ଛତିଶା ନିଯୋଗର ପ୍ରସ୍ତାବ, ରଥ ନିର୍ମାଣ କାର୍ଯ୍ୟ କରାଯାଉ : ସ୍ଥାନୀୟ ବିଧାୟକ, ପରିଚାଳନା କମିଟି ସଦସ୍ୟ ଓ ପୂର୍ବତନ କେନ୍ଦ୍ରମନ୍ତୀଙ୍କ ସମର୍ଥନ
ପୁରୀ,୩ା୫(ସବୁ୍ୟ):ମହାମାରୀ କରୋନା ସଂକ୍ରମଣ ଜନିତ ଲକଡାଉନ ପରିପ୍ରେକ୍ଷୀରେ ବିଶ୍ୱ ପ୍ରଶିଦ୍ଧ ରଥଯାତ୍ରା ହେବା ନେଇ ଅନିଶ୍ଚୟତା ଲାଗି ରହିଥିଲେ ମଧ୍ୟ ଗତମାସ ୨୬ତାରିଖ ଅକ୍ଷୟ ତୃତୀୟାରେ ପରମ୍ପରା ଅନୁଯାୟୀ ମନ୍ଦିର ବେଢ଼ାରେ ରଥ ନିର୍ମାଣର ଶୁଭ ଅନୁକୂଳ ହୋଇଛି । ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ସାମାଜିକ ରକ୍ଷା ପୂର୍ବକ ରଥ ନିର୍ମାଣ କାର୍ଯ୍ୟ କରାଯିବାକୁ ପ୍ରସ୍ତାବ ଦେଇଛି ଛତିଶା ନିଯୋଗ । ଶନିବାର ଅନୁଷ୍ଠିତ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ରଥଯାତ୍ରା କରାଯିବା ସପକ୍ଷରେ ସର୍ବସମ୍ମତ ମତପ୍ରକାଶ ପାଇଛି ।
ପୁରୀ ଗ୍ରୀନ୍ ଜୋନ ଅନ୍ତର୍ଭୁକ୍ତ ହୋଇଥିବାରୁ ରଥ ନିର୍ମାଣ କାର୍ଯ୍ୟ କରାଯିବାରେ କୌଣସି ପ୍ରତିବନ୍ଧକ ନଥିବା ଦର୍ଶାଇ ରଥ ନିର୍ମାଣ କରାଯିବା ଏବଂ ପ୍ରତିବର୍ଷ ଭଳି ମହାପ୍ରଭୁଙ୍କ ରଥଯାତ୍ରା ଯଥାରୀତି ସମ୍ପନ୍ନ କରାଯିବାକୁ ଛତିଶାନିଯୋଗ ସରକାରଙ୍କୁ ନିବେଦନ କରିଛି । ରଥଯାତ୍ରା କରାଗଲେ ସେବାୟତମାନେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ନିଯୋଗ ପକ୍ଷରୁ କୁହାଯାଇଛି ।ପୁରୀ ଜିଲ୍ଲା ଗ୍ରୀନ ଜୋନ ଅନ୍ତର୍ଭୁକ୍ତ ହୋଇଥିବାରୁ ରାଜ୍ୟ ସରକାରଙ୍କ ନିଦେ୍ର୍ଦଶାବଳୀ ଅନୁଯାୟୀ ରଥ ନିର୍ମାଣ କାର୍ଯ୍ୟ କରାଯାଇପାରିବ । ଜୁନ ମାସରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ହାତରେ ସମୟ ରହିଛି । ତେଣୁ ସରକାର ବର୍ତ୍ତମାନ ରଥ ନିର୍ମାଣ ପାଇଁ ଅନୁମତି ଦେବା ଆବଶ୍ୟକ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ବରିଷ୍ଠ ଦଇତାପତି ରାମଚନ୍ଦ୍ର ଦାସ ମହାପାତ୍ର ମତ ପ୍ରକାଶ କରିଛନ୍ତି ।
ସେହିପରି ରଥଯାତ୍ରା ଆୟୋଜନ କରାଯିବା ଉଚିତ ହେବ । ସେତେବେଳକୁ ଲକଡାଉନ ଜନିତ କଟକଣା ଉଠି ଯାଇଥିବ ବୋଲି ବିଧାୟକ ଶ୍ରୀ ଷଡଙ୍ଗୀ ମତବ୍ୟକ୍ତ କରିଛନ୍ତି । ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ରଥଯାତ୍ରା କରାଯିବା ନେଇ ନିର୍ଣ୍ଣୟ ଦେଇଥିବାରୁ ଆମେ ତାହା ମାନିବାକୁ ବାଧ୍ୟ । ଏଠି ଗଜପତି ଅଛନ୍ତି । ଛତିଶା ନିଯୋଗ ଅଛି । ସେବାୟତ ଓ ମୁଖିଆମାନେ ଅଛନ୍ତି । ମହାପ୍ରଭୁଙ୍କ ରୀତିନୀତି ପରମ୍ପରା କିପରି ରକ୍ଷା ହେବ ସେ ସମ୍ପର୍କରେ ଯାହା ନିଷ୍ପତ୍ତି କରିବେ ଆମେ ପୁରୀବାସୀ ତାହା ଗ୍ରହଣ କରିନେବୁ ବୋଲି ବିଧାୟକ ଷଢଙ୍ଗୀ କହିଛନ୍ତି । ଅନ୍ୟପକ୍ଷରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ କରୋନା ସଂକ୍ରମଣ ପ୍ରତି ଦୃଷ୍ଟି ରଖି କଟକଣା ସହ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା କରାଯିବା ସପକ୍ଷରେ ମତପ୍ରକାଶ କରିଛନ୍ତି ।
ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ରଥଯାତ୍ରା ବନ୍ଦ କରିଦିଆଗଲେ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗରେ ଆଘାତ ଲାଗିବ । ପୁରୀ କରୋନା ସଂକ୍ରମଣରୁ ସମ୍ପୂର୍ଣ୍ଣ ମୁକ୍ତ ଥିବାରୁ କଟକଣା ମଧ୍ୟରେ ରଥଯାତ୍ରା କରିବାରେ କୌଣସି ସମସ୍ୟା ନାହିଁ । ତେଣୁ ରାଜ୍ୟ ସରକାର ଏଥିପାଇଁ ଯଥାଶୀଘ୍ର ଅନୁମତି ଦେବା ଆବଶ୍ୟକ । ସରକାରଙ୍କ ଗାଇଡଲାଇନ ମାନିବାକୁ ସେବାୟତମାନେ ପ୍ରସ୍ତୁତ ଥିବାରୁ ରଥଯାତ୍ରା ବନ୍ଦ କରିଦିଆଯିବା ଉଚିତ ହେବ ନାହିଁ ବୋଲି ସେ ମତ ଦେଇଛନ୍ତି ।