ରଘୁନାଥପୁର:-୮/୬: ରଘୁନାଥପୁର ବ୍ଲକ ଟାଟା ପାୱାର ଏସଡ଼ିଓ କାର୍ଯ୍ୟାଳୟ ଅଧୀନରେ ଥିବା ବିଭିନ୍ନ ଗ୍ରାମରେ ବିଦୁତ ସମସ୍ୟା ଲୋକଙ୍କୁ ଅସ୍ତବେସ୍ତ କରିପକାଉଛି।ବାରମ୍ବାର ଏ ସମ୍ପର୍କରେ ଅଭିଯୋଗ ଠାରୁ ଆରମ୍ଭ କରି ଆନ୍ଦୋଳନ ହେଉଥିଲେ ସୁଧା ଅବସ୍ଥା ସୁଧୁରିବା ପରିବର୍ତ୍ତେ ବଢି ବଢି ଚାଲିଛି।ବୁଧବାର ମାଣପୁର ଦଳିତ ସାହିରେ ଲୋଭୋଲ୍ଟେଜ ଓ ଅଘୋଷିତ ବିଦୁତ କାଟ ସମସ୍ୟାକୁ ନେଇ ମହିଳାମାନେ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବସି ପ୍ରତିବାଦ ଜଣାଇବା ସହ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।ଅସହ୍ୟ ଗ୍ରୀଷ୍ମରେ ଲୋକେ ଆଉଟ ପାଉଟ ହେଉଥିବା ବେଳେ ଲୋଭୋଲ୍ଟେଜ ଯୋଗୁଁ ଫ୍ୟାନଟିଏ ଠିକ ଭାବେ ବୁଲୁ ନାହିଁ।ସେହିପରି ସଞ୍ଜ ବୁଡିଲେ ଆଲୁଅ ମିଞ୍ଜିମିଞ୍ଜି ଜଳୁଛି।ପ୍ରବଳ ତାତି ସମୟରେ ମନଇଚ୍ଛା ଲାଇନ କାଟି ଦିଆଯାଉଛି।ପଚାରିଲେ ଲାଇନ ଫଲ୍ଟ ପାଇଁ ବ୍ରେକଡାଉନ ନିଆଯାଇଛି ବୋଲି କର୍ମଚାରୀଙ୍କ ଠାରୁ ଉତ୍ତର ମିଳୁଛି।ଯାହାକି ପିଲାଙ୍କ ପାଠପଢାରେ ବ୍ୟାଘାତ ଘଟିବା ସହ ଫ୍ୟାନ ପବନ ବିନା ଚଳିବା କଷ୍ଟକର ହୋଇପଡୁଛି ବୋଲି ଲତିକା ବେହେରା ଓ ଲକ୍ଷ୍ମୀପ୍ରିୟା ବେହେରା ଅଭିଯୋଗ କରିଛନ୍ତି।ଏପରିକି ଖୁଣ୍ଟଟାଏ ପକେଇବା ପାଇଁ କୁହାଯାଉଥିଲେ ସୁଧା ସମ୍ପୃକ୍ତ କର୍ମଚାରୀ କର୍ଣ୍ଣପାତ କରୁନାହାନ୍ତି ବୋଲି ଟୁକୁନି ଦାସ ଓ କୁନି ଭୋଇ କହିଛନ୍ତି।ଏହାଛଡା ଗୋଟିଏ ଟ୍ରାନ୍ସଫର୍ମର ଅଧୀନରେ ଏକଶହ କଂଯ୍ୟୁମର ନିର୍ଭର କରୁଥିବା ବେଳେ ବିଦୁତ ବିଭାଗ ନୂତନ ଟ୍ରାନ୍ସଫର୍ମର ବସେଇବା ପାଇଁ ପଦକ୍ଷେପ ନେଉ ନାହିଁ ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି।କାର୍ଯ୍ୟାଳୟ ସମ୍ମୁଖରେ ମହିଳାମାନେ ଦୀର୍ଘ ସମୟ ବସିରହିବା ପରେ ଏସଡ଼ିଓଙ୍କ ଅନୁପସ୍ଥିତରେ ଯନ୍ତ୍ରୀ ହୃଷୀକେଶ ଦାସ ସେମାନଙ୍କ ପାଖରେ ପହଞ୍ଚି ଦୁଇଦିନ ଭିତରେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ମହିଳାମାନେ ସ୍ଥାନ ପରିତ୍ୟାଗ କରିଥିଲେ।କୁନି ଦେଇ, ସୀତାରାଣୀ ବେହେରା, ପ୍ରେମଲତା ବେହେରା,ନୟନା ଭୋଇ, ମାନି ଭୋଇ, ଓଷା ଭୋଇ ଓ ସୁଲୋଚନା ଭୋଇ ଏଠାରେ ଉପସ୍ଥିତ ଥିଲେ।
