ଇଂ. ବିଦ୍ୟାଧର ପଣ୍ଡା : “ପବଜି ସେନା, ଜିନ୍ଦାବାଦ୍ । ପବ୍ଜି ଆପ୍! ଜିନ୍ଦାବାଦ୍ । ପବ୍ଜି ଆପ୍! ବନ୍ଦ୍ ହେବନି । କେନ୍ଦ୍ର ସରକାର! ବିଚାର କର । ଆମର ଦାବି, ନ୍ୟାର୍ଯ୍ୟ ଦାବି, ସରକାର ତୁମେ ମାନିନିଅ । ପବ୍ଜି ବ୍ୟାନ୍, ଚଳିବ ନାହିଁ । ଚଳିବ ନାହିଁ, ଚଳିବ ନାହିଁ । ଯଦି ଚଳିବ ନିଆଁ ଜଳିବ, ନିଆଁ ଜଳିବ ନିଆଁ ଜଳିବ । ଦାଦାଗିରି , ଚଳିବ ନାହିଁ । ଧମ୍କା ଧମ୍କି , ଚଳିବ ନାହିଁ । ଯଦି ଚଳିବ ନିଆଁ ଜଳିବ । ସ୍କୁଲ୍ କଲେଜ୍ , ବନ୍ଦ ରହିବ । ସ୍କୁଲ୍ କଲେଜ୍ , ନିଆଁ ଜଳିବ । ପିତାମାତା , ସାଥ୍ ଦିଅ । ଅଭିଭାବକ, ଆବାଜ୍ ଉଠାଅ । ଦାଦାଗିରି , ଚଳିବ ନାହିଁ । ପବଜି ବ୍ୟାନ୍, ଚଳିବ ନାହିଁ । ସ୍କୁଲ୍ କଲେଜ୍ , ନିଆଁ ଜଳିବ । ଧମ୍କା ଧମ୍କି , ଚଳିବ ନାହିଁ । ପବ୍ଜି ବ୍ୟାନ୍, ଚଳିବ ନାହିଁ । କେନ୍ଦ୍ର ସରକାର , ଜିଦ୍ ଛାଡ .. .. ।” ଏମିତି ସ୍ଲୋଗାନ୍ ଦେଇଦେଇ ବାଣୀବିହାରଛକରୁ ମାଷ୍ଟରକ୍ୟାଂଟିନ୍ ଛକ ହରତାଳ ସ୍ଥାନଆଡକୁ ରବିବାର ସକାଳୁସକାଳୁ ବାହାରିଥାନ୍ତି ଶହେ ଦୁଇଶହ କିଶୋର ସାଙ୍ଗରେ ଚାଳିଶ ପଚାଶ କିଶୋରୀ । ସମସ୍ତଙ୍କ ବୟସ ପନ୍ଦରରୁ ପଚିଶ ବର୍ଷ ଭିତରେ ହେବ । ପୋଲିସ୍ ଅନୁମତି ନାହିଁ କି ରାଲିର କୌଣସି ପୂର୍ବ ସୂଚନା ବି ନାହିଁ ।
ସମସ୍ତଙ୍କ ହାତରେ ବାଉଁଶ ଠେଙ୍ଗେଣୀରେ ବନ୍ଧାଯାଇଥିବା ସୁନ୍ଦରସୁନ୍ଦର ଆଲେଖ୍ୟ ତଳେ ସୌଜନ୍ୟ “ପବ୍ଜି ସେନା” ବୋଲି ନାଲିକାଳିରେ ଉଲ୍ଲେଖ ଅଛି । ଦାମବାବୁ ଦେଖି ଆଶ୍ଚର୍ଯ୍ୟ । ମଣିଷ ଶିବ ସେନା, କରଣୀ ସେନା, ନୌ ସେନା, ବିଜୁ ସେନା, ଲୁଲୁ ସେନା, ସୋନିଆ ସେନା ପରି ଅନେକସେନାଙ୍କ ନାଁ ଭିନ୍ନଭିନ୍ନ ଜାଗାରୁ ଶୁଣିଥିଲା, ହେଲେ ଏ ପବ୍ଜି ସେନା ନାଁ ଆଗରୁ କେବେ କୋଉଠି ଶୁଣିନଥିଲା । ଛୁଆଙ୍କ ପଛେପଛେ ସବା ପଛଛୁଆଟି କଡରେକଡରେ ଅଳ୍ପବାଟ ଚାଲିଚାଲି ଯାଇ ପଚାରି ବୁଝିଲେ ଯେ ଏ ସଂଗଠନ ଅରଖ ନୂଆ ଛାତ୍ର ସଂଗଠନ ଟିଏ । ପୁଲୱାମା ଘାଟିରେ ଚାଇନାସେନା ହରକତ କଲାପରେ ଭାରତ ସରକାର ଏବେ ଚାଇନିଜ୍ ଆପ୍ ଗୁଡିକୁ ବ୍ୟାନ୍ କରିଛନ୍ତି । ପ୍ରଥମ ସୋପାନରେ ଅଣଷଠିଟି ଚାଇନା ଆପ୍ ଉପରେ ପ୍ରତିବନ୍ଧ ଲାଗିଥିଲା, ପରେ ଶହେ ସତର ଏବଂ ଏବେ ସମୂଦାୟ ଦୁଇଶହ ଚବିଶଟି ଆପ୍ ଉପରେ ପ୍ରତିବନ୍ଧ ଲାଗିଛି ।
ତା’ଭିତରେ କିଶୋରକିଶୋରିଙ୍କର ସବୁଠାରୁ ପ୍ରିୟ ପବ୍ଜିଖେଳ ଆପ୍ଟି ସାମିଲ୍ ହୋଇଯାଇଛି । ସେଥିପାଇଁ ସମସ୍ତେ କେନ୍ଦ୍ର ସରକାର ଉପରେ ବହୁତ କ୍ଷୁବ୍ଧ । ନାଲୁର କହିବା କଥା ଚୈନାସାଙ୍ଗରେ ବନ୍ଧୁକରେ ଯୁଦ୍ଧ କର । ବୋମା ପଛେ ପକେଇଦିଅ, ପବ୍ଜି ବନ୍ଦ କରନି । ସିଲୁ କରୋନା କଟକଣାର ଶେଷ ତିନିମାସ ଭିତରେ ଦିନକୁ ଦଶଘଂଟା ଉପରେ ଏଇ ଖେଳଟିକୁ ଖେଳି ଚାଇନାର ଫ୍ୟାନ୍ ହୋଇସାରିଛି । ହଠାତ୍ ପ୍ରଧାନମନ୍ତ୍ରୀଙ୍କର ଏପରି ନିଷ୍ଠୁର ଆଦେଶ ଶୁଣି ସେ ପାଗଳ ହୋଇଗଲାଣି । ପିଲୁ ସମସ୍ତଙ୍କୁ ସାକ୍ଷାତ କରି କିଶୋରକିଶୋରୀଙ୍କର ଏହିଭବ୍ୟ ଆନେ୍ଦାଳନଟି ସଂଗଠିତ କରିଛି । ଏମାନଙ୍କର ଏହି ଆନେ୍ଦାଳନକୁ ଆମର କ୍ଷେତ୍ରୀୟ ଦଳ ସହ ଭାରତର ସର୍ବ ପୁରାତନ ଦେବାଲିଆଦଳ ମଧ୍ୟ ସମର୍ଥନ ସହ ଦୁଇଲକ୍ଷଟଙ୍କାର ପୋ୍ରସôାହନ ରାଶି ପ୍ରଦାନ କରିଛି । ତେଣୁ ପିଲାମାନଙ୍କର ବିଶ୍ୱାସ ଯେ ସେମାନେ ଏହି ଆନେ୍ଦାଳନରେ ନିଶ୍ଚିତ ଜୟଲାଭ କରିବେ । ଭାରତ ସରକାର ଛୁଆମାନଙ୍କ ଦ୍ୱାରା ଗଠିତ ନୂତନ ସଙ୍ଘର୍ଷ ଗୋଷ୍ଠି ପବ୍ଜି ସେନାର ଅନୁରୋଧ ରଖି ପବ୍ଜିଆପ୍ ଉପରେ ଲାଗିଥିବା ପ୍ରତିବନ୍ଧକ ଜରୁର୍ ହଟେଇଦେବେ ।
