ପୁରୀ: ନିର୍ଦ୍ଧାରିତ ସମୟ ଯଥେଷ୍ଟ ପୂର୍ବରୁ ରଥ ଖଳାରେ ଆଜି ସମସ୍ତ ଚକ ଓ ଅଖ ସଂଯୋଗ କରାଯାଇ ଡ଼େରାଯାଇଛି। ଏଥି ସହ ରଥର ଉପରିଭାଗ ନିର୍ମାଣ କାର୍ଯ୍ୟ ଜୋର ଧରିଛି। ଆସନ୍ତା ସ୍ନାନପୂର୍ଣ୍ଣିମାରେ ତିନି ରଥର ଚାରି ନାହାକା ଉଠିବ। ତେବେ ଚଳିତବର୍ଷ ରଥ ନିର୍ମାଣ ବେଶ ଆଗୁଆ ଚାଲିଛି। ସେପଟେ ରୂପକାର ସେବକମାନେ ସିଂହାସନରେ ଖୋଦେଇ ଜାରି ରଖିଥିବା ବେଳେ କମାରଶାଳରେ ଓଝା ମହାରଣା ମାନେ କଣ୍ଟା ନିର୍ମାଣରେ ନିମଗ୍ନ ରହିଛନ୍ତି। ଅନ୍ୟପଟେ ଆଗାମୀ ସ୍ନାନଯାତ୍ରାକୁ ନେଇ ମହାପ୍ରଭୁଙ୍କ ନୀତିକାନ୍ତି ଓ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ନିଯୋଗ ସହ ଆଲୋଚନା କରାଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥନିର୍ମାଣ ଅନୁକୂଳ ହୋଇ ଶ୍ରୀକ୍ଷେତ୍ର ଭଉଁରୀ ଦିନ ତିନିରଥର ଦୁଇଟି ଲେଖାଏଁ ଚକ ହିସାବରେ ୬ ଟି ଚକ ସହ ୩ ଟି ଅଖ ସଂଯୋଗ କରାଯାଇଥିଲା।
ଶୀତଳଷଷ୍ଠୀ ପରଦିନ ସମସ୍ତ ଚକ ସହ ଅଖର ଡ଼େରାଯିବାର ଟାର୍ଗେଟ ରହିଥିଲେ ହେଁ ଏହାର ଯଥେଷ୍ଟ ପୂର୍ବରୁ ଆଜି ତିନିରଥର ସମସ୍ତ ୪୨ଟି ଚକ ସହ ଅଖ ସଂଯୋଗ କରାଯାଇ ଡ଼େରାଯାଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଭୋଇ ସେବକ ଅକ୍ଳାନ୍ତ ପରିଶ୍ରମ କରି ପ୍ରଥମେ ତାଳଧ୍ୱଜ, ପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥର ଚକ ଅଖ ସଂଯୋଗ କରିଥିଲେ। ଚକ ଓ ଅଖ ସଂଯୋଗ ସହ ଦଣ୍ତା ଫ୍ରେମ ସେଟିଂ କାମ ସରିଛି। ସତର୍କତାର ସହ ଏହାର ନମ୍ୱରିଂ କରାଯିବା ସହ ଅଖ ଉପରେ ଦଣ୍ତା ଫ୍ରେମ ଫିଟିଂ ହେବ। ଏହା ରଥର ସମ୍ପୁର୍ଣ୍ଣ ଭାରାକୁ ବହନ କରିବ। ଦଣ୍ତା ଉପରେ ଗରଗରା ପଡ଼ି ଚାରିନାହାକା ଉଠିବ। ଗରଗରା ଚଉପଟ ସରି ବିନ୍ଧ ଖୋଦେଇ ଜାରୀ ରହିଥିବା ରଥନିର୍ମାଣ ସେବାୟତ ମାନେ କହିଛନ୍ତି। ତେବେ ଆଜି ରବିବାର ଯୋଗୁଁ ପ୍ରବଳ ଭକ୍ତଙ୍କ ଗହଳି ପାଇଁ ରଥ କାଠ ନବା ଆଣିବାରେ ସାମାନ୍ୟ ସମସ୍ୟା ଦେଖାଯାଇଥିବା ମହାରଣା ସେବାୟତ ମାନେ ଅଭିଯୋଗ ଆଣିଛନ୍ତି। ସେପଟେ ଆସନ୍ତା ଦେବସ୍ନାନ ପୂର୍ଣ୍ଣିମା ଦିନ ତିନିରଥ ଉପରକୁ ଚାରି ନାହାକା ଉଠିବାର ପରମ୍ପରା ରହିଥିବା ବେଳେ ଏହାର ଯଥେଷ୍ଟ ପୂର୍ବରୁ ଚାରିନାହାକା ଉଠିବ ବୋଲି ଭୋଇ ସର୍ଦ୍ଦାର କହିଛନ୍ତି।
ସେପଟେ ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଦିନ ରୂପକାର ସେବାୟତ ମାନେ କୋଣଗୁଜ ଅନୁକୂଳ କରିଥିବା ବେଳେ କୋଣ ଗୁଜରେ ସିଂହବିରାଳ ଖୋଦେଇ କାମ ଶେଷ କରିଛନ୍ତି। ବର୍ତ୍ତମାନ ମହାପ୍ରଭୁଙ୍କ ପାଇଁ ସିଂହାସନରେ ରୂପକାର ସେବକ ମାନେ ଡାଳିଲତା ଖୋଦେଇ କରୁଥିବା ବେଳେ ଆଗକୁ ପଟାଗୁଜରେ ନରବିରାଳ,ସିଂହବିରାଳ ଓ ଗଜବିରାଳ ସହ ପ୍ରଭା,ଇଶ,ଜୁଆଳି,,ପ୍ରଭୃତି କାର୍ଯ୍ୟ କରାଯିବ ବୋଲି କହିଛନ୍ତି। ସେପଟେ କମାରଶାଳରେ ଓଝା ମହାରଣା ମାନେ ନିଁଆ ଚୂଲିର ତାତିକୁ ଖାତିର୍ ନ କରି ଅରକଣ୍ଟା ଓ ଦଣ୍ଡାକଣ୍ଟା ପ୍ରସ୍ତୁତ ଶେଷ କରିଥିବା ବେଳେ ଆଗକୁ ଗୟଳ କଣ୍ଟା, ଛନ୍ଦା ଗୟଳ କଣ୍ଟା, ଯୋଖା କଣ୍ଟା ଓ ତିନୋଟି ଭୂଇଁ ପାଇଁ କଣ୍ଟା ନିର୍ମାଣ କରାଯିବ ବୋଲି କହିଛନ୍ତି। ଅନ୍ୟପଟେ ଆସନ୍ତା ୧୪ ତାରିଖରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ମହାପ୍ରଭୁଙ୍କ ନୀତିକାନ୍ତିକୁ କିଭଳି ଶୃଙ୍ଖଳିତ କରାଯିବ ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବିଭିନ୍ନ ନିଯୋଗ ସହ ଆଲୋଚନା କରାଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି।
ଆସନ୍ତା ୭ତାରିଖ ଦିନ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ଏହି ବୈଠକରେ ରାଜେନ୍ଦ୍ରାଭିଷେକ ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ତଥା ସ୍ନାନଯାତ୍ରା, ରଥଯାତ୍ରା, ବାହୁଡା ଯାତ୍ରା ବ୍ୟବସ୍ଥାବଳୀ ସମ୍ପର୍କରେ ଅନୁଷ୍ଠିତ ସବ୍ କମିଟି ବୈଠକର ନିଷ୍ପତିକୁ ମୋହର ମରାଯିବ ।
