ଯଦୁମଣି ପାଣିଗ୍ରାହୀ : ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ଅନୁସାରେ ଜନ ପ୍ରତିନିଧି ମାନେ ସାଧାରଣ ଲୋକଙ୍କ ପ୍ରତିନିଧିତ୍ୱ କରନ୍ତି । ଏଥିପାଇଁ ଲୋକେ ଭୋଟ ମାଧ୍ୟମରେ ସେମାନଙ୍କର ପସନ୍ଦର ପ୍ରତିନିଧିଙ୍କୁ ନିର୍ବାଚିତ କରିଥାନ୍ତି । ସାଧାରଣ ୱାର୍ଡ, ପଂଚାୟତ, ପଂଚାୟତ ସମିତି ଓ ଜିଲ୍ଲା ପରିଷଦ ଠାରୁ ଆରମ୍ଭ କରି ବିଧାନସଭା ଓ ଲୋକସଭା କ୍ଷେତ୍ର ଲାଗି ଜଣେ ଜଣେ ପ୍ରତିନିଧିଙ୍କୁ ଭୋଟ ମାଧ୍ୟମରେ ପାଂଚ ବର୍ଷ ଲାଗି ନିର୍ବାଚିତ କରି ଲୋକେ ସେମାନଙ୍କ ରାଜନୈତିକ ଅଧିକାରଟିକୁ ସାବ୍ୟସ୍ତ କରିଥାନ୍ତି । ତେଣୁ ଜଣେ ୱାର୍ଡ ସଭ୍ୟ ଠାରୁ ଆରମ୍ଭ କରି ଲୋକସଭା ସଭ୍ୟ ପର୍ଯ୍ୟନ୍ତ ଜନ ପ୍ରତିନିଧି ମାନେ ସେମାନଙ୍କ କାର୍ଯ୍ୟକାଳ ମଧ୍ୟରେ ସଂପୃକ୍ତ ୱାର୍ଡ ଠାରୁ ଆରମ୍ଭ କରି ଲୋକସଭା କ୍ଷେତ୍ର ଯାଏଁ ରହିଥିବା ଜନ ସମସ୍ୟାକୁ ଦୂର କରିବା ଦିଗରେ ପଦକ୍ଷେପ ନେବା ସହ ସବୁ ବର୍ଗର ଲୋକଙ୍କ ଲାଗି ଉଦ୍ଦିଷ୍ଟ ସରକାରୀ ଯୋଜନାକୁ ସେମାନଙ୍କ ନିକଟରେ ପହଂଚାଇବାର ଗୁରୁ ଦାୟିତ୍ୱକୁ ମୁଣ୍ଡେଇବାକୁ ପଡିଥାଏ ।
ସାଧାରଣ ଲୋକେ ଯେମିତି ଶାସନର ସୁଫଳ ପାଇପାରିବେ ସେଥିଲାଗି ଜନ ପ୍ରତିନିଧି ମାନେ ସର୍ବଦା ସଚେତନ ରହିବାର ଆବଶ୍ୟକତା ରହିଛି । ସାଧାରଣ ଲୋକଟିଏ ଯେପରି ତା’ର ନ୍ୟାର୍ଯ୍ୟ ଅଧିକାରରୁ ବଂଚିତ ହୋଇ ଶୋଷଣ ଓ କଷଣରେ ଶିକାର ନ ହୁଏ ସେ ଦିଗରେ ଜଣେ ଜନ ପ୍ରତିନିଧିଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡିଥାଏ । ବିଶେଷକରି କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଓ ବିଜୁଳି ଆଦି ନେଇ ଯଦି କୌଣସି ସମସ୍ୟା ସଂପୃକ୍ତ ପଂଚାୟତ, ବ୍ଲକ, ବିଧାନସଭା କ୍ଷେତ୍ର କିମ୍ବା ଲୋକସଭା କ୍ଷେତ୍ରରେ ରହିଥାଏ ତା’ର ତ୍ୱରିତ ସମାଧାନ ଦିଗରେ ଜନ ପ୍ରତିନିଧି ମାନେ ଆନ୍ତରିକତାର ସହ ଆଗେଇ ଆସିବା ନିହାତି ଜରୁରୀ । ଅନ୍ୟପକ୍ଷେ ୱାର୍ଡ ଠାରୁ ଆରମ୍ଭ କରି, ପଂଚାୟତ, ପଂଚାୟତ ସମିତି, ବିଧାନସଭା କ୍ଷେତ୍ର ଓ ଲୋକସଭା କ୍ଷେତ୍ରର ଜନ ପ୍ରତିନିଧି ମାନଙ୍କ ପାଖରେ ନିଜ ନିଜ କ୍ଷେତ୍ରର ଜନ ସମସ୍ୟା ନେଇ ସବିଶେଷ ତଥ୍ୟ ରହିଥିବାରୁ ସେମାନେ ଏହାର ସମାଧାନ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ ।
ସେମାନେ ପଂଚାୟତ, ପଂଚାୟତ ସମିତି, ଜିଲ୍ଲା ପରିଷଦ ବୈଠକ ଠାରୁ ଆରମ୍ଭ କରି ବିଧାନସଭା ଅଧିବେଶନ ଓ ଲୋକସଭା ଅଧିବେଶନରେ ଏସବୁ ସମସ୍ୟାକୁ ଉପସ୍ଥାପନ କରି ସରକାରଙ୍କ ଦୃଷ୍ଟିକୁ ଆଣିବା ହେଉଛି ସେମାନଙ୍କର ଦାୟିତ୍ୱ । ଯାହାଦ୍ୱାରା ସରକାର ସେଥିପ୍ରତି ସଚେତନ ରହିବା ସହ ସେସବୁ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିପାରନ୍ତେ ।
