ପୁରୀ :ସ୍ୱଚ୍ଛ ପୁରୀ ଓ ପବିତ୍ର ପୁରୀ ଗଠନ ଉଦେ୍ଦଶ୍ୟରେ ପ୍ରତି ଶନିବାର କରାଯାଉଛିି ବଡ଼ଦାଣ୍ଡ ସେବା କାର୍ଯ୍ୟକ୍ରମ । ଗତ ଶନିବାର ଠାରୁ ଆରମ୍ଭ ହୋଇଥିବା ଏହି ବଡ଼ଦାଣ୍ଡ ସେବା କାର୍ଯ୍ୟକ୍ରମର ଆଜି ଥିଲା ଦ୍ୱିତୀୟ ପର୍ଯ୍ୟୟ । ପୁରୀ ସହର ଓ ବଡ଼ଦାଣ୍ଡଙ୍କୁ ପରିସ୍କାର ରଖିବା ଲକ୍ଷ୍ୟରେ ଆଜିର ଏହି ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ବିଭିନ୍ନ ବର୍ଗର ଲୋକେ । ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ମରିଚିକୋଟ ଛକ,ମରିଚିକୋଟରୁ ମାର୍କେଟ ଛକ,ମାର୍କେଟଛକରୁ ବଡ଼ଡ଼ାକ୍ତରଖାନା ଛକ,ବଡ଼ଡ଼ାକ୍ତରଖାନାଛକରୁ ବଡ଼ଶଙ୍ଖ, ବଡ଼ଶଙ୍ଖରୁ ଗୁଣ୍ଡିଚା ମନ୍ଦିର ଛକ ପର୍ଯ୍ୟନ୍ତ ପାଞ୍ଚଗୋଟି ସ୍ଥାନରେ ସଫେଇ ଅଭିଯାନ କରାଯାଇଥିଲା ।
ମୁକ୍ତାକାଶ ରଙ୍ଗମଞ୍ଚଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ବକୃତା,ଝୋଟି ଓ ଚିତ୍ରକଳା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଜିଲ୍ଲାପାଳ ସମର୍ଥ ବର୍ମା,ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଶ୍ରୀମନ୍ଦିର ପ୍ରଶାସକ ଅଜୟ କୁମାର ଜେନା,ଉପ ଜିଲ୍ଲାପାଳ ଭବତାରଣ ସାହୁ,ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ ଓ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମାନ ପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଆବର୍ଜନାରୁ ସୁନ୍ଦର କଳାକୃତୀ ତିଆରି କରି ନିଜର ପ୍ରତିଭାର ପରିଚୟ ଦେଇଥିବା ଶିଳ୍ପୀଗୀତା ମଞ୍ଜରୀ ସାସମଲଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ମ୍ୟାନ ହୋଲ ସଫେଇପାଇଁ ‘ବ୍ୟାଣ୍ଡିକଟ’ ମେସିନ୍ର ଶୁଭାରମ୍ଭ କରାଯାଇଥିଲା ।
ସଫେଇ କର୍ମଚାରୀଙ୍କ ବଦଳରେ ଏହି ମେସିନ୍ରେ ମ୍ୟାନହୋଲ ସଫେଇ କରାଯାଇପାରିବ । ଏଥିସହିତ ସହରରେ ଜଳରମାନ ପରୀକ୍ଷଣ ନିମନ୍ତେ ଏକ ଭ୍ରାମ୍ୟମାଣ ରଥର ଶୁଭାରମ୍ଭ ମଧ୍ୟ କରାଯାଇଥିଲା । ଏହି ଭ୍ରାମ୍ୟମାଣ ରଥ ସହାୟତାରେ ସହରବାସୀ ନିଜ ନିଜ ଘରେ ଥିବା ପିଇବା ପାଣିର ମାନକୁ ଯାଞ୍ଜ କରିପାରିବେ । ଆଜିର ଏହି ସଫେଇ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ହୋଟଲ,ବସ୍,ଟ୍ରକ୍,ଅଟୋ ଓ ବାଣିଜ୍ୟ ସଂଘର କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ । ଶ୍ୟାମପ୍ରକାଶ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ସ୍ଥାନୀୟ ବାସିନ୍ଦା ମଧ୍ୟ ସାମିଲ ହୋଇଥିଲେ । ଏଥିସହ ପ୍ଲାଷ୍ଟିକ ସଂଗ୍ରହ ଅଭିଯାନ କରାଯାଇଥିଲା । ଏକ କିଲୋଗ୍ରାମରୁ ଅଧିକ ଓଜନର ପ୍ଲାଷ୍ଟିକ୍ ଦେଉଥିବା ବ୍ୟକ୍ତିଙ୍କୁ ହୋଟେଲ୍ ଆସୋସିଏସନ୍ ଓ ପୌରସଂସ୍ଥା ପକ୍ଷରୁ ଗୋଟଏ ଲେଖାଏଁ ଟି ସାର୍ଟ ପ୍ରଦାନ କରାଯାଇଥିଲା ।