ସାରା ରାଜ୍ୟକୁ ଆଜି ସ୍ପର୍ଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ : ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ
ଭୁବନେଶ୍ବର : ସାରା ରାଜ୍ୟକୁ ଆଜି ସ୍ପର୍ଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଆଜି ମଧ୍ୟାହ୍ନ ସୁଦ୍ଧା ସମଗ୍ର ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହେବା ସହ ବର୍ଷା କରାଇଛି। ରାଜ୍ୟର ମୌସୁମୀ ବାୟୁର ପ୍ରଭାବ ଯୋଗୁଁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। କିଛି କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ସହ ଅନ୍ୟ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ବି ସମ୍ଭାବନା ରହିଛି। ଗତକାଲି ସୁଦ୍ଧା ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି କିଛି ସ୍ଥାନକୁ ଛାଡ଼ି ଦେଲେ ବାକି ସ୍ଥାନରେ ମୌସୁମୀ ବର୍ଷା ହୋଇଥିବା ବେଳେ ଆଜି ସାରା ଓଡ଼ିଶାରେ ହୋଇଛି। ମୌସୁମୀ ପାଇଁ ଅନୁକୂଳ ପରିସ୍ଥିତି ଯୋଗୁଁ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଓଡ଼ିଶା ଉପକୂଳରେ ଧୀରେଧୀରେ ଅସ୍ପଷ୍ଟ ହେବାରେ ଲାଗିଛି। ଫଳରେ ସୃଷ୍ଟ ଘୂର୍ଣ୍ଣିବଳୟଟି ଏବେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ଏହାର ସଂଲଗ୍ନ ଅଞ୍ଚଳ ଉପରେ ରହିଛି। ଏହା ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବ। ଏହାସହ ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ବରଗଡ଼, ନୂଆପଡ଼ା, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ କଟକରେ ସର୍ବାଧିକ ୪୯ମିମି ବର୍ଷା ହୋଇଥିବା ବେଳେ ସମ୍ବଲପୁରରେ ୪୪ମିମି ବର୍ଷା ହୋଇଛି। ସେହିପରି ଝାରସୁଗୁଡ଼ାରେ ୩୪ ମିମି, କେନ୍ଦୁଝରରେ ୨୭ମିମି ଲେଖାଏଁ ବର୍ଷା ହୋଇଛି। ଆସନ୍ତାକାଲି ଭୁବନେଶ୍ବର ସମେତ ଏହାର ଆଖପାଖ ଅଞ୍ଚଳରେ ପାଗ ମେଘୁଆ ରହିବା ସହ ବର୍ଷା ହେବ।