାରେ ଶାସ୍ତ୍ରୀୟ ସମର୍ଥନ ରହିଛି ।
