ପୁରୀ ସମୁଦ୍ରକୂଳ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷିତ : ଘରୁ ବାହରକୁ ନବାହରିବାକୁ ପରାମର୍ଶ , ନିୟମ ଉଲଂଘନ କଲେ ନିଆଯିବ ପଦକ୍ଷେପ
ପୁରୀ :ପୁରୀସହରର ରେଣୁକା ଲେନ୍ ସ୍ଥିତ ଏକ ହୋଟେଲରୁ ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ସମ୍ଭାବ୍ୟ ସଂକ୍ରମକୁ ରୋକିବା ଲାଗି ଜିଲ୍ଲାପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ସ୍ୱର୍ଗଦ୍ୱାର ନିକଟସ୍ଥ ୧୧ନମ୍ବର ୱାର୍ଡ ଅନ୍ତର୍ଗତ ମେରାଇନ୍ ଡ୍ରାଇଭ ରୋଡ ଛକରୁ ରେଣୁକା ଲେନ୍ ଦେଇ ଭୋଳାନାଥ କୁଟୀର ଛକ , ଭୋଳାନାଥ କୁଟୀର ଛକ ଠାରୁ ମହୋଦଧି ଭବନ ଲେନ ଦେଇ କେରାଇନ ଡ୍ରାଇଭ ଛକ ପର୍ଯ୍ୟନ୍ତ ଅଞ୍ଚଳକୁ ଜିଲ୍ଲାପାଳ ବଲୱନ୍ତ ସିଂ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । ସମ୍ପୃକ୍ତ ଅଞ୍ଚଳରେ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ସମ୍ପୃକ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ବାହାରକୁ ନବାହାରିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି ।
କରୋନା ପଜିଟିଭ ବାହାରିବା ପରେ ଅଗ୍ନିଶମ ସେବା ସଂସ୍ଥା ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ୍ କରାଯାଇଛି । ସମ୍ପୃକ୍ତ ଅଞ୍ଚଳରେ ଥିବା କୌଣସି ବ୍ୟକ୍ତି କଣ୍ଟେନମେଣ୍ଟ ଅଞ୍ଚଳକୁ ଯାଇପାରିବେ ନାହିଁ ଏବଂ ଜୋନ ମଧ୍ୟରେ ଥିବା ଲୋକମାନେ ବାହାରକୁ ଆସିପାରିବେ ନାହିଁ । କଣ୍ଟେମେଣ୍ଟ ଜୋନର ସମସ୍ତ ଅଧିବାସୀ ଘରେ ରହିବେ । ସମ୍ପୃକ୍ତ ଅଞ୍ଚଳର ସମସ୍ତ ଦୋକାନ ବଜାର ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ । ପୁରୀ ପୌର ନିର୍ବାହୀ ଅଧିକାରୀଙ୍କ ଅଧୀନରେ ଥିବା ବିଭିନ୍ନ ଟିମ୍ ମାଧ୍ୟମରେ ସମ୍ପୃକ୍ତ ଅଞ୍ଚଳର ବାସିନ୍ଦାଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ଔଷଧପତ୍ର ଯୋଗାଇ ଦିଆଯିବ । ଏହି ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବ ।
୧୧ତାରିଖ ସକାଳ ୭ଟାରୁ ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ସଟଡାଉନ ବଳବତ୍ତର ରହିବ ବୋଲି ଜିଲ୍ଲାପାଳଙ୍କ ନିଦେ୍ର୍ଦଶନାମାରେ କୁହାଯାଇଛି । ଏକ ଭିଡିଓ ବାର୍ତ୍ତାରେ ଜିଲ୍ଲାପାଳ ଶ୍ରୀ ସିଂ କହିଛନ୍ତି ଯେ ପଜିଟିଭ ଚିହ୍ନଟ ହୋଇଥିବା ସମ୍ପୃକ୍ତ ବ୍ୟକ୍ତି ପଶ୍ଚିମବଙ୍ଗରୁ ଫେରି ହୋମ କ୍ୱାରେଣ୍ଟାଇନରେ ଥିଲେ । ପରୀକ୍ଷା ରିପୋର୍ଟରୁ ୨ଜଣଙ୍କ ପଜିଟିଭ ଥିବା ଜଣାପଡିଥିଲା । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏହି ଅଞ୍ଚଳରେ ଘର ଓ ହୋଟେଲମାନ ରହିଛି । ବାସିନ୍ଦାମାନଙ୍କ ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣର ବ୍ୟବସ୍ଥା କରାଯିବ । ମେଡିକାଲ ଟିମ୍ ସମସ୍ତଙ୍କର ନିୟମିତ ସ୍ୱସ୍ଥ୍ୟ ପରୀକ୍ଷା କରିବ ।
ହୋମ କ୍ୱାରେଣ୍ଟାଇନରେ ଥିବା ବେଳେ ସମ୍ପୃକ୍ତ ବ୍ୟକ୍ତି ନିୟମ ଉଲଂଘନ କରୁଥିବାରୁ ତାଙ୍କ ବିରୁଦ୍ଧରେ ଆଇନ୍ଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଚିହ୍ନଟ ବ୍ୟକ୍ତିମାନଙ୍କ ସମ୍ପର୍କରେ ସୂଚନାଦେଇ ଜିଲ୍ଲାପାଳ କହିଛନ୍ତି ଯେ, ଚିହ୍ନଟ ରୋଗୀ ଦ୍ୱୟ ଭଲ ଥିଲେ । ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ପରିଲକ୍ଷିତ ହୋଇନଥିଲା । ତେବେ ପରମର୍ତ୍ତୀ ସମୟରେ ପଜିଟିଭ୍ ଜଣାପଡିବା ପରେ ତାଙ୍କୁ ଭୁବନେଶ୍ୱରର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି ।
ଚିହ୍ନଟ ବ୍ୟକ୍ତିଙ୍କର ପରିବାରର ଜଣେ ସଦସ୍ୟ ,ତାଙ୍କ ହୋଟେଲ କର୍ମଚାରୀ ଓ ଚାକରାଣୀ ସମେତ ୫-୬ଜଣ ସହିତ ଘନିଷ୍ଠ ସମ୍ପର୍କ ଥିଲା । ଚାକରାଣୀଙ୍କ ୪ଜଣ ପରିବାରର ସଦସ୍ୟଙ୍କ ନମୂନା ପରୀକ୍ଷା କରାଯାଉଛି । ପୁରୀ ସହରକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ଇନ୍ଷ୍ଟିଟୁ୍ୟସନାଲ କ୍ୱାରେଣ୍ଟାଇନ୍ରେ ରହିବାକୁ ପଡିବ । କଣ୍ଟେନମେଣ୍ଟ ଜୋନ ବାହାରେ ମଧ୍ୟ ସତର୍କତା ଅବଲମ୍ବର ଆବଶ୍ୟକତା ରହିଛି ବୋଲିି ଜିଲ୍ଲାପାଳ କହିଛନ୍ତି । ଲୋକମାନେ ଆଇନ୍କୁ ହାତକୁ ନନେବ ଲାଗି ଜିଲ୍ଲାପାଳ ଅନୁରୋଧ କରିବା ସହ କୌଣସି ବ୍ୟକ୍ତି ବାହାରୁ ଆସିଲେ ପ୍ରଶାସନକୁ ଜଣାଇବାକୁ ପରାମର୍ଶ ଦେଇଛନ୍ତି ।