ଫନିବାବୁ ଦାମବାବୁଙ୍କ ପାଖରୁ ସତ୍ୟାସତ୍ୟ ଶୁଣି ଘରକୁ ଯାଇ ଦେଖିଲେ ନିଜଝିଅ ରିଙ୍କି ଘରେ ନାହିଁ କି ଝିଆରୀ ମୁନୀ ବି ଦିଶୁନି । ସଙ୍ଗେସଙ୍ଗେ ସେ ହରତାଳ ରାଲିକୁ ଦେଖିଲାବେଳକୁ ଝିଅ ସବାଆଗରେ ଛାତି ଫୁଲେଇ ଚାଲିଛି । ମାଳତି ଅପା ବି ତାଙ୍କ ପୁଅକୁ ଖୋଜିଖୋଜି ଆସି ସେହି ରାଲିରେ ଝାଳନାଳ ହୋଇ ଚିକôାର କରୁଥିବା ଅବସ୍ଥାରେ ପୁଅ ମାନସକୁ ଆବିଷ୍କାର କଲେ । ରାଲିଟି ସତ୍ୟନଗର ଶ୍ମସାନପୋଲ ପାରହବୋବେଳକୁ ପ୍ରାୟେ ଅଭିଭାବକ ରାଲିରେ ମିଶି ପଛେପଛେ ଚାଲୁଥିବାରୁ ରାଲିଟି ବିରାଟ ଆକାର ଧାରଣ କରି ସାରିଲାଣି । ଖାରବେଳ ନଗର ଆଇଆଇସି ରାଗରେ ପ୍ରଚଣ୍ଡହୋଇ ରାଲିକୁ ଭାଙ୍ଗିବାକୁ ଦଳବଳ ନେଇ ଆସି ପହଁଚିଲାବେଳକୁ ତାଙ୍କ ଝିଅ ବନ୍ଦନା ସେହି ରାଲିର ମଝିରେ ନାଲି ପତାକା ଧରି ଚାଲିବାର ଦେଖି କିଛି କରିବାକୁ ସାହସ କଲେନି ।
ପରେ ସମସ୍ତଛୁଆ ଆନେ୍ଦାଳନକାରୀମାନେ ମାଷ୍ଟରକ୍ୟାଂଟିନ ଆନେ୍ଦାଳନ ଜାଗାରେ ପହଁଚି କେଉଁଏକ ନେତାଙ୍କ ସୌଜନ୍ୟରୁ ମିଳିଥିବା ବିସ୍କୁଟ୍ ପ୍ୟାକେଟ ଏବଂ ପାଣିବୋତଲର ସଦ୍ବ୍ୟବହାର କରି ସଭାଟିଏ ଆରମ୍ଭ କଲେ । ସେହି ସଭାରେ ସମସ୍ତ ଅଭିଭାବକ ଉପସ୍ଥିତ ରହି ଜଣକ ପରେ ଜଣେ ଛୁଆମାନଙ୍କୁ ଭାଷଣଦେବା ଆଳରେ ପ୍ରକୃତ ସତ୍ୟକୁ ଉଜାଗର କଲେ । ପ୍ରାୟ ଦଶଜଣ ଅଭିଭାବକ ଯେଉଁମାନଙ୍କର ପିଲା ଏହି ପବ୍ଜି ଖେଳ ରୋଗରେ ଆକ୍ରାନ୍ତ, ସେମାନେ ଛୁଆମାନଙ୍କ ସାମ୍ନାରେ ଗୋଟିଏ ଧାଡିରେ ଛିଡାହୋଇ ଏହି ଖେଳର ମହାତ୍ମ୍ୟ ଏବଂ ମାରାତ୍ମକ ଦିଗ ବିଷୟରେ ପିଲାମାନଙ୍କୁ ବୁଝାଇବାକୁ ଚେଷ୍ଟାକଲେ । ବାଁ କଡରୁ ଆରମ୍ଭରେ ଛିଡା ହୋଇଥିବା ଦାମବାବୁ ପ୍ରଥମେ ମାଇକ୍ରଫୋନ୍ଟିକୁ ନିଜ ହାତକୁ ନେଲେ ।
