ଛତ୍ରପୁର୧୨/୫: ଛତ୍ରପୁର ବ୍ଲକ ସୁନ୍ଦରପୁର ପଂଚାୟତର ୨୨ ଜଣ ଚାଷୀଙ୍କ ଧାନ କିଣା ଟଙ୍କା ଏ ପର୍ଯ୍ୟନ୍ତ ମିଳିନଥିବା ନେଇ ଛତ୍ରପୁର ମଣ୍ଡଳ ସମବାୟ ସମିତି ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସେମାନଙ୍କ ଟଙ୍କା ତୁରନ୍ତ ମିଳିବା ନେଇ ଏଆରସିଏସଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ।
ସେମାନେ କହିବା ମୁତାବକ ୨୨ ଜଣ ଚାଷୀ ୬.୨.୨୦୨୦ ତାରିଖ ଦିନ ସୁନ୍ଦରପୁର ପଂଚାୟତର ସମବାୟ ସେବା ସମିତି ମାଧ୍ୟମରେ କେରାଣ୍ଡିତୋଳା ଓ ଟାଙ୍ଗଣାପଲ୍ଲୀ ଅଂଚଳର ଦୁଇ ଜଣ ମିଲରଙ୍କୁ ଏହି ଧାନ ପ୍ରଦାନ କରାଯାଇଛି । ସେମାନଙ୍କୁ ଏ ପର୍ଯ୍ୟନ୍ତ ଧାନ ବିକ୍ରୟ ଟଙ୍କା ପ୍ରଦାନ କରାଯାଇନାହିଁ । ପ୍ରାୟ ୨୨ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି ।
ମଙ୍ଗଳବାର ସୁନ୍ଦରପୁର ପଂଚାୟତର ବିଜେଡି ଯୁବନେତା କାଳିଆ ନାହାକଙ୍କ ନେତୃତ୍ୱରେ ଚାଷୀମାନେ ଆସିଥିଲେ । ଏ ନେଇ ଏଆରସିଏସ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ସେମାନଙ୍କର ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ମିିଳିବା ପରେ ଚାଷୀମାନେ ଆନ୍ଦୋଳନରୁ ଓହରି ଘରକୁ ଫେରିଥିଲେ ।