ମାତ୍ର ପରିତାପର ବିଷୟ ହେଉଛି ଆଜିକାଲି ଜନ ପ୍ରତିନିଧି ମାନେ ନିର୍ବାଚନରେ ବିଜୟ ଲାଭ କରିବା ପରେ ନିଜ ଅଂଚଳ ତଥା ଜନସାଧାରଣଙ୍କ ଠାରୁ ଦୂରେଇ ଯାଉଛନ୍ତି । ନିଜ ନିଜ ଅଂଚଳର ଜନ ସମସ୍ୟା ପ୍ରତି ଆଖି ବୁଜି ଦେଉଛନ୍ତି । ଯେଉଁ ଆସ୍ଥା ଓ ବିଶ୍ୱାସ ରଖି ଲୋକେ ସେମାନଙ୍କୁ ନିର୍ବାଚିତ କରାଇଥିଲେ ସେକଥା ଆଉ ସେମାନେ ଚିନ୍ତା କରୁନାହାନ୍ତି । ଥରେ କ୍ଷମତା ଓ ପଦପଦବୀ ପାଇଗଲା ପରେ ଜନ ପ୍ରତିନିଧି ମାନେ ସ୍ୱାର୍ଥପର ଓ ସ୍ୱେଚ୍ଛାଚାରୀ ହୋଇ ପଡୁଛନ୍ତି । କେବଳ ନିଜର, ନିଜ ସଂପର୍କୀୟ ଓ ବନ୍ଧୁବାନ୍ଧବଙ୍କ ସୁଖ ସୁବିଧା ପ୍ରତି ସେମାନେ ଅଗ୍ରାଧିକାର ଦେଉଛନ୍ତି । ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗକୁ ବେଖାତିର କରୁଛନ୍ତି । ଯଦି ବା କେହି କେହି ଜନ ସମସ୍ୟାକୁ ଗୁରୁତ୍ୱ ଦେଉଛନ୍ତି ତାହା ପୁଣି ରାଜନୈତିକ ସଂକୀର୍ଣ୍ଣତା ଆଧାରରେ ଓ ଦଳୀୟ ମନୋଭାବ ନେଇ ।
ସାଧାରଣ ଲୋକଙ୍କ ପ୍ରତି ବାଛବିଚାର ଓ ପାତରଅନ୍ତର କରାଯାଉଛି । ଜଣେ ଜନ ପ୍ରତିନିଧି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳରୁ ନିର୍ବାଚନ ଲଢିପାରେ ସତ ହେଲେ ନିର୍ବାଚନରେ ଜିତିବା ପରେ ସେ ଯେ, ସବୁଲୋକଙ୍କର ପ୍ରତିନିଧି ଏକଥାକୁ ଭୁଲିଯିବା ଉଚିତ ନୁହେଁ । ଆଜିକାଲି ସରକାର ଲୋକଙ୍କ ଲାଗି ଅନେକ ଜନ ହିତକର ଯୋଜନା ପ୍ରଣୟନ କରୁଥିଲେ ମଧ୍ୟ ଲୋକେ ତା’ର ସୁଫଳ ଭୋଗ କରିପାରୁ ନାହାନ୍ତି । ତା’ର କାରଣ ହେଲା ଯୋଜନା ଲୋକଙ୍କ ନିକଟରେ ପହଂଚି ପାରୁନି କିମ୍ବା ଲୋକଙ୍କ ଅଜ୍ଞତା ଓ ଅସଚେତନତା କାରଣରୁ ଯୋଜନାର ଆଭିମୂଖ୍ୟ ଲୋକେ ବୁଝିବାରୁ ବଂଚିତ ହେଉଛନ୍ତି । ଆଉ ଏହି ସୁଯୋଗରେ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ମାନେ ସାଧାରଣ ଲୋକଙ୍କୁ ବୋକା ବନେଇ ସେମାନଙ୍କୁ ଶୋଷଣ କରିବାକୁ ସକ୍ଷମ ହେଉଛନ୍ତି । ସେମାନେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହ ସାଲିସ କରି ନାନା ପ୍ରକାର ଦୁର୍ନୀତି ଓ ଅନିୟମିତତା କରୁଛନ୍ତି ।
ସେହିପରି ସରକାରୀ ଯୋଜନାର ସଫଳ ରୂପାୟନ ନେଇ ପ୍ରଶାସନିକ ଅଧିକାରୀ ମାନେ ଯଥେଷ୍ଟ ନିଷ୍ଠା ଓ ଆନ୍ତରିକତା ପ୍ରଦର୍ଶନ କରୁନାହାନ୍ତି । ଏପରିସ୍ଥିତିରେ ଜନ ପ୍ରତିନିଧି ମାନେ ହେଉଛନ୍ତି ଲୋକଙ୍କ ସାହା ଭରସା । ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କ ଦୌରାତ୍ମ୍ୟରୁ ସାଧାରଣ ଲୋକଙ୍କୁ ରକ୍ଷା କରିବାର ଦାୟିତ୍ୱ ହେଉଛି ସେମାନଙ୍କର । ତେଣୁ ଜନ ପ୍ରତିନିଧି ମାନେ ଲୋକଙ୍କ ସପକ୍ଷରେ ରହିଲେ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ମାନେ ଆପଣାଛାଏଁ ଲୋକଙ୍କ କାମ କରିବାକୁ ବାଧ୍ୟ ହେବେ । ସରକାରୀ ଯୋଜନା ଲୋକଙ୍କ ଲାଗି ସୁଗମ ଓ ସହଜ ମନେ ହେବ । ଜନ ପ୍ରତିନିଧି ମାନେ ଅନ୍ତତଃ ଏଥିପ୍ରତି ସଚେତନ ହେବା ଜରୁରୀ ।