“ଶ୍ରଦେ୍ଧୟ ଛାତ୍ରଗଣ! ମୁଁ ଆପଣମାନଙ୍କୁ ଚୁମ୍ବକରେ କହିରଖେ ଯେ ଏ “ଚାଇନା ସେନା” ଏବଂ “ପବ୍ଜି ସେନା” ର ଆଭିମୁଖ୍ୟ ଗୋଟିଏ । ଚାଇନିଜ୍ ଲୋକଙ୍କର ଆଖି ସିନା ଛୋଟ, କିନ୍ତୁ ଦୂରଦୃଷ୍ଟିକୁ ମାନିବାକୁ ହେବ । ଚାଇନା ସେନା ଚାହୁଁଛି ଆମ ସୀମାଭିତରେ ପଶି ଆମ ଜମିଅଧିଗ୍ରହଣ କରି ନିଜର ସାମ୍ରାଜ୍ୟ ବିସ୍ତାର କରିବ । ଗୁଇନ୍ଦାମାନଙ୍କୁ ପଠେଇ ଆମ ସରକାରଙ୍କ ଗୁପ୍ତତଥ୍ୟ ଚୋରି କରି ଆମଦେଶର ଅର୍ଥନୀତିକୁ କମ୍ଜୋର୍ କରିବ । ଆମର ପ୍ରଗତିକୁ ରୋକିବ ଏବଂ ଆମର ଦେଶର ସ୍ୱପ୍ନକୁ ଧୂଳିସାତ୍ କରିଦେବ । ଆମକୁ କାଙ୍ଗାଳ କରିବା ଚାଇନାର ଏକମାତ୍ର ଲକ୍ଷ । ଏଥିପାଇଁ ଚାଇନା ବହୁତ ଅଲଗାଅଲଗା ରାସ୍ତା ଦେଇ ଚକ୍ରାନ୍ତଧର୍ମୀ କାର୍ଯ୍ୟକ୍ରମ ଜାରି ରଖିଛି । ତନ୍ମଧ୍ୟରେ ଏ ପବ୍ଜିଆପ୍ ମଧ୍ୟ ଅନ୍ୟତମ । ଆପଣମାନେ ଆମ ସମାଜର ଭବିଷ୍ୟତ । ଆପଣମାନଙ୍କୁ ସିଏ ଏମିତି ଏକ ନିଶାରେ ବାନ୍ଧି ରଖି ପାଠରୁ ଦୂରେଇ ରଖୁଛି ।
ଆପଣମାନଙ୍କର ବହୁମୂଲ୍ୟ ସମୟ ଏହି ପବ୍ଜି ଖେଳଦ୍ୱାରା ଅଯଥା ନଷ୍ଟ ହେବାରୁ କୌଣସି ଗଠନ ମୂଳକ ଚିନ୍ତାଧାରା ମନଭିତରେ ପଶୁନି । ତେଣୁ ଆପଣମାନଙ୍କ ଭବିଷ୍ୟତରେ ପ୍ରଶ୍ନବାଚୀ ସୃଷ୍ଟି ହେଲାବେଳେ ଦେଶର ଭବିଷ୍ୟତ ଅନ୍ଧାର ଦେଖାଯାଉଛି । ଏସବୁ ଚାଇନାର ଏକ ସୁଚିନ୍ତିତ ଷଡଯନ୍ତ୍ର, ଯାହା ଆପଣ ଏହି କିଶୋର ଜୀବନରେ ବୁଝିବାକୁ ଅସମର୍ଥ । କିଏ କିଏ ଏହି ଖେଳ ଖେଳିବାପାଇଁ ଏତେ ବ୍ୟାକୁଳ ଯେ ଅଭିଭାବକ ମନାକଲେ ତାଙ୍କୁ ଅସଭ୍ୟ ବ୍ୟବହାର ଦେଖାଇ ମାର୍ପିଟ୍ ବି କରୁଛନ୍ତି । ଏସବୁ ଉପାଖ୍ୟାନକୁ ତର୍ଜମା କଲେ ଜଣାଯାଏ ଯେ ଭାରତରେ ତୁମେମାନେ ଚାଇନା ସେନାର ପ୍ରତିନିଧି ସ୍ୱରୁପ । ତୁମେ ଯେଉଁ କୋଟିକୋଟି ଟଙ୍କାର ଧନ ଏହି ଖେଳମାଧ୍ୟମରେ ଚାଇନା ଦେଶକୁ ଦେଉଛ, ସେ ସେଥିରେ ଆମ ବରୁଦ୍ଧରେ ବିଧ୍ୱଂସକାରୀ କ୍ଷେପଣାସ୍ତ୍ର ତିଆରି କରୁଛି । ଦିନେ ନା ଦିନେ ଉପଯୋଗ କରି ତୁମରି ଦେଶବାସୀ ଭାଇ ଭଉଣୀମାନଙ୍କୁ ମାରିବ । ଏହା ଯଦି ତୁମକୁ ମଂଜୁର ତେବେ ଖେଳ, ଆଉରି ବେଶୀବେଶୀ ଖେଳ । ଚାଇନା ଧନବାନ ହେଉ ଏବଂ ତୁମ ମାତୃଭୂମିକୁ ବରବାଦ୍ କରୁ । ଏତିକି କହି ମୁଁ ମୋ ବାଣୀକୁ ବିରାମ ଦେଉଛି ।”
“ତା’ପରେ ମାଇକ ଧରିଲେ ଫନିବାବୁ । ସ୍ନେହଁର ଛାତ୍ରଛାତ୍ରୀ ବୃନ୍ଦ! ସମାଜର ବିକାଶରେ ତୁମମାନଙ୍କର ମୁଖ୍ୟ ଭୂମିକା ବିଦ୍ୟମାନ । ତୁମେମାନେ ଦେଶର ଭବିଷ୍ୟତ ଓ କର୍ଣ୍ଣଧାର । ଏ ଦେଶର ଭବିଷ୍ୟତ ନେତୃତ୍ୱ ଏବଂ ବିକାଶ ତୁମମାନଙ୍କ ହାତରେ । ଦେଶପ୍ରତି ସାକାର ଦୃଷ୍ଟିଭଙ୍ଗି ଏବଂ ସମାଜପାଇଁ ଏକ ନିଷ୍ଠାପର ଅଙ୍ଗୀକାର ବଦ୍ଧତା ଛାତ୍ରସମାଜକୁ ଉନ୍ମାଦିତ କରିଥାଏ । କୁସଂସ୍କାର ଏବଂ ଆର୍ଥôକ ସ୍ଥାଣୁତା ବିରୁଦ୍ଧରେ ତୁମେମାନେ ସଜାଗରହି ସ୍ୱର ଉତ୍ତୋଳନ କରିବା ଉଚିତ୍ । ଆଜି ବଡ କ୍ଷୋଭର ବିଷୟ ଯେ ଉପଯୁକ୍ତ ଦିଗ୍ଦର୍ଶନ ଅଭାବରୁ ତୁମେମାନେ ପଥଭ୍ରଷ୍ଟ ହେଲାପରି ଲାଗୁଛ । ତୁମ୍ଭମାନଙ୍କ ମେଳରେ ମୋ ଝିଅ ବି ଅଛି । ତେଣୁ ମୁଁ ସମସ୍ତଙ୍କ ଅଭିଭାବକ ହିସାବରେ କହିବାବୁ ଚାହେଁ ଯେ ଦେଶଭକ୍ତି ସର୍ବୋପରି । ଆମେ ଏମିତି କୌଣସି ଆଚରଣ କରିବାନି ଯେଉଁଥିରେ ଆମର ଶତ୍ରୁ ଦେଶର ଉପକାର ହେବ ଏବଂ ଅପରପକ୍ଷରେ ଆମର ଛାତ୍ରସମାଜର ଲକ୍ଷଲକ୍ଷ ଘଂଟାସମୟ ଅଯଥା ଅପଚୟ ହେବ । ବହିଗଲା ପାଣି ଏବଂ ଚାଲିଗଲା ସମୟ କେବେ ବି ଫେରେନି ।
ଏହି ଛାତ୍ର ଜୀବନ ସବୁଠାରୁ ଜୀବନ ଗଠନର ପ୍ରକôୃଷ୍ଠ ସମୟ । କିନ୍ତୁ ପରିତାପର ବିଷୟ ଯେ ଆଜି ଛାତ୍ରସମାଜ ବିଶୃଙ୍ଖଳାର ଚରମସୀମାରେ ପହଁଚିଛି । ରାସ୍ତାଘାଟ ଅବରୋଧ, ଜାତୀୟ ସମ୍ପତ୍ତି ଧ୍ୱଂସ, ଦେଶଦୋ୍ରହ କାର୍ଯ୍ୟଧାରା, ଶିକ୍ଷକମାନଙ୍କ ପ୍ରତି ଦୁର୍ବ୍ୟବହାର, ଅଭିଭାବକଙ୍କୁ ଅସମ୍ମାନ, ପରୀକ୍ଷାରେ କପି ପରି ବହୁତ ଅନ୍ୟାୟ ଅନୀତି ପଥରେ ଛାତ୍ର ସମାଜ ଗତି କରୁଛି । ଆଜିକାର ପିତାମାତା ଏବଂ ଅଭିଭାବକ ଯେଉଁମାନେ ତୁମର ହିତୈଷୀ ସେମାନେ ବହୁତ ମର୍ମାହତ ଏବଂ ତୁମ୍ଭମାନଙ୍କର ଭବିଷ୍ୟତ ପାଇଁ ବିଚଳିତ । ମୋର ବକ୍ତବ୍ୟ ମୁଁ ଏତିକିରେ ଇତି କରି ଆଶା କରୁଛି ଯେ ସମସ୍ତେ ଏ ବିଷୟରେ ଅଧିକ ଚିନ୍ତା କରି ନିଜନିଜର ବିଚାରକୁ ଶୁଦ୍ଧକରିବା ଦିଗରେ ନିହାତି ଯତ୍ନବାନ୍ ହେବେ ।”
“ଖାରବେଳ ନଗର ଦିମାକିଆ ପେଟୁଆ ପୋଲିସ ନାକତଳେ ମୋଟାମାଗୁର ନିଶକୁ ମୋଡି ମାଇକ ନେଇ ନେତାଳିଆ ଢଙ୍ଗରେ ତାଙ୍କର ଭାଷଣ ଆରମ୍ଭ କଲେ । ଦେଖ ଛୁଆମାନେ! ତୁମର ବୁଦ୍ଧି ପାକଳ ହୋଇନି । ଆମେ ବୁଝିପାରୁଛୁ ଯେ ତୁମମାନଙ୍କର ଏହି ବିଶୃଙ୍ଖଳ ଆଚରଣର ମୁଖ୍ୟ କାରଣ ହେଲା ତୁମର ଅନିଶ୍ଚିତ ଭବିଷ୍ୟତ । ତୁମେମାନେ ଭାବୁଛ ଯେ ଏ ଶିକ୍ଷାଲାଭରେ କିଛି ଲାଭ ନାହିଁ । ହଜାରହଜାର ଶିକ୍ଷିତ ବେକାର ହୋଇ ବୁଲୁଛନ୍ତି । ଏହି ମାନସିକ ଅଶାନ୍ତି ବେଳକୁ ଚାଇନା ତୁମମାନଙ୍କୁ ବ୍ୟସ୍ତ ରଖିବା ପାଇଁ ଏହି ପବ୍ଜି ଖେଳକୁ ଲଂଚ୍ କରିଛି । ତୁମମାନଙ୍କୁ ଏବେ ଏହି ମସ୍ତଖେଳଟି ବ୍ୟସ୍ତ ରଖୁଥିଲେ ମଧ୍ୟ ଏହା ଆମର ଯୁବପିଢିକୁ ବିପଥଗାମୀ କରାଇବା ଦିଗରେ ଚାଇନାର ଏକ ବିରାଟ ଷଡଯନ୍ତ୍ର । ଛାତ୍ରସମାଜ ହିମାଳୟରୁ ବାହାରୁଥିବା ଏକ ପବିତ୍ର ଗଙ୍ଗାନଦୀ ପରି ।
ବାଟଅବାଟ ଖାଲଢିପ ନମାନି ସମୁଦ୍ର ଦିଗରେ ଦୌଡିବା ହେଲା ଏକମାତ୍ର ଲକ୍ଷ । ସେହିପରି ଛାତ୍ରସମାଜର ବ୍ୟସ୍ତ ଭିତରେ ମସ୍ତ ରହିବା ଉଦେ୍ଦଶ୍ୟରେ ଧାବମାନ ହେବାଟା ଆଜିର ଦିନରେ ତୁମ ସମସ୍ତଙ୍କର ପ୍ରାକୃତିକ ଧର୍ମ । ଛାତ୍ର ସମାଜର ଅବକ୍ଷୟ ହେତୁ ସାମାଜିକ ଶୃଙ୍ଖଳା ବଜାୟ ରଖିବା ଆମପାଇଁ ଆଜି ଦିନରେ ଏକ ବଡ ଆହ୍ୱାନ । ତୁମମାନଙ୍କର ବୁଝିବା ବୟସ ହେଲାଣି, ତେଣୁ ମୁଁ ଆଉ ବିଶେଷ କିଛି କହିବାକୁ ଯାଉନି । ଅନ୍ତରରେ ଆଶା କରୁଛି ଆପଣମାନଙ୍କର ସଦ୍ବୁଦ୍ଧି ଉଦୟ ହେଉ । ଏହି ପବ୍ଜି ଖେଳକୁ ଆଜିଠାରୁ କେହି ନଖେଳ ଏବଂ ଏହି ଚାଇନା ଆପ୍କୁ ବ୍ୟାନ୍ କରିଥିବା ହେତୁ ସମସ୍ତେ ଆମ ସରକାରଙ୍କୁ ଧନ୍ୟବାଦ ଦିଅ ।”
ଛୁଆମାନେ ଦିନ ଦଶଟାରେ ଘରୁ ବାହାରି ଦିପ୍ରହର ଖରାରେ ଚାରି କିଲୋମିଟର୍ ଚାଲିଚାଲି ଆସିଥିବାରୁ ସବୁ ଝାଁଉଳି ବ୍ରୟେଲର୍ କୁକୁଡା ପରି ଧକେଇଲେଣି । ଆଉ କାହାରି ସେ ଅଲଣା ଭାଷଣ ଶୁଣିବାକୁ ଧୈର୍ଯ୍ୟ ନାହିଁ । ତେଣୁ ତାଙ୍କଭିତରୁ ବରିଷ୍ଠ ପବ୍ଜି ଖେଳାଳି ଜଣେ ଅତିଥିମାନଙ୍କ ପାଖକୁ ଝପଟି ଯାଇ ମାଇକ୍ ହାତକୁ ନେଲା । ସମସ୍ତଙ୍କ ଉଦେ୍ଦଶ୍ୟରେ ନମ୍ରତାର ସହ ଘୋଷଣା କଲା ଯେ ଆମର ଶତ୍ରୁଦେଶ ଚାଇନା ଏହି ପବ୍ଜି ଖେଳରୁ କୋଟିକୋଟି ଟଙ୍କା ରୋଜଗାର କରି ଆମପାଇଁ ଆମ ପଇସାରେ ଯୁଦ୍ଧାସ୍ତ୍ର ତିଆରି କରୁଛି ।
ଆମ କିଶୋର ଜୀବନକୁ ନଷ୍ଟ କରିବା ସଙ୍ଗେସଙ୍ଗେ ଆମର ଭବିଷ୍ୟତ ସାଙ୍ଗରେ ଖେଳୁଛି । ତେଣୁ ଆମେ ସମସ୍ତେ ଆଜିଠାରୁ ନିୟମ କରିବା ଯେ ଆଉକେବେ ଆମର ଏ ପବ୍ଜି ସେନା ଏମିତି ପବ୍ଜି ଖେଳ ସପକ୍ଷରେ ଆନେ୍ଦାଳନ ନକରି ଏହାର ବିପକ୍ଷରେ ଜନ ଆନେ୍ଦାଳନ ସୃଷ୍ଟିକରି ସମସ୍ତ ଚାଇନା ଆପ୍ ଏବଂ ପଦାର୍ଥ ବର୍ଜନପାଇଁ ଦେଶ ସାରା ବୁଲି ଲୋକମାନଙ୍କୁ ବୁଝେଇବା । ଆଜିଠାରୁ ଏହାର ନାଁ ପବ୍ଜି ବିରୋଦ୍ଧି ସେନା । ସମସ୍ତ ଅଭିଭାବକମାନଙ୍କୁ ଧନ୍ୟବାଦ୍ ସହ ସଭା ସାଙ୍ଗ କରିବାକୁ ଅନୁମତି ମାଗୁଛି । ପବ୍ଜି ଆପ୍ ମୁର୍ଦ୍ଦାବାଦ୍ । ହିନ୍ଦୁସ୍ଥାନ୍ ଜିନ୍ଦାବାଦ୍ । ଜୟ ହିନ୍ଦ୍ । ଜୟ ଜଗନ୍ନାଥ ।
