ଭୁବନେଶ୍ୱର: ରାଜ୍ୟରେ ବଦଳିଲା କ୍ୱାରେଣ୍ଟିନ୍ ନିୟମ। ଏଣିକି ପ୍ରବାସୀ ଓଡ଼ିଆମାନେ ୨୧ ଦିନ ବଦଳରେ ୧୪ ଦିନ କ୍ୱାରେଣ୍ଟିନ୍ରେ ରହିବେ। ଆଜି ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍ଆର୍ସି) ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି।
ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କଠାରେ କୌଣସି ଲକ୍ଷଣ ଥିଲେ ବା ତାଙ୍କଦ୍ୱାରା କରୋନା ବ୍ୟାପିବାର କୌଣସି ଆଶଙ୍କା ଥିବା ଅନୁଭବ କରନ୍ତି ତା’ହେଲେ ସ୍ଥାନୀୟ ପ୍ରାଶାସନିକ ଅଧିକାରୀ ତାଙ୍କ କ୍ୱାରେଣ୍ଟିନ୍ ଅବଧି ବୃଦ୍ଧି କରିପାରିବେ। ଏହି ସମୟରେ ତାଙ୍କୁ କ୍ୱାରେଣ୍ଟିନ୍ ସେଣ୍ଟରରେ ହିଁ ରଖାଯିବ। କ୍ୱାରେଣ୍ଟିନ୍ରେ ଥିବାବେଳେ ଯଦି କୌଣସି ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦିଏ, ତାଙ୍କୁ କୋଭିଡ୍ କେୟାର ସେଣ୍ଟରରେ ଭର୍ତ୍ତି କରାଯିବ।
ଏସ୍ଆର୍ସି ଆହୁରି କହିଛନ୍ତି, ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହୋଇଥିଲେ ବି ଚିନ୍ତାଜନକ ନୁହେଁ। ପ୍ରବାସୀଙ୍କୁ କ୍ୱାରେଣ୍ଟିନ୍ରେ ରଖା ଯାଉଥିବାରୁ ସ୍ଥିତି ନିୟନ୍ତ୍ରଣରେ ରହିଛି। ଅନ୍ୟ ରାଜ୍ୟରୁ ଯଦି କୌଣସି ପ୍ରବାସୀ ଆସୁଛନ୍ତି ଏନେଇ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଅନ୍ତୁ।